Sunday, September 13, 2026
27.6 C
Odisha

    ରାଜ୍ୟରେ ଖୁବ୍‌ଶୀଘ୍ର ଆସିବ କ୍ରୀଡ଼ା ନୀତି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଓଡ଼ିଶାରେ କ୍ରୀଡ଼ାର ବିକାଶ ପାଇଁ ଏକ ଭଲ କ୍ରୀଡ଼ା ନୀତି ପ୍ରସ୍ତୁତ ହେବାର ଆବଶ୍ୟକତା ରହିଛି। ଏଥିସହିତ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ କରିବା ସହିତ ତୃଣମୂଳ ସ୍ତରରେ କ୍ରୀଡ଼ା ପ୍ରତିଭାଙ୍କୁ ଚୟନ କରି ସେମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଏବଂ ସେମାନଙ୍କ ସମଗ୍ର ବିକାଶ ପାଇଁ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମତ ରଖିଛନ୍ତି। କ୍ରୀଡ଼ା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମ୍‌ସ୍ଥିତ ଟେନିସ୍‌ ସେଣ୍ଟର ଅଡିଟୋରିୟମ୍‌ଠାରେ ଅନୁଷ୍ଠିତ ଓଡ଼ିଶା କ୍ରୀଡ଼ା ନୀତିର ଚିଠାପ୍ରସ୍ତାବ ଉପରେ ଅନୁଷ୍ଠିତ ଏକ କର୍ମଶାଳାରେ ଏଭଳି ମତ ରଖିଛନ୍ତି ମନ୍ତ୍ରୀ।

    ରାଜ୍ୟରେ ଜିଲ୍ଲାରୁ ବ୍ଲକସ୍ତର ପର୍ଯ୍ୟନ୍ତ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ କରିବା, ବ୍ଲକ୍‌ସ୍ତରରେ କ୍ରୀଡ଼ା କେନ୍ଦ୍ରର ନିର୍ମାଣ ଏବଂ କ୍ରୀଡ଼ା ନର୍ସରୀ ପ୍ରତିଷ୍ଠା ମାଧ୍ୟମରେ ବିଭିନ୍ନ ଯୁବପ୍ରତିଭାମାନଙ୍କୁ ଚୟନ କରାଯାଇ ଉପଯୁକ୍ତ ପ୍ରଶିକ୍ଷଣ ମାଧ୍ୟମରେ ସଶକ୍ତ କରାଯାଇପାରିଲେ କ୍ରୀଡ଼ାର ବିକାଶ ହୋଇପାରିବ। ଏଥିସହ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, ଜିଲ୍ଲା, ରାଜ୍ୟ ସ୍ତରରେ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ମାଧ୍ୟମରେ କ୍ରୀଡ଼ାବିତ୍‌ମାନଙ୍କୁ ପ୍ରୋତ୍ସାହିତ କରାଯାଇପାରିବ ବୋଲି ମନ୍ତ୍ରୀ କହିଥିଲେ।

    ସେ ଆହୁରି ମଧ୍ୟ କହିଥିଲେ ଯେ, ଶିକ୍ଷା କ୍ଷେତ୍ରରେ କ୍ରୀଡ଼ାକୁ ଏକ ନିୟମିତ ପାଠ୍ୟକ୍ରମ ରୂପେ ଅନ୍ତର୍ଭୁକ୍ତ କରାଯାଇପାରିଲେ ଯୁବ କ୍ରୀଡ଼ାବିତ୍‌ ଏବଂ ସେମାନଙ୍କର ଅଭିଭାବକମାନଙ୍କର କ୍ରୀଡ଼ା ପ୍ରତି ଆଗ୍ରହ ସୃଷ୍ଟି ହୋଇପାରିବ। ଏଥି ସହ ବିଦ୍ୟାଳୟ ଗୁଡ଼ିକରେ ଶାରୀରିକ ଶିକ୍ଷା ପ୍ରଦାନ, ଯୋଗଶିକ୍ଷା ପ୍ରଦାନ, ଏକ କ୍ରୀଡ଼ା କୈନ୍ଦ୍ରିକ ବାତାବରଣର ବିକାଶ ହେବା, ସ୍ବଦେଶୀ କ୍ରୀଡ଼ାର ବିକାଶ ହେବା ନିତାନ୍ତ ଆବଶ୍ୟକ। ଏଥିସହିତ ମନ୍ତ୍ରୀ ଶ୍ରୀ ସୂରଜ କ୍ରୀଡ଼ା ପର୍ଯ୍ୟଟନ, କ୍ରୀଡ଼ା କ୍ଷେତ୍ରର ବିକାଶ ପାଇଁ ଅର୍ଥ ନିବେଶ ଆଦି ବିଷୟ ଉପରେ ଗୁରୁତ୍ୱାରୋପ କରିଥିଲେ। କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କ ବିକାଶ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ତେଣୁ ଓଡ଼ିଶାର ଖେଳାଳି ଯେପରି ନିଜର ଉତ୍କୃଷ୍ଟ ପ୍ରଦର୍ଶନ ମାଧ୍ୟମରେ ରାଜ୍ୟ ପାଇଁ ଗୌରବ ଅର୍ଜନ କରିପାରିବେ ସେ ଦିଗରେ କାର୍ଯ୍ୟ କରାଯିବ। ପାରା ଖେଳାଳିମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇ ସଶକ୍ତ କରାଯିବ ବୋଲି ମନ୍ତ୍ରୀ କହିଥିଲେ।
    ଜିଲ୍ଲାରୁ ବ୍ଲକସ୍ତର ପର୍ଯ୍ୟନ୍ତ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ କରିବା ଏବଂ ତୃଣମୂଳସ୍ତରରୁ କ୍ରୀଡ଼ାବିତ୍‌ଙ୍କ ବିକାଶ ଆମ ଲକ୍ଷ୍ୟ: କ୍ରୀଡ଼ାମନ୍ତ୍ରୀ

    ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବିଭିନ୍ନ କ୍ରୀଡ଼ାବିତ୍‌, ରାଜ୍ୟ କ୍ରୀଡ଼ା ସଂଘର ଅଧିକାରୀ ଓ କର୍ମକର୍ତ୍ତାମାନେ ପ୍ରସ୍ତାବିତ ଓଡ଼ିଶା କ୍ରୀଡ଼ାନୀତି ଉପରେ ନିଜର ମନ୍ତବ୍ୟ ପ୍ରଦାନ କରିଥିଲେ। ପ୍ରଦର୍ଶନ ଭିତ୍ତିରେ ଖେଳଶୃଙ୍ଖଳାକୁ ଶ୍ରେଣୀଭୁକ୍ତ କରିବାକୁ କିଛି ଖେଳାଳି ଓ ଖେଳ ପ୍ରଶାସକ ପ୍ରସ୍ତାବ ଦେଇଥିଲେ। କାର୍ଯ୍ୟକ୍ରମରେ ପୂର୍ବତନ ଟେଷ୍ଟ୍ କ୍ରିକେଟର୍‌ ଶିବସୁନ୍ଦର ଦାସ, ଅଲିମ୍ପିଆନ୍‌ ଅନୁରାଧା ବିଶ୍ବାଳ, ଚେସ୍‌ ଚାମ୍ପିଅନ୍‌ ପଦ୍ମିନୀ ରାଉତ, ଅନ୍ତର୍ଜାତୀୟ ଆଥଲେଟ୍‌ ଅମିୟ ମଲ୍ଲିକ, ଭାରତୀୟ ଫୁଟ୍‌ବଲ୍ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ପୂର୍ବତନ ମନ୍ତ୍ରୀ ସମୀର ଦେ, ପୂର୍ବତନ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଓଡିଶା ଅଲିମ୍ପିକ ସଂଘ ସମ୍ପାଦକ ଅଭିଜିତ ପାଲ୍‌, ଓଡ଼ିଶା ଫୁଟ୍‌ବଲ୍‌ ସଂଘ ସମ୍ପାଦକ ଆଶୀର୍ବାଦ ବେହେରା, ଓଡ଼ିଶା ହ୍ୟାଣ୍ଡବଲ୍ ସଂଘ ସଭାପତି ବିପ୍ଳବ ଚୌଧୁରୀ, ବିଶ୍ବକପ୍ ବିଜେତା ଦୃଷ୍ଟିବାଧିତ କ୍ରିକେଟର ଜାଫର ଇକ୍‌ବାଲ୍, ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ କର୍ମକର୍ତା ଓ ପ୍ରତିନିଧି, ପୂର୍ବତନ କ୍ରୀଡ଼ାବିତ୍ ତଥା ନ୍ୟୁରୋସାଇଣ୍ଟିଷ୍ଟ ଲଗ୍ନଜିତ ଦାଶ, ହାଇ ପରଫର୍ମାନ୍ସ ସେଣ୍ଟର ପ୍ରଶିକ୍ଷକ ମାର୍ଟିନ୍‌ ୱେନ୍ସ ଓ ବାପି ରାଇ ପ୍ରମୁଖ ଉପସ୍ଥିତ ଥିଲେ।
    ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗର ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଯୁଗ୍ମ ସଚିବ ଶ୍ରୀ ଶୈଳେନ୍ଦ୍ର ଜେନା ‘ଡ୍ରାଫ୍ଟ ସ୍ପୋର୍ଟ୍ସ ପଲିସି’ର ଉପସ୍ଥାପନା କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.6 ° C
    27.6 °
    27.6 °
    75 %
    2.2kmh
    66 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ