Sunday, September 13, 2026
28.7 C
Odisha

    ହତ୍ୟା…ପ୍ରାଣାନ୍ତକ ଆକ୍ରମଣ…ମାରପିଟ୍‌: ପ୍ରଥମ ଦିନରେ ନୂଆ ଅପରାଧିକ ଆଇନରେ ୩ ମାମଲା ରୁଜୁ

    ଆଗକୁ ପଢନ୍ତୁ

    ରାଉରକେଲା: ସମଗ୍ର ଦେଶରେ ସୋମବାରଠାରୁ ତିନିଟି ନୂଆ ଅପରାଧିକ ଆଇନ, ଯଥା- ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ ଲାଗୁ ହୋଇଛି। ଏହି ନୂଆ ଆଇନ ଆଧାରରେ ରାଉରକେଲା ପୁଲିସ ଜିଲ୍ଲାର ବିଭିନ୍ନ ପୁଲିସ ଥାନାରେ ମାମଲା ରୁଜୁ ହୋଇଛି। ପ୍ରଥମ ଦିନରେ ରାଉରକେଲା ପୁଲିସ ଜିଲ୍ଲା ଅନ୍ତର୍ଗତ, କେ.ବଲାଙ୍ଗ, ସେକ୍ଟର-୧୫ ଓ ପ୍ଲାଣ୍ଟ୍‌ସାଇଟ୍‌ ପୁଲିସ ଥାନାରେ ଗୋଟିଏ ଲେଖାଏ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ସେକ୍ଟର-୧୫ ପୁଲିସ ଥାନାରେ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଥିବାବେଳେ ପ୍ଲାଣ୍ଟ୍‌ସାଇଟ୍‌ ଥାନାରେ ମାଡ଼ପିଟ ଓ ଧମକଚମକ ଏବଂ କେ.ବଲାଙ୍ଗ ଥାନାରେ ହତ୍ୟା ମାମଲା ରୁଜୁ ହୋଇଛି।
    ସେକ୍ଟର-୧୫ ଥାନା: ଆଜି ଅପରାହ୍ନ ପ୍ରାୟ ୪ଟାରେ ସେକ୍ଟର-୧୫ ମଲ୍ଲିକ ବସ୍ତିର ଜଣେ ନାବାଳକ(୧୭)ଙ୍କୁ ସଂଘବଦ୍ଧ ମାଡ଼ ମରାଯିବାସହ ସହ ହତ୍ୟା ଉଦ୍ୟମ କରାଯାଇଥିବା ଏତଲା ହୋଇଛି। ସେକ୍ଟର-୧୫ ପୁଲିସ ଏକ ମାମଲା(ଦଫା ୧୦୯/୧୧୫(୨)/୩୫(୨)/୩(୫) ବିଏନ୍‌ଏସ୍‌) ରୁଜୁକରି ତଦନ୍ତ ଜାରି ରଖିଛି। ପୁଲିସ ସୂଚନା ଅନୁସାରେ, ଆଜି ଅପରାହ୍ନ ପ୍ରାୟ ୪ଟାରେ ଶେଖ୍‌ ସାହିଲ ତାଙ୍କ ଦାଦା ପୁଅ ସହ ଦୀପିକା ଇଂରାଜୀ ମାଧ୍ୟମ ସ୍କୁଲରେ ପଢ଼ୁଥିବା ଭଉଣୀକୁ ଆଣିବାକୁ ଯାଇଥିଲେ। ଭଉଣୀଙ୍କୁ ନେଇ ଫେରୁଥିବା ସମୟରେ ସେକ୍ଟର-୧୬ ଖଟାଲ ବସ୍ତିର ୧୫/୧୬ ଜଣ ଯୁବକ ସେକ୍ଟର-୧୭ ହୋମ୍‌ ଆଣ୍ଡ୍‌ ହୋପ୍‌ ପାଖ ପଡ଼ିଆରେ ଅଟକାଇଥିଲେ। ଯୁବକମାନେ ସଂଘବଦ୍ଧ ହୋଇ ସାହିଲକୁ ନିର୍ଧୁମ ମାଡ଼ମାରିଥିଲେ। ଏହାପରେ ଏକ ପିକ୍‌ଅପ୍‌ରେ ସାହିଲକୁ ଟେକିନେଇ ସେକ୍ଟର-୧୬ ରେନ୍‌ବୋ ପଡ଼ିଆକୁ ନେଇ ପୁନର୍ବାର ମାଡ଼ ମାରିଥିଲେ। ସାହିଲ ଅଚେତ ହୋଇ ପଡ଼ିଯିବାପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ପରେ ଭଉଣୀ ଓ ଭାଇ ପରିବାର ଗୁରୁତର ଅବସ୍ଥାରେ ସାହିଲଙ୍କୁ ଉଦ୍ଧାରକରି ଆଇଜିଏଚ୍‌ରେ ଭର୍ତ୍ତି କରିଥିଲେ।

    ପ୍ଲାଣ୍ଟ୍‌ସାଇଟ୍‌: ରାସ୍ତାରେ ଯାଉଥିବା ଜଣେ ଚା’ଦୋକାନିଙ୍କୁ ବାଇକ୍‌ ଚାଳକ ନିର୍ଧୁମ ମାଡ଼ମାରିଥିବା ଅଭିଯୋଗ ହୋଇଛି। ଗତ ୭ ବର୍ଷହେଲା ସ୍ଥାନୀୟ ଗୁରୁଦ୍ବାରା ରୋଡ୍‌ରେ ରାମ କିଶୋର କାମତିଙ୍କ ଚା’ ଦୋକାନ ରହିଛି। ଆଜି ପୂର୍ବାହ୍ନ ପ୍ରାୟ ୧୨ଟାରେ ରାମ କିଶୋର ଚା’ ନେଇ ପାଖରେ ଥିବା ଏକ ଦୋକାନକୁ ଯାଉଥିଲେ। ଏତିକିବେଳେ ମୋଟର ସାଇକଲରେ ଦ୍ରୁତ ଗତିରେ ଆସୁଥିବା ଯୋଗୀନ୍ଦର ସିଂହ ତାଙ୍କୁ ପଛପଟୁ ଧକ୍କା ଦେଇଥିଲେ। ଏହାପରେ ଅଭିଯୁକ୍ତ ଯୋଗୀନ୍ଦର କୁଆଡ଼େ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଏହାକୁ ରାମ କିଶୋର ପ୍ରତିବାଦ କରିବାରୁ ଅଭିଯୁକ୍ତ ମାଡ଼ପିଟ କରିଥିବା ପ୍ଲାଣ୍ଟ୍‌ସାଇଟ ପୁଲିସ ଥାନାରେ ଲିଖିତ ‌ଅଭିଯୋଗ ହୋଇଛି। ପୁଲିସ ଏକ ମାମଲା(ଦଫା୧୨୬(୨)/୨୯୬/୧୧୫(୨)/୩୫୧(୨) ରୁଜୁକରି ତଦନ୍ତ ଜାରି ରଖିଛି।

    କେ.ବଲାଙ୍ଗ: କୋଇଡ଼ା ବ୍ଲକ ସୟମ୍ବା ପଞ୍ଚାୟତର ପୁରୁଣାପାଣି ଗାଁରେ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଦେଖିବାକୁ ମିଳିଛି। ସମ୍ପର୍କୀୟ ଅଜା ନାଇମନ ମୁଣ୍ଡା(୬୫)ଙ୍କୁ ଅତି ବିଭତ୍ସଭାବେ ଟାଙ୍ଗିରେ ଚୋଟପରେ ଚୋଟମାରି ସମ୍ପର୍କୀୟ ନାତି ସାଲମନ ମୁଣ୍ଡା ହତ୍ୟା କରିଛି। ପରେ କଟାମୁଣ୍ତକୁ ଧରି ଗାଁ ସାରା ବୁଲିଥିଲା ଅଭିଯୁକ୍ତ। କେ.ବଲାଙ୍ଗ ପୁଲିସ ଭାରତୀୟ ନ୍ୟାୟସଂହିତା ୧୦୩(୧) ଧାରାରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    28.7 ° C
    28.7 °
    28.7 °
    75 %
    2.5kmh
    71 %
    Sun
    29 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ