Saturday, March 21, 2026
19.7 C
Odisha

    ବିପଦରେ ଶିମିଳିପାଳ ବାଘ! ଗରାଖ ସାଜି ଧରିଲା ବନ ବିଭାଗ

    ଆଗକୁ ପଢନ୍ତୁ

    ବାରିପଦା/କଳାବାଡ଼ିଆ: ଶିମିଳିପାଳରେ ଚାଲିଛି କି ବାଘ ଶିକାର? ଏଠାକାର ବାଘ ବଂଶ ବିପଦରେ ଅଛନ୍ତି କି? ଶିମିଳିପାଳ ପାଦଦେଶରୁ ଲଗାତାର ବାଘଛାଲ ଜବତ ହେବା ପରେ ଏହିଭଳି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ୬ମାସ ତଳେ ଶିମିଳିପାଳ ସଂଲଗ୍ନ ଡୁକୁରା ରେଞ୍ଜ୍‌ରୁ ୧୫ଦିନ ବ୍ୟବଧାନରେ ୨ଟି ବାଘଛାଲ ଜବତ ହୋଇଥିବା ବେଳେ ଆଜି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ରେଞ୍ଜ ଅଧୀନ ଶିମିଳିପାଳ ପାଦଦେଶରେ ଏକ କଲରାପତରିଆ ବାଘଛାଲକୁ ବନ ବିଭାଗ ଜବତ କରିଛି। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ତଦନ୍ତ ଜାରି ରହିଥିବାରୁ ଧରାପଡ଼ିଥିବା ଅଭିଯୁକ୍ତଙ୍କ ପରିଚୟ ଗୋପନ ରଖିଛି ବନ ବିଭାଗ।
    ସୂଚନା ଅନୁଯାୟୀ; ପ୍ରାୟ ୨ ମାସ ପୂର୍ବେ ଶିକାର ହୋଇଥିବା କଲରାପତରିଆ ବାଘର ଚମଡ଼ା ବିକ୍ରି ପାଇଁ ବାଙ୍ଗିରିପୋଷି ବ୍ଲକ୍‌ ଜଳଢ଼ିଆ ଓ ବଡ଼ଢ଼ିଆ ଅଞ୍ଚଳର ୪ ଜଣ ଅଭିଯୁକ୍ତ ଯୋଜନା କରିଥିଲେ। ଏନେଇ ବିଶେଷସୂତ୍ରରୁ ଖବର ପାଇ ସେମାନଙ୍କୁ ଧରିବା ପାଇଁ ବନ ବିଭାଗ କର୍ମଚାରୀ ନିଜେ ଗରାଖ ସାଜିଥିଲେ। ଆଜି ପୂର୍ବାହ୍‌ଣ ୮ଟା ବେଳେ ବାଘଛାଲ ବିକ୍ରି ପାଇଁ ବାଇକ୍‌ରେ ଆସିଥିବା ୪ ଅଭିଯୁକ୍ତଙ୍କୁ ଡିଏଫ୍‌ଓ ସମ୍ରାଟ ଗୌଡ଼ାଙ୍କ ନେତୃତ୍ବାଧୀନ ଟିମ୍‌ ଘେରି ଯାଇଥିଲେ। ବାଘଛାଲ ସହ ୩ ଜଣ ଅଭିଯୁକ୍ତ ଧରା ପଡ଼ିଥିବା ବେଳେ ଜଣେ ଚକ୍‌ମା ଦେଇ ଚମ୍ପଟ ମାରିଥିଲା।

    ଏନେଇ ଡିଏଫ୍‌ଓ ଡ. ଗୌଡ଼ା କହିଛନ୍ତି, ଶିମିଳିପାଳରେ ଗତବର୍ଷ ୧୮୨ଟି କଲରାପତରିଆ ବାଘ ରହିଥିଲେ। ଚଳିତବର୍ଷ ଏହି ଗଣନା କାର୍ଯ୍ୟ ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଥିବା ବେଳେ ବାଘଙ୍କ ସୁରକ୍ଷା ପାଇଁ ବନ ବିଭାଗ ୨୪ ଘଣ୍ଟା କାର୍ଯ୍ୟ କରୁଛି। ଏହାସତ୍ତ୍ବେ ଶିକାରୀମାନେ କିପରି ଓ କେଉଁ ପରିସ୍ଥିତିରେ ବାଘ ଶିକାର କଲେ ତାହାର ତଦନ୍ତ ଚାଲିଛି। ଏଥିସହ ସେମାନେ କେଉଁପଟୁ ଅଭୟାରଣ୍ୟର କୋର୍‌ ଏରିଆକୁ ଗ‌ଲେ, ଟ୍ରାପ୍‌ କ୍ୟାମେରାରେ କେମିତି ଧରାପଡ଼ିଲେନି ସେନେଇ ଯାଞ୍ଚ କରିଛୁ। ସଂପୃକ୍ତ ୩ ଜଣଙ୍କୁ ପଚରାଉଚୁରା ଚାଲିଛି। ଏହି ରୢାକେଟ୍‌ରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ଖୁବ୍‌ଶୀଘ୍ର ସ୍ପଷ୍ଟ ହୋଇଯିବ ବୋଲି ସେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    19.7 ° C
    19.7 °
    19.7 °
    77 %
    3.2kmh
    100 %
    Fri
    20 °
    Sat
    32 °
    Sun
    33 °
    Mon
    34 °
    Tue
    37 °

    ସମ୍ବନ୍ଧିତ