Monday, October 5, 2026
29.8 C
Odisha

    ଡିସେମ୍ବର ୧୯ରେ ବିଧାନସଭା ଘେରିବେ ଅଙ୍ଗନବାଡ଼ି କର୍ମୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଅଙ୍ଗନବାଡ଼ି କର୍ମୀଙ୍କୁ ଆର୍ଥିକ ଶୋଷଣ ବନ୍ଦ ଓ ଅନାବଶ୍ୟକ କାର୍ଯ୍ୟଭାର ପ୍ରତ୍ୟାହାର ସହ ଭତ୍ତା ବୃଦ୍ଧିର ପ୍ରତିଶ୍ରୁତି ପୂରଣ ନକଲେ ଆଗାମୀ ଡିସେମ୍ବର ୧୯ ତାରିଖରେ ବିଧା‌ନସଭା ଘେରାଉ କରିବ ଅଙ୍ଗନବାଡ଼ି କର୍ମଚାରୀ ୟୁନିୟନ ସଂଯୁକ୍ତ ମୋର୍ଚ୍ଚା। ଆଜି ଏଆଇଟିୟୁସି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୋର୍ଚ୍ଚା ପକ୍ଷରୁ ଏହି ସୂଚନା ଦିଆଯାଇଛି। ମୋର୍ଚ୍ଚା ପକ୍ଷରୁ କୁହାଯାଇଛି ଯେ, ସରକାର ଆପ୍‌ରେ ବିଭିନ୍ନ ଭିଡିଓ ସମ୍ବଳିତ ତଥ୍ୟ ତଥା ଅଙ୍ଗନବାଡ଼ି କେନ୍ଦ୍ରର ଫଟୋ କ୍ୟାପସନ୍‌ ସହ ଛତୁଆ ଏବଂ ଅଣ୍ଡା ପ୍ରଦାନ ବେଳର ଫଟୋ ଅପ୍‌ଲୋଡ ଇତ୍ୟାଦି କାର୍ଯ୍ୟ ଭାର ଲଦିଛନ୍ତି। ସରକାରଙ୍କ ପକ୍ଷରୁ ଯେଉଁ ମୋବାଇଲ୍‌ ଫୋନ୍‌ ୨୦୧୯ ମସିହାରୁ ପ୍ରଦାନ କରାଯାଇଛି ତାହା ଏବେ ବ୍ୟବହାର ଉପଯୋଗୀ ନୁହେଁ। ଏପରିକି ଅନେକ ଗ୍ରାମରେ କୌଣସି ମୋବାଇଲ ନେଟ୍‌ୱର୍କ ନାହିଁ। ସେହି ଅଞ୍ଚଳର ଅଙ୍ଗନବାଡ଼ି କର୍ମୀମାନେ ଅନ୍‌ଲାଇନ୍ ଡାଟା ଅପ୍‌ଲୋଡ କରିବା ଅସମ୍ଭବ। ରିଚାର୍ଜ ବାବଦରେ ବାର୍ଷିକ ଏକ ହଜାର ଟଙ୍କା ମିଳୁଥିବାବେଳେ ଏବେ ଅଧିକାଂଶ ନେଟ୍‌ୱର୍କରେ ଦୈନିକ ଦୁଇ ଜିବି ହାରରେ ଡାଟା ସହ ଭଏସ୍ କଲ ପାଇଁ ବର୍ଷକୁ ୪୫୩୭ଟଙ୍କାରୁ ଅଧିକ ରିଚାର୍ଜ କରିବାକୁ ପଡ଼ୁଛି। ତେଣୁ ଫାଇଭ୍ ଜି ପ୍ରଯୁକ୍ତି ସହ ମୋବାଇଲ ଓ ଫାଇଭ୍ ଜି ସିମ୍ ସହ ଦୈନିକ ଦୁଇ ଜିବିରୁ ଅଧିକ ହାରରେ ଡାଟା ରିଚାର୍ଜର ବଜାର ମୂଲ୍ୟର ଅର୍ଥ ପ୍ରଦାନ କରାଯାଉ।
    ସେହିଭଳି ପ୍ରାକ୍ ବିଦ୍ୟାଳୟ ଶିଶୁଙ୍କ ପାଇଁ ଗରମ ରନ୍ଧା ଖାଦ୍ୟ ଏସ୍‌ଏନ୍‌ପି ଓ ଟିଏଚ୍‌ଆର୍‌ର ଦର ସଂଶୋଧନ କରାଯାଉ। ଗତ ନିର୍ବାଚନ ବେଳେ ଦେଇଥିବା ପ୍ରତିଶ୍ରୁତି ଅନୁସାରେ ଭତ୍ତା ବୃଦ୍ଧି ସମେତ ଅନ୍ୟାନ୍ୟ ଦାବି ତୁରନ୍ତ ପୂରଣ କରାଯାଉ ବୋଲି ମୋର୍ଚ୍ଚା ପକ୍ଷରୁ କୁହାଯାଇଛି। ଆଜିର ସାମ୍ବାଦିକ ସମ୍ମିଳନୀରେ ଅଙ୍ଗନବାଡ଼ି କର୍ମଚାରୀ ୟୁନିୟନ ସଂଯୁକ୍ତ ମୋର୍ଚ୍ଚା ପକ୍ଷରୁ ଆବାହକ ବିଜୟ ଜେନା, ନିଖିଳ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ସଂଘର ସାଧାରଣ ସମ୍ପାଦକ ହରପ୍ରିୟା ସ୍ୱାଇଁ, ପଶ୍ଚିମ ଓଡ଼ିଶା କର୍ମୀ ଓ ସହାୟିକା ସଂଘର ନେତ୍ରୀ ପ୍ରଭାସିନୀ ପାଢ଼ୀ, ଅଲ ଓଡ଼ିଶା ଅଙ୍ଗନବାଡ଼ି ୱାର୍କର୍ସ ଆଣ୍ଡ ହେଲପ‌୍‌ର୍ସ ଆସୋସିଏସନର ପୁଷ୍ପା ଦାଶ, ଯୁଧିଷ୍ଠିର ମହାରଣା, ବାଳକୃଷ୍ଣ ଭୋଇ, ଜୟନ୍ତ ଦାଶ, ସୁର ଜେନା, ମନୋରଞ୍ଜନ ପରିଡ଼ା, ନର୍ମଦା ନାହାକ, କବିତା ସେଠୀ, ଜ୍ୟୋତ୍ସ୍ନାମୟୀ ସାମନ୍ତରାୟ, ସୌଦାମିନୀ ଦାଶ, ମାଣିକେଶ୍ୱରୀ ପଟ୍ଟନାୟକ, ରଞ୍ଜନା ବରାଳ, ଜୟନ୍ତୀ ମଲ୍ଲିକ, ସସ୍ମିତା ତ୍ରିପାଠୀ, ମଳୟ ମଞ୍ଜରୀ ଜେନା, ପ୍ରମିଳା ଜେନା, ପୁଷ୍ପାଞ୍ଜଳି ସାହୁ, ସୁଫଳା ସାହୁ, ରୂପାଲି ରୁଚିସ୍ମିତା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.8 ° C
    29.8 °
    29.8 °
    52 %
    1.6kmh
    0 %
    Mon
    31 °
    Tue
    31 °
    Wed
    31 °
    Thu
    30 °
    Fri
    31 °

    ସମ୍ବନ୍ଧିତ