Sunday, September 13, 2026
28.7 C
Odisha

    ଆଜି ମହାପ୍ରଭୁଙ୍କ ସୁନାବେଶ

    ଆଗକୁ ପଢନ୍ତୁ

    ପୁରୀ: ବୁଧବାର ଆଷ‌ାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କ ସୁନାବେଶ(ବଡ଼ତଢ଼ାଉ ବେଶ) ଅନୁଷ୍ଠିତ ହେବ। ବାହୁଡ଼ାଯାତ୍ରା ସାରି ଫେରିବା ପରେ ସିଂହଦ୍ବାରରେ ରଥ ଉପରୁ ଅଗଣିତ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ ତିନି ଠାକୁର। ମହାବାହୁ ମହଣ ମହଣ ରତ୍ନଖଚିତ ସୁବର୍ଣ୍ଣ ଅଳଙ୍କାର ପିନ୍ଧି ବଡ଼ଦାଣ୍ଡରେ ଦେବେ ଦର୍ଶନ। ସୁନାର କିରୀଟ, କୁଣ୍ଡଳ, ରତ୍ନଖଚିତ ଘାଗଡ଼ା ମାଳି, ବାହାଡ଼ା ମାଳି, ତାବିଜ ମାଳି, ହରିଡ଼ା ମାଳି, କଦମ୍ୱ ମାଳି, ବାଘନଖୀ ମାଳି, ସେବତୀ ମାଳି, ହଳମୂଷଳ, ଚକ୍ର, ତିଳକ, ଆଡ଼କାନି, ଚନ୍ଦ୍ର-ସୂର୍ଯ୍ୟ, ଅଳକା, ଓଡ଼ିଆଣୀ, ଚନ୍ଦ୍ରିକା, ତଡ଼ଗି ଆଦି ଅଳଙ୍କାର ପିନ୍ଧି ଶ୍ରୀଜିଉ ଦର୍ଶନ ଦେବେ।। ଏଥିପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି।

    ସୁନାବେଶ ପାଇଁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ, ଅପରାହ୍ଣ ୫ଟାରୁ ସୁନାବେଶ ଆରମ୍ଭ ହେବ। ରାତି ୧୦ଟା ପର୍ଯ୍ୟନ୍ତ ସୁନାବେଶରେ ଦର୍ଶନ ଦେବା ପରେ ବେଶ ଓଲାଗି(ଖୋଲା ହେବ) ହେବ। ତଥାପି ନୀତିକାନ୍ତି ସଅଳ ହେଲେ, ଅପରାହ୍ଣ ୩ଟାରୁ ସୁନାବେଶ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି। ଶୃଙ୍ଖଳିତ ଦର୍ଶନ ତଥା ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରତିବର୍ଷ ଭଳି ମାର୍କେଟ୍‌ ଛକରୁ ବଡ଼ଦାଣ୍ଡରେ ବାରିକେଡ୍‌ ବ୍ୟବସ୍ଥା କରାଯାଇଛି। ଭକ୍ତ ବଡ଼ଦାଣ୍ଡରେ ବାମପାର୍ଶ୍ବରୁ ଦର୍ଶନ ପାଇଁ ପ୍ରବେଶ କରିବେ। ରଥ ଆଗ ଦେଇ ଦର୍ଶନ ସାରିବା ପରେ ଡାହାଣ ପାର୍ଶ୍ବରେ ପ୍ରସ୍ଥାନ କରବେ। ଭିଡ଼ ଓ ଅନୁପ୍ରବେଶ ରୋକିବାକୁ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ସଂଯୋଗ ରାସ୍ତାକୁ ସିଲ୍‌ କରିବାକୁ ପୁଲିସ ପ୍ରଶାସନ ଯୋଜନା କରିଛି। ସୁରକ୍ଷା ବ୍ୟବସ୍ଥାକୁ ବି କଡ଼ାକଡ଼ି କରି ଦିଆଯାଇଛି।

    ଅପରପକ୍ଷେ ମହାପ୍ରଭୁଙ୍କ ସୁନାବେଶର ଅଳଙ୍କାର ବାହାର ରତ୍ନଭଣ୍ଡାରରେ ରହିଥାଏ। ଯେହେତୁ ରତ୍ନଭଣ୍ଡାର ମରାମତି ସହ ଅଳଙ୍କାର ଗଣତି ଓ ମଣତି ପ୍ରକ୍ରିୟା ଜାରି ରହିଛି, ବାହାର ରତ୍ନଭଣ୍ଡାର ଅଳଙ୍କାର ଚାଙ୍ଗଡ଼ା ଘରଠାରେ ହୋଇଥିବା ଅସ୍ଥାୟୀ ରତ୍ନଭଣ୍ଡାର ବା ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର କରାଯାଇଛି। ଏହାକୁ ଜଉମୁଦ ଦେଇ ସିଲ୍‌ କରାଯାଇଛି। ଏଣୁ ବୁଧବାର ଟ୍ରେଜେରିରୁ ଚାବି ଆସିବା ପରେ ଏହି ଷ୍ଟ୍ରଙ୍ଗରୁମ ଖୋଲାଯାଇ ମହାପ୍ରଭୁଙ୍କ ସୁନାବେଶ ଅଳଙ୍କାର ଅଣାଯିବ। ଯାହା ମାର୍ଗଦର୍ଶିକା ଅଛି, ସେହି ଆଧାରରେ ଅଳଙ୍କାର ଅଣାଯିବ ଓ ପୁଣି ସେହିଠାରେ ରଖାଯିବ। ପୁଣି ଜଉମୁଦ ଦେଇ ସିଲ୍‌ ପରେ ତାଲା ଚାବି ଜିଲ୍ଲା ଟ୍ରେଜେରିରେ ରଖିବାକୁ ଜିଲ୍ଲାପାଳଙ୍କୁ ହସ୍ତାନ୍ତର ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ କହିଛନ୍ତି। ନିର୍ଘଣ୍ଟ ନୀତି ଅନୁଯାୟୀ, ବୁଧବାର ଭୋର ୬ଟାରୁ ସାଢ଼େ ୬ଟା ଭିତରେ ତିନି ରଥରେ ମଙ୍ଗଳ ଆଳତି ନୀତି ପରେ ଅନ୍ୟାନ୍ୟ ନୀତି ବଢ଼ିବ। ଅପରାହ୍ଣ ୫ଟାରୁ ସୁନାବେଶ ଆରମ୍ଭ ହୋଇ ସାଢ଼େ ୬ଟା ଭିତରେ ଶେଷ ହେବ। ରାତି ୧୦ଟାରୁ ୧୧ଟା ଭିତରେ ସୁନାବେଶ ମଇଲମ(ସୁନାବେଶ ଖୋଲାଯିବ) ହେବ। ସାଢ଼େ ୧୧ଟାରେ ଚନ୍ଦନଲାଗି, ରାତି ୧୨ଟାରେ ବଡସିଂହାର ବେଶ, ସାଢ଼େ ୧୨ଟାରେ ବଡ଼ସିଂହାର ଭୋଗ, ରାତି ଗୋଟାଏରେ ହରିଶୟନ ନୀତି ପରେ ସାଢ଼େ ଗୋଟାଏରେ ରାତ୍ର ପହୁଡ଼ ନୀତି ଅନୁଷ୍ଠିତ ହେବ। ସୂଚନାଯୋଗ୍ୟ, ସୁନାବେଶ ପରେ ୧୮ ତାରିଖରେ ଅଧରପଣା, ୧୯ ତାରିଖରେ ନୀଳଦ୍ରି ବିଜେ ନୀତି ଅନୁଷ୍ଠିତ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    28.7 ° C
    28.7 °
    28.7 °
    75 %
    2.5kmh
    71 %
    Sun
    29 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ