Sunday, September 13, 2026
28.7 C
Odisha

    କ’ଣ ହେବ ପାଣ୍ଡିଆନଙ୍କ ଭବିଷ୍ୟତ

    ଆଗକୁ ପଢନ୍ତୁ

    ଭୁବନଶ୍ବର: ବିଜେଡିର ଦ୍ବିତୀୟ କ୍ଷମତା କେନ୍ଦ୍ର ଭି କେ ପାଣ୍ଡିଆନଙ୍କର କ’ଣ ହେବ ରାଜନୈତିକ ଭବିଷ୍ୟତ? ବିଜେଡିରେ ସେ କି ଭୂମିକାରେ ରହିବେ? ଯେହେତୁ ବିଜେଡି ଶାସନରେ ରହିବନି, ତାଙ୍କର କାମ କ’ଣ ହେବ? ବିଜେଡିର ବିଫଳତା ପାଇଁ କାହିଁକି ତାଙ୍କୁ ସମସ୍ତେ ଦାୟୀ କରୁଛନ୍ତି?
    ଏବେ ପାଣ୍ଡିଆନଙ୍କୁ ନେଇ ଏମିତି ପୁଳା ପୁଳା ପ୍ରଶ୍ନ। ଶାସକ ଦଳ ଓ ଶାସନ କଳରେ ଅତ୍ୟନ୍ତ କ୍ଷମତାଶାଳୀ ହୋଇପଡ଼ିଥିବା ପାଣ୍ଡିଆନ ଉଭୟ ଦଳ ଭିତରେ ଓ ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ। ନବୀନ ପଟ୍ଟନାୟକ କ୍ଷମତାଚ୍ୟୁତ ହେଲା ପରେ ତାଙ୍କ ଉପରେ ଏବେ ସମସ୍ତଙ୍କର ନଜର। ନିର୍ବାଚନ ପ୍ରଚାର ବେଳେ ତାଙ୍କର ଏକ ମନ୍ତବ୍ୟ ହିଁ ଏହି ଚର୍ଚ୍ଚାକୁ ‌ଖୋରାକ ଯୋଗାଇଛି। ପ୍ରଚାର ବେଳେ ସେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚ୍ୟାଲେଞ୍ଜ୍ ଦେଇଥିଲେ ଯେ ‘ନବୀନ ବାବୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ନହେଲେ ସେ ରାଜନୀତି ଛାଡ଼ିଦେବେ। ବିଜେପି କ୍ଷମତାକୁ ନ ଆସିଲେ ଧର୍ମେନ୍ଦ୍ର ବାବୁ ରାଜନୀତି ଛାଡ଼ିବେ କି?’ ଏବେ ସେହି ଭିଡିଓଟି ଭାଇରାଲ୍ ହେବାରେ ଲାଗିଛି। ପାଣ୍ଡିଆନ ସତରେ ଏବେ ରାଜନୀତି ଛାଡ଼ିଦେବେ ନା ଆଉ କ’ଣ ଯୋଜନା ରହିଛି?

    ୨୦୧୨ ମସିହାରେ ବିଜେଡିର ତତ୍କାଳୀନ କ୍ଷମତାକେନ୍ଦ୍ର ପ୍ୟାରୀମୋହନ ମହାପାତ୍ର ବିଜେଡିରୁ ବିଦା ହେଲା ପରେ ପାଣ୍ଡିଆନ ଧୀରେ ଧୀରେ ପ୍ରଭାବ ବିସ୍ତାର କରିଥିଲେ। ସେ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହୋଇଥିଲେ। କିଛି ଦିନ ଅନ୍ତରରେ ସେ ଦଳୀୟ ବ୍ୟାପାରରେ ପଶିଲେ। ୨୦୧୪ ନିର୍ବାଚନରେ ବିଜେଡି ଟିକେଟ ବଣ୍ଟନରେ ତାଙ୍କର କିଛିଟା ଭୂମିକା ଥିଲା। ୨୦୧୪ ନିର୍ବାଚନ ପରେ ଦଳ ଭିତରେ ଓ ଶାସନ କଳରେ ପାଣ୍ଡିଆନଙ୍କ ଦବ୍‌ଦବା ବଢ଼ିଲା। ଧୀରେ ଧୀରେ ତାଙ୍କରି ଇଙ୍ଗିତରେ ପ୍ରଶାସନ କାର୍ଯ୍ୟ କଲା। ୨୦୧୯ରେ ବିଜେଡି ଟିକେଟ୍‌ ବଣ୍ଟନରେ ସେ ବଡ଼ ଭୂମିକା ନେଇଥିଲେ। ଚାକିରିରେ ଥାଇ ବି ସେ ବିଜେଡିର ଦଳୀୟ ବ୍ୟାପାରରେ ମୁଣ୍ଡ ଖେଳାଉଥିଲେ। ମୁଖ୍ୟମନ୍ତ୍ରୀ ମଧ୍ୟ ଖୋଲା ମନରେ ତାଙ୍କୁ ସୁଯୋଗ ଦେଇଥିଲେ। ୨୦୧୯ ନିର୍ବାଚନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି ଏକପାଖିଆ ବିଜୟ ହାସଲ କରିଥିଲା। ଏହାପରେ ପାଣ୍ଡିଆନଙ୍କ ଆଧିପତ୍ୟ ଆହୁରି ବଢ଼ିଥିଲା। ଦଳରେ ନେତାମାନେ ଗୌଣ ହୋଇଯାଇଥିଲା ବେଳେ ପ୍ରଶାସନରେ ବରିଷ୍ଠ ଅଧିକାରୀମାନେ କୋଣଠେସା ହୋଇଯାଇଥିଲେ। କୋଭିଡ୍ ସମୟରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନ ଆସିବା ବନ୍ଦ କରି ନବୀନ ନିବାସରୁ ଶାସନ କଲେ। ଆଉ ସବୁବେଳେ ପାଖରେ ଛାଇ ପରି ରହିଲେ ପାଣ୍ଡିଆନ। ୫-ଟି ପରି ଅସ୍ତିତ୍ବ ନଥିବା ଏକ ବିଭାଗର ସଚିବ ଭାବେ ତାଙ୍କୁ ଅବସ୍ଥାପିତ କରାଯାଇ ଆହୁରି କ୍ଷମତାଶାଳୀ କରାଗଲା। ସବୁ ବିଭାଗ ୫-ଟି ଅଧୀନକୁ ଆସିବା ପରେ ପାଣ୍ଡିଆନ ସର୍ବେସର୍ବା ହୋଇଗଲେ। ମୁଖ୍ୟମନ୍ତ୍ରୀ ମଧ୍ୟ ଏହାର କେ‌ବେ ପ୍ରତିବାଦ କରିନାହାନ୍ତି।

    ଗତ ବର୍ଷ ପାଣ୍ଡିଆନ ସାରା ଓଡ଼ିଶା ବୁଲି ବଡ଼ ବଡ଼ ସଭା କଲେ। ଶାସକ ଦଳ ନେତା, ବିଧାୟକମାନେ ସଭାକୁ ସଫଳ କରିବା ପାଇଁ ଲାଗିପଡ଼ିଲେ। ଚାକିରିରେ ଥାଇ ଏମିତି କରିବା ଘଟଣାକୁ ବିଭିନ୍ନ ମହଲ ସମାଲୋଚନା କରିଥିଲେ। ଏହାପରେ ୨୦୨୩ ଅକ୍ଟୋବରରେ ସେ ଚାକିରି ଛାଡ଼ିଥିଲେ। ମାସେ ପରେ ଅର୍ଥାତ ନଭେମ୍ବରରେ ସେ ବିଜେଡିରେ ଯୋଗ ଦେଇଥିଲେ। ଆଶ୍ଚର୍ଯ୍ୟ କଥା ପାଣ୍ଡିଆନ ଆଇଏଏସ୍ ଚାକିରି ଛାଡ଼ିଲା ପରେ ମୁଖ୍ୟମନ୍ତ୍ରୀଙ୍କର କେହି ବ୍ୟକ୍ତିଗତ ସଚିବ ବି ନିଯୁକ୍ତ ହୋଇ ନଥିଲେ। ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ସବୁ କାର୍ଯ୍ୟ ପାଣ୍ଡିଆନଙ୍କ ଦ୍ବାରା ନିୟନ୍ତ୍ରିତ ହେଉଥିଲା। ଓଡ଼ିଶାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶ୍ରେୟ ସେ ହିଁ ନେବାକୁ ଉଦ୍ୟମ କରିଥିଲେ। ଚଳିତ ନିର୍ବାଚନରେ ପାଣ୍ଡିଆନଙ୍କ ଭୂମିକା ସମସ୍ତଙ୍କୁ ଚକିତ କରିଥିଲା। ସେ ହିଁ ବିଜେଡି ଟିକେଟ୍ ବାଣ୍ଟିଥିଲେ। ବିଜେଡି ପକ୍ଷରୁ ୪୦ ଜଣିଆ ତାରକା ପ୍ରଚାରକ ତାଲିକା କରାଯାଇଥିଲେ ବି ମୁଖ୍ୟମନ୍ତ୍ରୀଙ୍କ ପରେ ପାଣ୍ଡିଆନଙ୍କ ସଭାକୁ ଦଳର ନେତାମାନେ ଗୁରୁତ୍ବ ଦେଇଥିଲେ। ପ୍ରାୟ ସବୁ ନିର୍ବାଚନମଣ୍ଡଳୀ ବୁଲି ସଭା କରିବା ସହ ରୋଡ୍ ସୋ’ କରିଥିଲେ। ଦଳର ବରିଷ୍ଠ ନେତାମାନଙ୍କୁ ନିଜ ନିଜ ଅଞ୍ଚଳରେ ସୀମିତ କରିଦିଆଯାଇଥିଲା। ଏବେ ପ୍ରଶ୍ନ ଉଠୁଛି, ସଫଳତାର ଶ୍ରେୟ ଯେବେ ପାଣ୍ଡିଆନଙ୍କ ଖାତାରେ ଗଲା, ବିଫଳତାର ଶ୍ରେୟ କିଏ ମୁଣ୍ଡାଇବେ?

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    28.7 ° C
    28.7 °
    28.7 °
    75 %
    2.5kmh
    71 %
    Sun
    29 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ