Sunday, March 29, 2026
25.2 C
Odisha

    ତୃତୀୟ ବିଶ୍ବଯୁଦ୍ଧ ଭୟ: ରୁଷ୍‌-ୟୁକ୍ରେନ ଯୁଦ୍ଧର ନୂଆ ପର୍ଯ୍ୟାୟ

    ଆଗକୁ ପଢନ୍ତୁ

    ମସ୍କୋ: ୟୁକ୍ରେନ-ରୁଷିଆ ଯୁଦ୍ଧର ୧୦୦୦ ଦିନ ଆଜି ପୂରିଛି ଏବଂ ଏହା ସହ ଯୁଦ୍ଧର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଅନୁମୋଦନର ଦୁଇ ଦିନ ପରେ ୟୁକ୍ରେନ ପ୍ରଥମ ଥର ପାଇଁ ରୁଷ୍‌ ଉପରକୁ ଆମେରିକା ନିର୍ମିତ ଦୂରଗାମୀ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଆମେରିକାର ଶକ୍ତିଶାଳୀ ‘ଏଟିଏସିଏମ୍‌ଏସ୍‌’ ଦୂରଗାମୀ କ୍ଷେପଣାସ୍ତ୍ର ୟୁକ୍ରେନ ବ୍ୟବହାର କରିଥିବା ବେଳେ ରୁଷ୍‌ ଏହାକୁ ଅତି ଗମ୍ଭୀରତାର ସହ ନେଇଛି। ରୁଷୀୟ ସେନାର ମୁଖ୍ୟ କ୍ଷେପଣାସ୍ତ୍ର ଏବଂ ଆର୍ଟିଲାରି ନିର୍ଦ୍ଦେଶାଳୟର ସାମରିକ ଘାଟିକୁ ଟାର୍ଗେଟ କରି ଆମେରିକା ନିର୍ମିତ କ୍ଷେପଣାସ୍ତ୍ରରେ ୟୁକ୍ରେନ ଆକ୍ରମଣ କରିଥିବା ରିପୋର୍ଟ ମିଳିଛି। ସୂଚନାଯୋଗ୍ୟ, ପୂର୍ବରୁ ରୁଷ୍ ଆମେରିକା ନିର୍ମିତ କ୍ଷେପଣାସ୍ତ୍ର ବ୍ୟବହାର ନ କରିବାକୁ ୟୁକ୍ରେନକୁ ଚେତାବନୀ ଦେଇଥିଲା। ତେବେ ୟୁକ୍ରେନ ଏହାକୁ ଭୃକ୍ଷେପ ନକରି ଏବେ ଦୂରଗାମୀ କ୍ଷେପଣାସ୍ତ୍ର ବ୍ୟବହାର କରିଥିବାରୁ ଏହା ଯୁଦ୍ଧର ନିଆଁକୁ ଆହୁରି ଉଗ୍ର ରୂପ ଦେଇଛି। ରୁଷ୍‌ ତା’ର ଯୁଦ୍ଧନୀତିର ପରିବର୍ତ୍ତନ ଆଣି ନିଜର ମହାଶକ୍ତିଶାଳୀ ହାଇପରସୋନିକ ଓ ସୁପରସୋନିକ୍‌ ରେଂଜ୍‌ର କ୍ଷେପଣାସ୍ତ୍ର ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛି। ଏଭଳି ପରିସ୍ଥିତିରେ ବିଶ୍ବ ତୃତୀୟ ବିଶ୍ବଯୁଦ୍ଧ ଆଡ଼କୁ ମୁହାଁଇବ ବୋଲି ଆଶଙ୍କା ପ୍ରକାଶ ପାଇଛି। ରୁଷ୍‌ ଓ ୟୁକ୍ରେନ୍‌ ଯୁଦ୍ଧକୁ ନିୟନ୍ତ୍ରଣରେ ରଖିବାକୁ ବିଶ୍ବ ନେତୃବୃନ୍ଦ ଯଥୋଚିତ ପଦକ୍ଷେପ ଗ୍ରହଣ ନକଲେ ସମଗ୍ର ବିଶ୍ବ ଭୟାନକ ବିପତ୍ତିର ସମ୍ମୁଖୀନ ହେବ ବୋଲି ବରିଷ୍ଠ ସାମରିକ କୂଟନୀତିଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।

    ରୁଷ୍‌ ବିରୋଧରେ ଆମେରିକୀୟ ଅସ୍ତ୍ରଶସ୍ତ୍ର ବ୍ୟବହାରକୁ ବାଇଡେନ ଅନୁମୋଦନ ଦେବାର ଦୁଇ ଦିନ ପରେ ୟୁକ୍ରେନର ଆତ୍ମଘାତୀ ପଦକ୍ଷେପ ପୂରା ବିଶ୍ବର ବିପଦ ବଢ଼ାଇ ଦେଇଛି। ରୁଷ୍‌ର କାରାଚେଭ ଉପରେ ଆମେରିକାର ଦୂରଗାମୀ କ୍ଷେପଣାସ୍ତ୍ର ମାଡ଼ ହୋଇଥିବା ଜଣାପଡ଼ିବା ମାତ୍ରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଏକ ଜରୁରୀ ବୈଠକରେ ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି ଏବଂ ରୁଷ୍‌ ନିଜର ସୁରକ୍ଷା ପାଇଁ ଅତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଚେତାବନୀ ଦେଇଛନ୍ତି। ଆଗକୁ ଆମେରିକାରେ ରିପବ୍ଲିକାନ ପାର୍ଟି ନେତା ଡୋନ୍‌ଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଦାୟିତ୍ବ ନେବାକୁ ଯାଉଥିବା ବେଳେ ଏହା ପୂର୍ବରୁ ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପଦକ୍ଷେପ ଏକ ନୂଆ ଯୁଦ୍ଧର ଅୟମାରମ୍ଭ କରିଛି। ବାଇଡେନଙ୍କ ଏଭଳି ନିଷ୍ପତ୍ତିରେ ୟୁରୋପୀୟ ରାଷ୍ଟ୍ରମାନେ ଆତଙ୍କିତ ହୋଇ ରହିଛନ୍ତି। ସୂଚନାଯୋଗ୍ୟ, ରୁଷ୍‌ରେ ଉତ୍ତର କୋରିଆର ୧୦ ହଜାରରୁ ଅଧିକ ସୈନ୍ୟ ମୁତୟନ ହେବା ଏବଂ ସେମାନଙ୍କୁ ୟୁକ୍ରେନ ପଠାଯିବା ପରେ ଆମେରିକା ସ୍ଥିତି ସମୀକ୍ଷା କରିଥିଲା ଏବଂ ଦୂରଗାମୀ କ୍ଷେପଣାସ୍ତ୍ର ବ୍ୟବହାର ପାଇଁ ଅନୁମୋଦନ କରିଥିଲା।

    ଆମେରିକା ନିର୍ମିତ କ୍ଷେପଣାସ୍ତ୍ର ୟୁକ୍ରେନ ରୁଷ୍‌ ବିରୋଧରେ ପ୍ରୟୋଗ କରିବା ପରେ ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ ଡୋନାଲ୍ଡ ଟ୍ରମ୍ପ ଜୁନିୟର କହିଛନ୍ତି ଯେ ୨୦୨୫ ଜାନୁଆରି ୨୦ରେ ତାଙ୍କ ପିତା ରାଷ୍ଟ୍ରପତି ପଦକୁ ଫେରିବା ପୂର୍ବରୁ ବାଇଡେନ ପ୍ରଶାସନ ୟୁକ୍ରେନକୁ ନେଇ ପକ୍ଷପାତ ନୀତି ଅବଲମ୍ବନ କରିଛି ଏବଂ ଏକ ବଡ଼ ସଂଘର୍ଷ ଆରମ୍ଭ କରିବାର ରାସ୍ତା ଖୋଲି ଦିଆଯାଇଛି। ଏହି ପରିସ୍ଥିତି ନେଇ ପ୍ରତିକ୍ରିୟା ପ୍ରକାଶ କରି ଚୀନ୍ କହିଛି ଯେ ଖୁବ୍‌ ଶୀଘ୍ର ଅସ୍ତ୍ରବିରତି ଏବଂ ରାଜନୈତିକ ସମାଧାନ ପାଇଁ ଉଦ୍ୟମ ହେବା ଆବଶ୍ୟକ। ୟୁକ୍ରେନ ରାଷ୍ଟ୍ରପତି ବୋଲ୍‌ଡିମିର ଜେଲେନସ୍କି କହିଛନ୍ତି, ୨୪ ଘଣ୍ଟା ଭିତରେ ରୁଷ୍‌ ମୋଟ ୧୨୦ଟି କ୍ଷେପଣାସ୍ତ୍ର ଏବଂ ୯୦ଟି ଡ୍ରୋନ୍ ନିକ୍ଷେପ କରିଛି। ଏହି ଆକ୍ରମଣରେ ବିଭିନ୍ନ ପ୍ରକାର ଡ୍ରୋନ୍ ସହ କ୍ରୁଜ୍ ଓ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ସାମିଲ ଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.2 ° C
    25.2 °
    25.2 °
    30 %
    1kmh
    0 %
    Sun
    39 °
    Mon
    41 °
    Tue
    39 °
    Wed
    39 °
    Thu
    41 °

    ସମ୍ବନ୍ଧିତ