Wednesday, March 11, 2026
29.1 C
Odisha

    ଅବକାରୀ ବିଭାଗରେ ଖୋଲିବ ପ୍ରସିକ୍ୟୁସନ୍ ୟୁନିଟ୍‌

    ଆଗକୁ ପଢନ୍ତୁ

    କଟକ: ଓଡ଼ିଶାରେ ଅବକାରୀ ବିଭାଗରେ ଅବକାରୀ ମାମଲାର ଶୁଣାଣି ପ୍ରକ୍ରିୟାକୁ ଅନୁଧ୍ୟାନ କରିବାକୁ ପୁଲିସ ଭଳି ପ୍ରସିକ୍ୟୁସନ ୟୁନିଟ୍ ନାହିଁ। ଯାହାଫଳରେ କୋର୍ଟରେ ମାମଲା ପରିଚାଳନା ଠିକ୍ ଭାବେ କରାଯାଇପାରୁନାହିଁ। ସାକ୍ଷୀ, ପ୍ରମାଣ, କେମିକାଲ୍ ପରୀକ୍ଷା ରିପୋର୍ଟ ଠିକ୍ ସମୟରେ କୋର୍ଟରେ ଦାଖଲ ହୋଇପାରୁନାହିଁ। ସମନ୍ବୟ ଅଭାବରୁ କୋର୍ଟରେ ବୟାନ ବଦଳାଇ ଦେଉଛନ୍ତି ସାକ୍ଷୀ। ଯେଉଁଥି ପାଇଁ ଅବକାରୀ ମାମଲାରେ ନିର୍ଦ୍ଦୋଷ ସାବ୍ୟସ୍ତ ହାର ବୃଦ୍ଧି ପାଉଛି।

    ଏଭଳି ପରିସ୍ଥିତିର ମୁକାବିଲା ଲାଗି ଅବକାରୀ ବିଭାଗ ଜିଲ୍ଲା ଓ ସ୍ପେସାଲ୍‌ ସ୍କ୍ବାଡ୍‌ ପାଇଁ ୩୭ଟି ପ୍ରସିକ୍ୟୁସନ୍ ୟୁନିଟ୍ ଖୋଲିବାକୁ ଯାଉଛି। ବିଭାଗ ଆରମ୍ଭର ୧୦୯ ବର୍ଷ ପରେ ଏହା କାର୍ଯ୍ୟକାରୀ ହେବାକୁ ଯାଉଛି। ବିହାର ସହିତ ୧୯୧୫ରୁ ଏକାଠି ଥିବା ଅବକାରୀ ବିଭାଗ ୧୯୩୬ ଏପ୍ରିଲରେ ସ୍ବତନ୍ତ୍ର ଓଡ଼ିଶା ଗଠନ ପରେ ପୃଥକ ହୋଇଥିଲା। ତା’ ପରଠାରୁ ଅବକାରୀ ବିଭାଗରେ ଓଡ଼ିଶା ପୁଲିସ ଭଳି ସ୍ବତନ୍ତ୍ର ପ୍ରସିକ୍ୟୁସନ୍ ୟୁନିଟ୍ ନାହିଁ। ଓଡ଼ିଶା ପୁଲିସ, ଭିଜିଲାନ୍ସ ପକ୍ଷରୁ ପ୍ରତି ସବ୍-ଡିଭିଜନାଲ୍ କୋର୍ଟରେ ଜଣେ ଏସ୍‌ଆଇ ଓ ଦୁଇ କନଷ୍ଟେବଳ ନିଯୁକ୍ତ ହୋଇଛନ୍ତି। ଏମାନେ ପ୍ରତ୍ୟେକ ମାମଲା ସଂକ୍ରାନ୍ତ ତଥ୍ୟ ରେଜିଷ୍ଟରରେ ଉଲ୍ଲେଖ କରୁଛନ୍ତି।ପ୍ରତି ମାସରେ ଥରେ ପ୍ରତ୍ୟେକ ମାମଲାରେ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ଓ ଦୋଷୀ ସାବ୍ୟସ୍ତ ସଂକ୍ରାନ୍ତରେ ତଥ୍ୟ ଜିଲ୍ଲା ଏସ୍‌ପିଙ୍କ ନିକଟରେ ଦାଖଲ କରୁଛନ୍ତି। ଯାହାଫଳରେ ପୁଲିସ ବିଫଳ ହେଉଥିବା ମାମଲାର ସମୀକ୍ଷା କରାଯାଇପାରୁଛି ଏବଂ ପରବର୍ତ୍ତୀ ସମୟରେ ଏହା ତଦନ୍ତ ପ୍ରକ୍ରିୟାକୁ ଅଧିକ ସୁଦୃଢ଼ କରିବା ସହ କୋର୍ଟରେ ବିଚାର ପ୍ରକ୍ରିୟାକୁ ତ୍ବରାନ୍ବିତ କରିପାରୁଛି। କିନ୍ତୁ ଏ ପ୍ରକାର ବ୍ୟବସ୍ଥା ଅବକାରୀ ବିଭାଗରେ ଆରମ୍ଭରୁ ନାହିଁ। ଅବକାରୀ ବିଭାଗରେ ପ୍ରସିକ୍ୟୁସନ୍‌ ୟୁନିଟ୍ ନଥିବାରୁ ପ୍ରତ୍ୟେକ ମାମଲାରେ ତଥ୍ୟ ରଖିବା ସମ୍ଭବପର ହୋଇପାରୁନାହିଁ। ଅବକାରୀ ମାମଲାରେ ଦୋଷୀ ସାବ୍ୟସ୍ତ ହାର ପୁଲିସଠାରୁ ଏତେ କମ୍ ଯେ ବର୍ତ୍ତମାନ ଏହା ଚିନ୍ତାଜନକ ପ୍ରସଙ୍ଗ ହୋଇଛି।ଏଭଳି ପରିସ୍ଥିତିର ମୁକାବିଲା ପାଇଁ ଅବକାରୀ କମିସନର୍‌ ନରସିଂହ ଭୋଳ ୩୩ ଅବକାରୀ ଏସ୍‌ପିଙ୍କ କାର୍ଯ୍ୟାଳୟ, ୩ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ, ଅବକାରୀ କମିସନର୍‌ ଅଧୀନରେ ଥିବା ଗୋଟିଏ ରାଜ୍ୟସ୍ତରୀୟ ଫ୍ଲାଇଂ ସ୍କ୍ବାଡ୍‌ ପାଇଁ ଗୋଟିଏ ଲେଖା ପ୍ରସିକ୍ୟୁସନ୍ ୟୁନିଟ୍‌ ଖୋଲିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପ୍ରତି ପ୍ରସିକ୍ୟୁସନ୍‌ ୟୁନିଟ୍ ପାଇଁ ଜଣେ ଲେଖାଏଁ ଏସ୍‌ଆଇ, ଏଏସ୍‌ଆଇ ଓ କନଷ୍ଟେବଳ ରହିବେ। ଏଥିପାଇଁ ମୋଟ ୧୧୧ ଜଣଙ୍କୁ ନିଯୁକ୍ତି ଦିଆଯିବ। ଏହି ପ୍ରସିକ୍ୟୁସନ୍ ୟୁନିଟ୍‌ ଏଣିକି ମାମଲାର ଶୁଣାଣି ପ୍ରକ୍ରିୟାକୁ ଅନୁଧ୍ୟାନ କରିବ।

    ଅବକାରୀ ମାମଲାରେ ଗିରଫ ସାକ୍ଷୀ ଠିକ୍ ସମୟରେ କୋର୍ଟରେ ହାଜର ହେଉଛନ୍ତି କି ନାହିଁ ଏବଂ ଅବକାରୀ ଅଧିକାରୀଙ୍କ ସାମନାରେ ତଦନ୍ତ ସମୟରେ ଦେଇଥିବା ବୟାନ ଯେଭଳି ଦୋହରାଇବେ, ବୟାନ ବଦଳାଇବେ ନାହିଁ, ତାହାକୁ ନିଶ୍ଚିତ କରିବେ। ଅବକାରୀ ମାମଲାରେ ଜବତ ହୋଇଥିବା ନିଶା ସାମଗ୍ରୀ ଏବଂ ଯାନବାହନ କୋର୍ଟରେ ଠିକ୍ ସମୟରେ ଦାଖଲ କରିବା ଏବଂ ଜବତ ନିଶା ସାମଗ୍ରୀର କେମିକାଲ୍ ପରୀକ୍ଷା ରିପୋର୍ଟ କୋର୍ଟରେ ଠିକ୍ ସମୟରେ ଦାଖଲ ପ୍ରକ୍ରିୟାକୁ ନିଶ୍ଚିତ କରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.1 ° C
    29.1 °
    29.1 °
    20 %
    2.6kmh
    0 %
    Wed
    31 °
    Thu
    38 °
    Fri
    39 °
    Sat
    40 °
    Sun
    37 °

    ସମ୍ବନ୍ଧିତ