Friday, May 1, 2026
26.3 C
Odisha

    ଆଉ ନାହାନ୍ତି କବି ରାଜେନ୍ଦ୍ର କିଶୋର ପଣ୍ଡା

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଓଡ଼ିଆ କବି ରାଜେନ୍ଦ୍ର କିଶୋର ପଣ୍ଡା ଆଉନାହାନ୍ତି। ଶୁକ୍ରବାର ପୂର୍ବାହ୍ନ ସାଢ଼େ ୧୧ଟାରେ ଭୁବନେଶ୍ବର ୟୁନିଟ୍‌-୬ସ୍ଥିତ ବନଜା ଆପାର୍ଟମେଣ୍ଟର ନିଜ ବାସଭବନରେ ତାଙ୍କର ପରଲୋକ ଘଟିଛି। ତାଙ୍କୁ ୮୨ ବର୍ଷ ହୋଇଥିଲା। ଗତ ମାସରେ ଅସୁସ୍ଥତା କାରଣରୁ ସେ ଏକ ଘରୋଇ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ଗତ ୫ ତାରିଖରେ ସୁସ୍ଥ ହୋଇ ଘରକୁ ଫେରିଥିଲେ। କିନ୍ତୁ ଅତ୍ୟଧିକ ଦୁର୍ବଳ ଓ ନିଷ୍କ୍ରିୟ ହୋଇ ପଡ଼ିଥିଲେ। ଅଳ୍ପ ଚଲାବୁଲା କରୁଥିଲେ, ବିଶେଷ ଖାଦ୍ୟଦ୍ରବ୍ୟ ଗ୍ରହଣ କରୁନଥିଲେ। ତରଳ ଖାଦ୍ୟ ଖାଉଥିଲେ। ଦୁର୍ବଳତା ଓ ଅସୁସ୍ଥତା କାରଣରୁ ଆଜି ତାଙ୍କର ମୃତ୍ୟୁ ଘଟିଛି। ଶେଷଶଯ୍ୟା ନିକଟରେ ତାଙ୍କର ଦୁଇ ଝିଅ ମନୀଷା ଓ ନିମିଷାଙ୍କ ସମେତ ଦୁଇ ଜାମାତା ଓ ନାତି ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁ ଖବର ଶୁଣି ବହୁ ପ୍ରବୀଣ ଓ ତରୁଣ ଲେଖକ ଶେଷ ଦର୍ଶନ ନିମନ୍ତେ ତାଙ୍କ ବାସଭବନକୁ ଛୁଟିଥିଲେ। ଗତମାସରେ ତା‌ଙ୍କ ପତ୍ନୀଙ୍କ ବିୟୋଗ ହୋଇଥିଲା। ସ୍ବର୍ଗତ ପଣ୍ଡା ଜୀବିତାବସ୍ଥାରେ ନିଜର ସମସ୍ତ ଅଙ୍ଗଦାନ କରିଥିଲେ। ଏଣୁ ଡାକ୍ତରମାନେ ତାଙ୍କ ବାସଭବନରରେ ପହଞ୍ଚି ଚକ୍ଷୁ ସମେତ ଅନ୍ୟାନ୍ୟ ଅଙ୍ଗ ସଂରକ୍ଷିତ କରିନେଇଥିଲେ। ପରେ ତାଙ୍କ ଶରୀରକୁ ଏମ୍‌ସକୁ ହସ୍ତାନ୍ତର କରାଯାଇଥିଲା। ଓଡ଼ିଶା ପୁଲିସ ବାହିନୀ ପକ୍ଷରୁ ସ୍ବର୍ଗତ ପଣ୍ଡାଙ୍କ ମରଶରୀରକୁ ଗାର୍ଡ ଅଫ୍‌ ଅନର୍‌ ଦିଆଯାଇଥିଲା। ସ୍ବର୍ଗତ ପଣ୍ଡାଙ୍କ ପରଲୋକରେ ସାହିତ୍ୟ ଜଗତରେ ଶୋକର ଛାୟା ଖେଳିଯାଇଛି। ବହୁ ବିଶିଷ୍ଟ ବ୍ୟକ୍ତି ଏକ୍ସରେ ଶୋକବାର୍ତ୍ତା ମାଧ୍ୟମରେ ସ୍ବର୍ଗତ ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ୍ସରେ ଶୋକବ୍ୟକ୍ତି କରି ଉଲ୍ଲେଖ କରିଛନ୍ତି, ସ୍ବର୍ଗତ ପଣ୍ଡାଙ୍କ ବିୟୋଗରେ ଓଡ଼ିଶା ମାଟି ସାହିତ୍ୟ ଜଗତର ଜଣେ ଉଜ୍ଜ୍ୱଳ ତାରକାଙ୍କୁ ହରାଇଲା। ସାହିତ୍ୟ କ୍ଷେତ୍ରରେ ତାଙ୍କର ଅବଦାନ ଚିର ସ୍ମରଣୀୟ ହୋଇରହିବ। ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ସେ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ରାଜେନ୍ଦ୍ର ପଣ୍ଡାଙ୍କ ବି‌ୟୋଗରେ ଶୋକପ୍ରକାଶ କରିଛନ୍ତି।

    ପୂର୍ବତନ ମୁଖ୍ୟ ଶାସନ ସଚିବ ଯୁଗଳ କିଶୋର ମହାପାତ୍ର, କବି ପ୍ରସନ୍ନ ପାଟ୍ଟଶାଣୀ, ଗୌରହରି ଦାସ, ମମତା ଦାଶ, ଆଶୁତୋଷ ପରିଡ଼ା, ସୁଧୀର ମଉଡ଼ମଣି, ସୂର୍ଯ୍ୟ ମିଶ୍ର, ରବୀନ୍ଦ୍ର କୁମାର ସ୍ବାଇଁ, କେଦାର ମିଶ୍ର, ଅଭିରାମ ବିଶ୍ବାଳ, ଶଙ୍କର ନାରାୟଣ ମଲ୍ଲିକ, ରକ୍ଷକ ନାୟକ, ସୁଲେଖା ସାମନ୍ତରାୟ, ପ୍ରମୋଦ ପଣ୍ଡା, ଶଶାଙ୍କ ଚୂଡ଼ାମଣି, ପବିତ୍ର ମୋହନ କର, ଶୁଭ୍ରାଂଶୁ ପଣ୍ଡା, ଭରଦ୍ବାଜ ମିଶ୍ର, ପ୍ରଦୀପ ବିଶ୍ବାଳ ପ୍ରମୁଖ ବହୁ ତରୁଣ ଓ ଯୁବ ସାହିତ୍ୟିକ ତଥା ଓଡ଼ିଶା ସାହିତ୍ୟ ଏକାଡେମିର ସଚିବ ଚନ୍ଦ୍ରଶେଖର ହୋତା ଓ ରାଜ୍ୟ ଅଙ୍ଗଦାନ ସମିତିର ଅଧ୍ୟକ୍ଷ ପ୍ରଭାତ ଆଚାର୍ଯ୍ୟ ସ୍ବର୍ଗତ ପଣ୍ଡାଙ୍କ ଶେଷ ଦର୍ଶନ ପାଇଁ ତାଙ୍କ ବାସଭବନରେ ପହଞ୍ଚି ‌ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ୧୯୪୪ ଜୁନ୍ ୨୪ ତାରିଖରେ ଅବିଭକ୍ତ ସମ୍ବଲପୁର ଜିଲ୍ଲାର ବତଲଗା ଗାଁରେ ସ୍ବର୍ଗତ ପଣ୍ଡା ଜନ୍ମଗ୍ରହଣ କରିଥିଲେ। ସେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ। ୧୯୭୪ରେ ଶ୍ରୀ ପଣ୍ଡାଙ୍କର ପ୍ରଥମ କବିତା ସଂକଳନ ‘ଗୌଣ ଦେବତା’ ପ୍ରକାଶ ପାଇଥିଲା। ତାଙ୍କର ୧୬ଟି କବିତା ସଂକଳନ ପ୍ରକାଶ ପାଇଛି l ଏଥିସହ ସେ ଦୁଇଟି ଉପନ୍ୟାସର ବି ରଚୟିତା। ସ୍ବର୍ଗତ ପଣ୍ଡା ୧୯୬୭ରୁ ୨୦୦୪ ଯାଏ ଭାରତୀୟ ପ୍ରଶାସନିକ ସେବାରେ ବିଭିନ୍ନ ପଦପଦବିରେ ଅଧିଷ୍ଠିତ ହୋଇଥିଲେ। ୧୯୮୫ ମସିହାରେ କବିତା ‘ଶୈଳକଳ୍ପ’ ପାଇଁ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି ୨୦୦୪ରେ ‘ବିଷୁବ ପୁରସ୍କାର’, ୨୦୨୧ରେ ‘ସାରଳା ସମ୍ମାନ’, ୨୦୧୨ରେ ‘ଗଙ୍ଗାଧର ଜାତୀୟ ସମ୍ମାନ’, ୧୯୯୫ରେ ‘ଶାରଳା ପୁରସ୍କାର’, ୧୯୯୪ରେ ‘ଝଙ୍କାର ପୁରସ୍କାର’, ୨୦୦୪ ‘ସାହିତ୍ୟ ଭାରତୀ ସମ୍ମାନ’, ୨୦୦୫ରେ ‘ସଚି ରାଉତରାୟ ପୁରସ୍କାର’ ଭଳି ଅନେକ ପୁରସ୍କାର ଓ ସମ୍ମାନ ପ୍ରାପ୍ତ କରିଥିଲେ ସ୍ବର୍ଗତ ପଣ୍ଡା।
    ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ଲିଖିତ ୧୬ଟି କବିତା ସଂକଳନଗୁଡ଼ିକ ହେଲା; ‘ଗୌଣ ଦେବତା’, ‘ଅନାବତାର’, ‘ଘୁଣାକ୍ଷର’, ‘ଶତ୍ରଦ୍ରୁ ଅନେକ’, ‘ନିଜ ପାଇଁ ନାନାବାୟା’, ‘ଚଉକାଠରେ ଚିରକାଳ’, ‘ଶୈଳକଳ୍ପ’, ‘ଅନ୍ୟା’, ‘ବହୁବ୍ରୀହି’, ‘ବୋଧି-ନଭ’, ‘ଇଶାଖେଳ’, ‘ଦ୍ରୋହବାକ୍ୟ’, ‘ଦୁଜା ନାରୀ’, ‘ବୈରାଗୀ ଭ୍ରମର’, ‘ସତ୍ୟୋତ୍ତର’ ଓ ‘ବହ୍ୱାରମ୍ବେ’।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    26.3 ° C
    26.3 °
    26.3 °
    67 %
    0.4kmh
    51 %
    Fri
    40 °
    Sat
    41 °
    Sun
    41 °
    Mon
    40 °
    Tue
    36 °

    ସମ୍ବନ୍ଧିତ