Thursday, March 5, 2026
35.6 C
Odisha

    ଆଜିଠୁ ବ୍ଲାକ୍ ସ୍ବାନ୍ ସମ୍ମିଳନୀ : ଯୋଗଦେବେ ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାଜଧାନୀରେ ଆଜି ଆରମ୍ଭ ହେଉଥିବା ଦୁଇ ଦିନିଆ ବ୍ଲାକ୍ ସ୍ବାନ୍ ସମ୍ମିଳନୀ ଓଡ଼ିଶାରେ ଫିନଟେକ୍ କ୍ଷେତ୍ରରେ ସମ୍ଭାବନାର ନୂଆ ଦ୍ବାର ଉନ୍ମୁକ୍ତ କରିବ। ଡିଜିଟାଲ ଫାଇନାନ୍ସ କ୍ଷେତ୍ରରେ ପାରଙ୍ଗମ ବିଶ୍ବର ଶତାଧିକ ନେତୃତ୍ବ ଏବଂ ପ୍ରତିନିଧି ଯୋଗ ଦେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଥିରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ବୁଧବାର ସାମ୍ବାଦିକ ସମ୍ମିଳନୀରେ ଇଲେ‌େ‌କ୍ଟ୍ରାନିକସ୍ ଓ ଆଇଟି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ବିଶାଲ ଦେବ କହିଛନ୍ତି, ଗତ ବର୍ଷ ଜାନୁଆରୀରେ ସିଙ୍ଗାପୁର ରାଷ୍ଟ୍ରପତି ଏଠାକୁ ଆସିଥିବା ସମୟରେ ୮ଟି ଏମଓୟୁ ସ୍ବାକ୍ଷର ହୋଇଥିଲା। ଏଥିରୁ ଅଦ୍ୟାବଧି ଗୋଟିଏ ଏମଓୟୁ କାର୍ଯ୍ୟକାରୀ ହୋଇଛି। ଗତ ବର୍ଷ ଅଗଷ୍ଟରେ ଏହାର ଶୁଭାରମ୍ଭ କରାଯାଇ ପ୍ରବେଶିକା ପରୀକ୍ଷା ମାଧ୍ୟମରେ ସାରା ଓଡ଼ିଶାରୁ ବାଣିଜ୍ୟ ଓ ବିଜ୍ଞାନର ୩୮୫ ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଇଥିଲା। ସେଥିରୁ ୧୯୫ ଜଣ ପାଠ୍ୟକ୍ରମ ଶେଷ କରିଛନ୍ତି।

    କୃତି ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୬୦ ଜଣଙ୍କୁ ଫିନଟେକ୍ କ୍ଷେତ୍ରରେ ନିଯୁକ୍ତି ମିଳିଛି। ଆଉ ୭ ଜଣ ଜାପାନ ଓ ୬ ଜଣ ସିଙ୍ଗାପୁର ଯିବେ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଅଂଶ ହେଉଛି ଆମ ପିଲାଙ୍କ ମଧ୍ୟରେ ଦକ୍ଷତା ବୃଦ୍ଧି କରିବା। ସମ୍ମିଳନୀରେ ବିଶ୍ବର ୨୪ ଦେଶରୁ ୧୭୦୦ ଅତିଥି ଏବଂ ୫ ଦେଶରୁ ପ୍ରାୟ ୧୦୦ ଜଣ ବକ୍ତା ଯୋଗଦେବେ। ଭାରତ ନେତ୍ର କାର୍ଯ୍ୟକ୍ରମ ଅଧୀନରେ ସିଙ୍ଗାପୁରର ଗ୍ଲୋବାଲ ଫାଇନାନ୍ସ ଆଣ୍ଡ ଟେକ୍ନୋଲୋଜି ନେଟୱାର୍କ (ଜିଏଫ୍‌ଟିଏନ) ସହାୟତାରେ ରାଜ୍ୟ ସରକାର ଏହି ସମ୍ମିଳନୀ ଆୟୋଜନ କରୁଛନ୍ତି। ଏହା ଜରିଆରେ ଭୁବନେଶ୍ବରକୁ ବିଶ୍ବସ୍ତରୀୟ ଏଆଇ ଫିନଟେକ୍, ଇନସ୍ୟୁଓର ଟେକ୍ ହବ୍‌ରେ ପରିଣତ କରିବା ପାଇଁ ଲକ୍ଷ୍ୟ ରଖିଛୁ। ପୁଞ୍ଜିନିବେଶ ଓ କର୍ମନିଯୁକ୍ତିରେ ବ୍ୟାପକ ସମ୍ଭାବନା ସୃଷ୍ଟି ହେବ।

    ଆମର ଉଦ୍ଦେଶ୍ୟ କେବଳ ବିଶ୍ବ ଡିଜିଟାଲ ଅର୍ଥନୀତି କ୍ଷେତ୍ରରେ ପାଦ ଥାପିବା ନୁହେଁ ବରଂ ଏଥିପାଇଁ ମାର୍ଗ ପ୍ରସ୍ତୁତ କରି ବିକଶିତ ଭାରତ ସ୍ବପ୍ନକୁ ସାକାର କରିବା ବୋଲି ସେ କହିଥିଲେ। ଜିଏଫଟିଏନ୍ ସିଇଓ ସ୍ବପ୍ନେନ୍ଦୁ ମହାନ୍ତି କହିଲେ, ବିଶ୍ବ ଡିଜିଟାଲ ଅର୍ଥନୀତି ଦିଗରେ ଓଡ଼ିଶା ଆଗକୁ ବଢ଼ୁଛି। ଆମର ୧୩୦ଟି ଦେଶରେ କାରବାର ଥିବା ହେତୁ ଉଦ୍ଭାବକ, ନୀତି ନିର୍ଦ୍ଧାରକ ଓ ନିବେଶକଙ୍କ ସହ ଓଡ଼ିଶାର ସିଧାସଳଖ ସମ୍ପର୍କ ସ୍ଥାପନ ହେବ। ଏହା ଉପରେ ଏବେଠାରୁ କାମ ଆରମ୍ଭ ହୋଇସାରିଛି। ଅଧିକରୁ ଅଧିକ ଯୁବଶକ୍ତିର ଦକ୍ଷତା ବିନିଯୋଗ ସହ ପୁଞ୍ଜିନିବେଶ ଆସିବ ବୋଲି ସେ କହିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.6 ° C
    35.6 °
    35.6 °
    10 %
    4.2kmh
    3 %
    Thu
    34 °
    Fri
    37 °
    Sat
    38 °
    Sun
    38 °
    Mon
    38 °

    ସମ୍ବନ୍ଧିତ