Wednesday, March 18, 2026
23.6 C
Odisha

    ପିସିସି ସଭାପତିଙ୍କ ନିଲମ୍ବନ, ବହିଷ୍କାର ଆଦେଶ ପ୍ରତ୍ୟାହାର ପରେ: ନଡ଼ିଆ ବାଡ଼େଇ କଂଗ୍ରେସ ଭବନକୁ ଗଲେ ସୁର

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ପିସିସି ସଭାପତି ଭାବେ ଘୋଷଣା ହେବା ପରେ ଭକ୍ତଚରଣ ଦାସ ଗତକାଲି ସବୁ ନିଲମ୍ବନ ଓ ବହିଷ୍କାର ଆଦେଶକୁ ପ୍ରତ୍ୟାହାର କରିନେଇଛନ୍ତି। ଏହାସହ ଯେଉଁମାନେ କଂଗ୍ରେସ ଛାଡ଼ିଛନ୍ତି, ସେମାନଙ୍କୁ ପୁନର୍ବାର ଦଳକୁ ଫେରିବା ଲାଗି ନିବେଦନ କରିଛନ୍ତି। ଏହାର ଦିନକ ପରେ ବହିଷ୍କୃତ ହୋଇଥିବା ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ ଆଜି ନିଜର ସମର୍ଥକଙ୍କ ସହ କଂଗ୍ରେସ ଭବନରେ ପ୍ରବେଶ କରିଛନ୍ତି। କଂଗ୍ରେସ ଭବନକୁ ଫେରି ସୁର ଭାବବିହ୍ବଳ ହୋଇ କାନ୍ଦି ପକାଇଥିଲେ। ସୁରଙ୍କ ଘରବାହୁଡ଼ା ପରେ ଆଉ କିଛି ନେତା କଂଗ୍ରେସ ଫେରିପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଗଲାଣି।

    ସୁର ଆଜି ବାଜା ବଜାଇ କଂଗ୍ରେସ ଭବନରେ ପହଞ୍ଚିଥିଲେ। ବଡ଼ପୁଅ ସିଦ୍ଧାର୍ଥ ରାଉତରାୟ ତାଙ୍କ ଦେହରେ କଂଗ୍ରେସ ପତାକା ବାନ୍ଧି ଦେଇଥିବା ବେଳେ ସେ ନଡ଼ିଆ ବାଡ଼େଇ ଥିଲେ। କଂଗ୍ରେସ ଭବନକୁ ମୁଣ୍ଡିଆ ମାରି ଭିତରକୁ ଯାଇଥିଲେ। ସେଠାରେ ନିଜ ସମର୍ଥକଙ୍କୁ ମିଠା ଖୁଆଇଥିଲେ। ସୁର କହିଛନ୍ତି, ଆଜି ମୁଁ ନିଜ ଘରକୁ ୯ମାସ ପରେ ଫେରିଛି। ରାହୁଲ, ଖଡ଼୍‌ଗେ ଓ ଭକ୍ତ ଦାସଙ୍କୁ ଧନ୍ୟବାଦ। ଅନ୍ୟାୟରେ ମୋତେ କାଢ଼ି ଦିଆଯାଇଥିଲା। ୯ ମାସ ପାଇଁ ବହୁ ଯନ୍ତ୍ରଣା ଭୋଗିଛି, ହେଲେ ସଂଗଠନ ଛାଡ଼ିନାହିଁ। ଭୁବନେଶ୍ବରରୁ ପ୍ରଥମେ କଂଗ୍ରେସକୁ ସୁଦୃଢ଼ କରାଯିବ। ଏହି ସମୟରେ ଭାବବିହ୍ବଳ ହୋଇ କାନ୍ଦି ପକାଉଥିବା ସୁରଙ୍କ ଆଖିରୁ ପୁଅ ସିଦ୍ଧାର୍ଥ ଲୁହ ପୋଛି ଦେଇଥିଲେ। ସିଦ୍ଧାର୍ଥ କହିଛନ୍ତି, କଂଗ୍ରେସ ଭବନକୁ ଆସିପାରୁ ନ ଥିବାରୁ ଘରେ ମୁହଁ ଶୁଖାଇ ବସୁଥିଲେ। ତାଙ୍କର ଦୈନିନ୍ଦିନ ଜୀବନରେ କଂଗ୍ରେସ ରହିଛି। ଭକ୍ତ ବାବୁଙ୍କ ପାଇଁ କଂଗ୍ରେସର ଭକ୍ତ କଂଗ୍ରେସକୁ ଫେରିଛନ୍ତି।

    ସେହିପରି କଂଗ୍ରେସ ଛାଡ଼ି ବିଜେଡି‌ରେ ଯୋଗ ଦେଇଥିବା ପ୍ରଫୁଲ୍ଲ ମାଝୀ ପୁରୁଣା ନେତାଙ୍କୁ କ‌ଂଗ୍ରେସ ଫେରିବା ଉପରେ ପ୍ରତିକ୍ରିୟା ରଖିଛନ୍ତି। ଶ୍ରୀ ମାଝୀ ଗଣମାଧ୍ୟମକୁ କହିଛନ୍ତି, ଭକ୍ତ ବାବୁ ଜଣେ ଅନୁଭବୀ ନେତା। ଯେଉଁମାନେ କଂଗ୍ରେସ ଛାଡ଼ିଛନ୍ତି ସେମାନଙ୍କୁ ଫେରିବା ଲାଗି ସଭାପତି ନିବେଦନ କରିଛନ୍ତି। କଂଗ୍ରେସ ଛାଡ଼ିବାର ଅନେକ କାରଣ ଥିଲା। ବିଜେଡି କ୍ଷମତାରେ ଥିବାରୁ ଅନେକ ଲଲିପପ୍ ଦେଖାଇଥିଲା। ମାତ୍ର ଦଳରେ ଯୋଗ ଦେବା ପରେ ଦଳ ଉପଯୁକ୍ତ ନ ଥିବା ଅନୁଭବ ହେଲା। ଯେଉଁଥି ପାଇଁ ଦଳ ପରିବର୍ତ୍ତନ କରିଥିଲି, ସେଥିରେ ନା ମୋର କ’ଣ କାମ ହେଲା ନା ଲୋକଙ୍କର କାମ ହେଲା। ତେବେ ମୁଁ ଗୋଟିଏ ଦଳରେ ଅଛି। ସେଠାରୁ ମୁକ୍ତି ନ ପାଇବା ପର୍ଯ୍ୟନ୍ତ ପରବର୍ତ୍ତୀ କାର୍ଯ୍ୟପନ୍ଥା ସଂପର୍କରେ କିଛି କହିପାରିବି ନାହିଁ। ଅପରପକ୍ଷରେ ନୂଆ ସଭାପତିଙ୍କୁ ସ୍ବାଗତ କରିବା ଲାଗି କଂଗ୍ରେସ ଭବନରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ୧୮ ତାରିଖରେ ନୂଆ ସଭାପତି ଶ୍ରୀ ଦାସ ଭୁବନେଶ୍ବର ଆସିବେ। ତା’ ପୂର୍ବରୁ କଂଗ୍ରେସ ଭବନରେ ନୂଆ ଚେୟାର ଟେବୁଲ ପଡ଼ିବା, ଘର ସିଲିଂ, ନୂଆ ଲାଇଟ୍‌ ଲାଗିବା, କାନ୍ଥରେ ରଙ୍ଗ ମାରିବା, ନୂଆ ପୋଷ୍ଟର ଓ ପୁରୁଣା ଏସି ସଜଡ଼ାଯିବା ସହ ନୂଆ ଏସି ଲଗାଇବା କାମ ଜାରି ରହିଛି। ସଭାପତିଙ୍କ ଚାମ୍ବରକୁ ମଧ୍ୟ ପ୍ରସ୍ତୁତ କରାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23.6 ° C
    23.6 °
    23.6 °
    50 %
    2.1kmh
    72 %
    Tue
    25 °
    Wed
    35 °
    Thu
    35 °
    Fri
    36 °
    Sat
    34 °

    ସମ୍ବନ୍ଧିତ