Wednesday, September 16, 2026
23.9 C
Odisha

    ବନ୍ଧାହେଲା ଆଉ ଜଣେ ଚିଟ୍‌ଫଣ୍ଡ ଠକ: ଅହମଦାବାଦ ରେଳଷ୍ଟେସନରେ ମାଡ଼ିବସିଲା ଇଓଡବ୍ଲ୍ୟୁ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଚିଟ୍‌ଫଣ୍ଡ ସଂସ୍ଥା ଜରିଆରେ ଲୋକଙ୍କଠାରୁ କୋଟିକୋଟି ଟଙ୍କା ଲୁଟି ଫେରାର ହୋଇଯାଇଥିବା ଠକଙ୍କ ପଛରେ ପଡ଼ିଛି କ୍ରାଇମ୍‌ବ୍ରାଞ୍ଚ୍‌ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ)। ଗତକାଲି ମ୍ୟୁଚୁଆଲ୍‌ ଆଲିଆନ୍ସ ଗ୍ଲୋବାଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଧନଞ୍ଜୟ ସାହୁକୁ କୋର୍ଟ ଚାଲାଣ କରାଯାଇଥିଲା। ରାଜ୍ୟର ୬ ଜିଲ୍ଲାରୁ ୨୦୦ ଲୋକଙ୍କଠାରୁ ୫ କୋଟି ଟଙ୍କା ଠକିନେବା ଅଭିଯୋଗରେ ଧନଞ୍ଜୟକୁ ପୂର୍ବରୁ ଗିରଫ କରାଯାଇଥିଲା। ହେଲେ ୨୦୨୧ ମସିହାରୁ ଫେରାର ହୋଇଯାଇଥିବା ଭଦ୍ରକର ଏହି ଠକକୁ ଇଓଡବ୍ଲ୍ୟୁ ହାଇଦ୍ରାବାଦରୁ ଠାବ କରିଥିଲା। ଅନୁରୂପଭାବେ ଆଜି ଆଉ ଜଣେ ଫେରାର ଥିବା ଠକକୁ ଇଓଡବ୍ଲ୍ୟୁ କୋର୍ଟ ଚାଲାଣ କରିଛି। ସେ ହେଲା ଯାଜପୁରର ମନୋରଞ୍ଜନ ରାୟ। ମନୋରଞ୍ଜନ ମଧ୍ୟ ୨୦୨୧ ମସିହାରୁ ସର୍ତ୍ତମୂଳକ ଜାମିନ ପାଇବା ପରେ ଫେରାର ହୋଇଯାଇଥିଲା। ତା’ ନାଁରେ ଇଓଡବ୍ଲ୍ୟୁ ଜାମିନବିହୀନ ଗିରଫ ପରୱାନା ଜାରି କରିଥିଲା। ଗତକାଲି ଇଓଡବ୍ଲ୍ୟୁ ଟିମ୍‌ ତାକୁ ଗୁଜରାଟ ଅହମଦାବାଦ ରେଳଷ୍ଟେସନରୁ କାବୁ କରିଥିଲା। ଅହମଦାବାଦ ଘିକାନ୍ତ କୋର୍ଟରେ ତାକୁ ହାଜର କରାଯିବା ପରେ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଭୁବନେଶ୍ବର ଅଣାଯାଇଥିଲା। ଆଜି କଟକ ଓପିଆଇଡି କୋର୍ଟରେ ହାଜର କରାଯିବା ପରେ ମନୋରଞ୍ଜନକୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।
    ୨୦୧୬ ମସିହାରେ ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ବଡ଼ବଜାରର ଲକ୍ଷ୍ମୀନାରାୟଣ ମହାପାତ୍ର ଠକେଇର ଶିକାର ହୋଇଥିବା ନେଇ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ। ଅଭିଯୋଗ ମୁତାବକ ମନୋରଞ୍ଜନ ନିଜକୁ ଇଣ୍ଟର୍‌ଓସେନ୍‌ ବିଦେଶ ଲିମିଟେଡ୍, ଇଣ୍ଟର୍‌ଓସେନ ରିଟେଲ୍‌ ଲିମିଟେଡ୍, ରିୟଲକନ୍ ଲିମିଟେଡ୍, ଆଲ୍‌ପାଇନ୍‌ ଫିନ୍‌କ୍ରମ୍‌ ଲିମିଟେଡ୍‌ ଓ ଇଣ୍ଟର୍‌ଓସେନ ରିୟଲକନ୍ ଲିମିଟେଡ୍‌ ସଂସ୍ଥାର ଏମ୍‌ଡି ବୋଲି ଦର୍ଶାଇଥିଲା। ଜମାକାରୀଙ୍କୁ ଅଧିକ ଲାଭ ମିଳିବାର ପ୍ରଲୋଭନ ଦେଖାଇ ଏସବୁ ସଂସ୍ଥାରେ ପୁଞ୍ଜିନିବେଶ କରାଇଥିଲା। ଜମାକାରୀଙ୍କୁ ବଣ୍ଡ୍‌ ସାର୍ଟିଫିକେଟ୍‌, ଏଗ୍ରିମେଣ୍ଟ ଓ ମନି ରିସିପ୍ଟ ଦେଉଥିଲା। କିନ୍ତୁ ପରେ ହଠାତ୍ ସେ ଉଭାନ ହୋଇଯାଇଥିଲା। ମାମଲା ରୁଜୁ ହେବା ପରେ ତଦନ୍ତରୁ ଜଣାପଡ଼ିଲା ୨୦୧୦ ମସିହାରୁ ୨୦୧୬ ମଧ୍ୟରେ ମନୋରଞ୍ଜନ ୧୦୬୧ଜଣ ଜମାକାରୀଙ୍କଠାରୁ ୧ କୋଟି ୫ ଲକ୍ଷ ୫୫ ହଜାର ଟଙ୍କା ହଡ଼ପ କରିନେଇଥିଲା। ପିଛା କରିକରି ଇଓଡବ୍ଲ୍ୟୁ ତାକୁ ଦିଲ୍ଲୀରୁ ଗିରଫ କରିଥିଲା। ଇଓଡବ୍ଲ୍ୟୁ ତା’ ବିରୋଧରେ ଚାର୍ଜସିଟ୍‌ ମଧ୍ୟ ଦାଖଲ କରିଥିଲା। ୨୦୨୧ ମସିହାରେ ମନୋରଞ୍ଜନକୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ। ଜାମିନରେ ମୁକୁଳିବା ବେଳେ ତାକୁ ୧୦ ଲକ୍ଷ ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିସହିତ ୨ମାସ ଭିତରେ ୪୦ ଲକ୍ଷ ଏବଂ ୬ ମାସ ଭିତରେ ୫୯ ଲକ୍ଷ ଟଙ୍କା ଜମା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ମନୋରଞ୍ଜନ ୧୦ ଲକ୍ଷ ଟଙ୍କା ଜମା କରି ଜାମିନରେ ମୁକୁଳିଗଲା ସିନା ପରେ ଆଉ ଟଙ୍କା ଜମାକଲା ନାହିଁ। ହାଇକୋର୍ଟଙ୍କ ଜାମିନ ସର୍ତ୍ତ ଅବମାନନା କରି ଫେରାର ହୋଇଯିବାରୁ ଓପିଆଇଡି କୋର୍ଟ ତା’ ବିରୋଧରେ ୨୦୨୨ ମସିହାରେ ଜାମିନବିହୀନ ଗିରଫ ପରଵାନା ଜାରି କରିଥିଲେ। ସେବେଠୁ ମନୋରଞ୍ଜନ ଫେରାର ଥିଲା। ସୂଚନାଯୋଗ୍ୟ ଯେ କ୍ରାଇମ୍‌ବ୍ରାଞ୍ଜ ଡିଜି ବିନୟତୋଷ ମିଶ୍ର ପୁରୁଣା ମାମଲାର ଖୋଳତାଡ଼ କରି ଫେରାର ଥିବା ଚିଟ୍‌ଫଣ୍ଡ ଠକମାନଙ୍କୁ ଧରିବାକୁ ଅଭିଯାନ ଆରମ୍ଭ କରିବା ପରେ ୨ ଠକ ଧରାପଡ଼ିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23.9 ° C
    23.9 °
    23.9 °
    86 %
    1.1kmh
    31 %
    Wed
    31 °
    Thu
    31 °
    Fri
    30 °
    Sat
    31 °
    Sun
    30 °

    ସମ୍ବନ୍ଧିତ