Wednesday, July 8, 2026
31.9 C
Odisha

    ରାଜ୍ୟରେ ପ୍ରଥମ: ରକ୍ତ କର୍କଟ ଆକ୍ରାନ୍ତ ଶିଶୁର ଅସ୍ଥିମଜ୍ଜା ପ୍ରତିରୋପଣ

    ଆଗକୁ ପଢନ୍ତୁ

    ଶିଶୁ ରକ୍ତ କର୍କଟ ରୋଗୀଙ୍କ ପାଇଁ ନୂଆ ଆଶା ସୃଷ୍ଟି କରିଛି ଏସ୍‌ସିବି ହେମାଟୋଲୋଜି ବିଭାଗ। ରାଜ୍ୟରେ ପ୍ରଥମ ଥର ପାଇଁ ଏକ ଶିଶୁ ରୋଗୀର ଅସ୍ଥିମଜ୍ଜା ପ୍ରତିରୋପଣ (ବୋନ୍‌ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ) କରାଯାଇଛି। ଝାଡ଼ଖଣ୍ଡ ଧାନବାଦ୍‌ର ଜଣେ ୨ବର୍ଷର ଶିଶୁ ରକ୍ତ କର୍କଟ ରୋଗୀ ଦେହରେ ତାର ଚାରି ବର୍ଷର ବଡଭଉଣୀର ଶରୀରରୁ ଅସ୍ଥିମଜ୍ଜା (ଷ୍ଟେମ୍‌ ସେଲ୍‌) ନିଆଯାଇ ପ୍ରତିରୋପଣ କରାଯାଇଛି। ଏବେ ଶିଶୁଟି ସୁସ୍ଥ ରହିଛି। ଆଜି ସୁଦ୍ଧା ଏସ୍‌ସିବି ହେମାଟୋଲୋଜି ବିଭାଗରେ ୧୭୬ ଜଣଙ୍କଠାରେ ସଫଳତାର ସହ ଅସ୍ଥିମଜ୍ଜା ପ୍ରତିରୋପଣ କରାଯାଇଥିଲେ ବି ପ୍ରଥମ ଥର ଜଣେ ଶିଶୁ ଶରୀରରେ ଅସ୍ଥିମଜ୍ଜା ପ୍ରତିରୋପଣ କରାଯାଇଛି। ଏହା ଦ୍ବାରା ଥାଲାସେମିଆ, ରକ୍ତ ଶିକୁଳି, ରକ୍ତ କର୍କଟ ଆକ୍ରାନ୍ତ ଶିଶୁଙ୍କ ପାଇଁ ନୂଆ ଆଶା ସଂଚାର ହୋଇଛି। ଏହା ଏକ ନିରାପଦ ପ୍ରକ୍ରିୟା। ଅସ୍ଥିମଜ୍ଜା ପ୍ରତିରୋପଣ ବ୍ୟବସ୍ଥା ପ୍ରତି ସବୁବର୍ଗରେ ସଚେତନତା ସୃଷ୍ଟି କରାଗଲେ ଅନେକ ରୋଗୀ ଉପକୃତ ହୋଇପାରିବେ ବୋଲି କହିଛନ୍ତି ପ୍ରତିରୋପଣ କରିଥିବା ପ୍ରଫେସର ଡାକ୍ତର ରବୀନ୍ଦ୍ର କୁମାର ଜେନା।

    ଝାଡ଼ଖଣ୍ଡ ଧାନବାଦ୍‌ର ସାରୁକ୍‌ ଅନ୍‌ସାରିଙ୍କ ୨ବର୍ଷର ଝିଅକୁ ଚିକିତ୍ସା ପାଇଁ ଜାମ୍‌ସେଦ୍‌ପୁରସ୍ଥିତ ଟାଟା ‌ମେ‌ମୋରିଆଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠ‌ାରେ ତାଙ୍କର ଜଟିଳ ରକ୍ତ କର୍କଟ ରୋଗ ଚିହ୍ନଟ ହୋଇଥିଲା। ଡାକ୍ତର ତାଙ୍କୁ ଅସ୍ଥିମଜ୍ଜା ପ୍ରତିରୋପଣ ପାଇଁ ପରାମର୍ଶ ଦେଇଥିଲେ। ତେବେ ସେଠାରେ ଏହି ଚିକିତ୍ସା ଉପଲବ୍ଧ ନ ଥିବାରୁ ବାହାର ରାଜ୍ୟକୁ ଯିବା ଲାଗି କୁହାଯାଇଥିଲା। ଚିକିତ୍ସା ପାଇଁ ୩୦ରୁ ୪୦ଲକ୍ଷ ଟଙ୍କା ଆବଶ୍ୟକ ଥିବା ବେଳେ ଏତେ ବ୍ୟୟବହୁଳ ଚିକିତ୍ସା ପାଇଁ ପରିବାର ପାଖରେ ଅର୍ଥ ନଥିଲା। ବିଭିନ୍ନ ସୂତ୍ରରୁ ସୂଚନା ପାଇ ଅନ୍‌ସାରି ଶେଷରେ ଝିଅକୁ ଧରି କଟକ ବଡ଼ଡାକ୍ତରଖାନା ଆସିଥିଲେ। ଏସ୍‌ସିବିରେ ଜାନୁଆରି ୭ତାରିଖରେ ୨ବର୍ଷର ଶିଶୁକୁ ଭର୍ତ୍ତି କରାଯାଇ ଚିକିତ୍ସା ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ଜାନୁଆରି ୨୭ରୁ ଅସ୍ଥିମଜ୍ଜା ପ୍ରତିରୋପଣ ଚିକିତ୍ସା ପ୍ରକ୍ରିୟା ଆରମ୍ଭ ହେବା ସହ ତାଙ୍କ ୪ବର୍ଷର ବଡ଼ଭଉଣୀର ଶରୀରରୁ ଅସ୍ଥିମଜ୍ଜା ନିଆଯାଇ ସାନଭଉଣୀର ଶରୀରରେ ପ୍ରତିରୋପଣ କରାଯାଇଥିଲା। କେମୋ ଥେରାପି ଦିଆଯାଇଥିଲା। ଏହି ପ୍ରକ୍ରିୟା ଚଳିତମାସ ୬ ତାରିଖରେ ଶେଷ ହୋଇଥିବାବେଳେ ଶିଶୁ ଓ ତାଙ୍କୁ ଅସ୍ଥିମଜ୍ଜା ଦେଇଥିବା ବଡ଼ଭଉଣୀ ସୁସ୍ଥ ଅଛନ୍ତି।

     

    ଏସ୍‌ସିବିରେ ୨୦୧୪-୨୦୧୫ରେ ଅସ୍ଥିମଜ୍ଜା ପ୍ରତିରୋପଣ ଆରମ୍ଭ ହୋଇଥିବା ବେଳେ ଆଜି ସୁଦ୍ଧା ୧୭୬ ରୋଗୀଙ୍କଠାରେ ଅସ୍ଥିମଜ୍ଜା ପ୍ରତିରୋପଣ କରାଯାଇଛି। ସେଥିରୁ ରାଜ୍ୟ ବାହାରର ୧୦ଜଣ ରୋଗୀଙ୍କଠାରେ ଅସ୍ଥିମଜ୍ଜା ପ୍ରତିରୋପଣ କରାଯାଇଛି। ୨୦୧୪-୧୫ରେ ୧୦, ୨୦୧୫-୧୬ରେ ୧୮, ୨୦୧୬-୧୭ରେ ୨୨, ୨୦୧୭-୧୮ରେ ୧୨, ୨୦୧୮-୧୯ରେ ୯, ୨୦୧୯-୨୦ରେ ୧୮, ୨୦୨୦-୨୧ରେ ୧୧, ୨୦୨୧-୨୨ରେ ୧୯, ୨୦୨୨-୨୩ରେ ୧୬, ୨୦୨୩-୨୦୨୪ରେ ୩୨ ଓ ୨୦୨୪ରୁ ଆଜି ସୁଦ୍ଧା ୨୬ଟି ଅସ୍ଥିମଜ୍ଜା ପ୍ରତିରୋପଣ କରାଯାଇଛି। ଏସ୍‌ସିବି ମେଡିକାଲ ହେମାଟୋଲୋଜି ବିଭ‌ାଗର ମୁଖ୍ୟ ବିଏମ୍‌ଟି ବିଶେଷଜ୍ଞ ପ୍ରଫେସର ଡାକ୍ତର ରବୀନ୍ଦ୍ର କୁମାର ଜେନା, ବିଭାଗୀୟ ମୁଖ୍ୟ ଡାକ୍ତର ସୁଧା ସେଠୀ, ପ୍ରଫେସର ଡାକ୍ତର ଗୀତା ସେଠୀ, ଡାକ୍ତର ଅନ୍ବେଷା ଦାସ, ଡାକ୍ତର ମନମୋହନ ବିଶ୍ବାଳ, ଡାକ୍ତର ପ୍ରାଚୀ ପ୍ରତୀଚି ଦାସ, ନର୍ସିଂ ଅଫିସର ଅନ୍ନପୂର୍ଣ୍ଣା ସାମଲ, ମନ୍ଦାକିନୀ ବେହେରା, ଜୁଲି, ସ୍ବାତିଲଗ୍ନା ମହାନ୍ତି, ଲାବ୍‌ ଟେକ୍ନିସିଆନ୍‌ ଆର. ଏନ୍‌. ସାହୁ, ଦେବୀ ପ୍ରସାଦ ଜେନା, ରଶ୍ମିରଞ୍ଜନ ଭୋଇ ପ୍ରମୁଖ ଏହି ଅସ୍ଥିମଜ୍ଜା ପ୍ରତିରୋପଣ ଟିମ୍‌ରେ ରହିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    31.9 ° C
    31.9 °
    31.9 °
    59 %
    4kmh
    100 %
    Wed
    32 °
    Thu
    29 °
    Fri
    27 °
    Sat
    24 °
    Sun
    26 °

    ସମ୍ବନ୍ଧିତ