Tuesday, September 22, 2026
23.5 C
Odisha

    ସଭ୍ୟତାର ପ୍ରମୁଖ ଅଙ୍ଗ ହେଉଛି ମହାନଦୀ ଅବବାହିକା’: ଜିଏମ୍‌ୟୁରେ ଓଡ଼ିଶା ଇତିହାସ ପରିଷଦର ଅଧିବେଶନ

    ଆଗକୁ ପଢନ୍ତୁ

    ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ ଶନିବାର ଓଡ଼ିଶା ଇତିହାସ ପରିଷଦର ୪୪ତମ ଅଧିବେଶନ ଉଦ୍‌ଘାଟିତ ହୋଇଛି। ବିଶ୍ୱବିଦ୍ୟାଳୟ ଇତିହାସ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜାତୀୟ ସ୍ମାରକ ପ୍ରାଧିକରଣର ଅଧ୍ୟକ୍ଷ ତଥା ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥାର ପୂର୍ବତନ ମହାନିର୍ଦ୍ଦେଶକ ପ୍ରଫେସର କିଶୋର କୁମାର ବସା ଯୋଗ ଦେଇ ଜିଏମୟୁ ଇତିହାସ ବିଭାଗର କାର୍ଯ୍ୟ କିପରି ନୂଆ ଇତିହାସ ସୃଷ୍ଟି କରୁଛି ତାହା ବର୍ଣ୍ଣନା କରିଥିଲେ। ପଶ୍ଚିମ ଓଡ଼ିଶା ପ୍ରତ୍ନତତ୍ତ୍ବର ଭୂସ୍ବର୍ଗ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମକୁ କୁଳପତି ପ୍ରଫେସର ଏନ୍‌.ନାଗରାଜୁ ପରିଚାଳନା କରିଥିଲେ। ମୁଖ୍ୟବକ୍ତା ଦେଶର ପ୍ରଖ୍ୟାତ କଳା ଏବଂ ଇତିହାସ ଗବେଷକ ପ୍ରଫେସର ଲକ୍ଷ୍ମୀଶଙ୍କର ନିଗମ ତାଙ୍କ ବକ୍ତବ୍ୟରେ କହିଲେ, ଭାରତ ଇତିହାସର ଏକ ପ୍ରମୁଖ ଅଙ୍ଗ ହେଉଛି ମହାନଦୀ ଅବବାହିକା।

    ଓଡ଼ିଶା ଇତିହାସ ପରିଷଦର ସଭାପତି ପ୍ରଫେସର ସୁବ୍ରତ ଆଚାର୍ଯ୍ୟ ଓଡ଼ିଶା ଇତିହାସ ନୂଆ ନୂଆ ତଥ୍ୟ ଦ୍ୱାରା ବଳିଷ୍ଠ ହେଉଛି ବୋଲି କହିଥିଲେ। ଇତିହାସ ପରିଷଦର ସଚିବ ଡ.ସୁଭାଷ ଚନ୍ଦ୍ର ବାରିକ ଓଡ଼ିଶା ଇତିହାସ ପରିଷଦ ସର୍ବଦା ଇତିହାସର ଗବେଷଣା ଉପରେ ପ୍ରଧାନ୍ୟ ଦେଇଥାଏ ବୋଲି ପ୍ରକାଶ କରିଥିଲେ। ଇତିହାସ ବିଭାଗର ମୁଖ୍ୟ ତଥା କାର୍ଯ୍ୟକ୍ରମ ସଂଯୋଜକ ଡ. ଅତୁଲ କୁମାର ପ୍ରଧାନ ଜିଏମ୍‌ୟୁରେ ଏହି ଅଧିବେଶନ କରାଇବାର ମୁଖ୍ୟ ଉଦେଶ୍ୟ ଉପରେ ଗୁରୁତ୍ବାରୋପ କରିଥିଲେ। ବିଗତ ଦିନରେ ଇତିହାସ ବିଭାଗ ଉତ୍‌ଖନନ, ସର୍ବେକ୍ଷଣ ଏବଂ ଏହି ଅଞ୍ଚଳର ଇତିହାସକୁ କିପରି ଓଡ଼ିଶା ତଥା ଦେଶରେ ପରିଚିତ କରାଇଛି, ତାହା ଉପରେ ବିବରଣୀ ରଖିଥିଲେ। ଇତିହାସ ପରିଷଦ ସଂପାନରେ ୧୩୦ରୁ ଅଧିକ ଗବେଷଣାପତ୍ର ପାଠ କରାଯିବ। ଏଥିରେ ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ଦେଶର ବିଭିନ୍ନ ପ୍ରାନ୍ତରୁ ଗବେଷକମାନେ ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ କୁଳସଚିବ ସନତ କୁମାର ନାୟକ, ପିଜି କାଉନ୍‌ସିଲ ଚେୟାରମ୍ୟାନ ପ୍ରଫେସର ଜ୍ଞାନରଞ୍ଜନ ସ୍ବାଇଁ, ଉପକୁଳସଚିବ ଡ. ଉମାଚରଣ ପତିଙ୍କ ସମେତ ବିଶ୍ବବିଦ୍ୟାଳୟର ପ୍ରଫେସର ଓ ଅଧ୍ୟାପକମାନେ ଉପସ୍ଥିତ ଥିଲେ।

    ଚଳିତବର୍ଷ ପ୍ରଫେସର ଜଗନ୍ନାଥ ଯୁବ ଐତିହାସିକ ପୁରସ୍କାର ଜିଏମ୍‌ୟୁର ଇତିହାସ ବିଭାଗ ଗବେଷକ ଛାତ୍ର ଦିବ୍ୟରଞ୍ଜନ ତ୍ରିପାଠୀ, ପ୍ରଫେସର ଅପରାଜିତା ବିଶ୍ୱାଳ ଯୁବ ପୁରସ୍କାର ରାଜଶ୍ରୀ ପୁହାଣ ଏବଂ ଗବେଷଣା ଲେଖା ପାଇଁ ଡ. ପାରେଶ୍ବର ସାହୁଙ୍କୁ ପ୍ରଦାନ କରାଯାଇଥିଲା। ଏଥିସହିତ ଓଡ଼ିଶା ସ୍ଥାପତ୍ୟ କଳା ଉପରେ ଆଜି ଏକ ଜାତୀୟ ସଂପାନ ମଧ୍ୟ ଉଦ୍‌ଘାଟିତ ହୋଇଛି। ଏଥିରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପ୍ରଫେସର ହରିହର ପଣ୍ଡା କହିଲେ,  ସ୍ଥାପତ୍ୟ ହେଉଛି ଭାରତୀୟ କଳାର ଏକ ସୁଦୃଢ଼ ଉପାଦାନ। ମୁଖ୍ୟବକ୍ତା ରେଭେନ୍ସା ବିଶ୍ୱବିଦ୍ୟାଳୟର ଡ. ଉମାକାନ୍ତ ମିଶ୍ର ଓଡ଼ିଶା କଳାର ବିଭିନ୍ନ ଦିଗ ବିଷୟରେ ଆଲୋକପାତ କରିଥିବାବେଳେ ସଂପାନର ସଂଯୋଜକ ଡ.ସନ୍ତୋଷ କୁମାର ମଲ୍ଲିକ ବିବରଣୀ ପାଠ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    23.5 ° C
    23.5 °
    23.5 °
    94 %
    0.5kmh
    100 %
    Mon
    24 °
    Tue
    27 °
    Wed
    27 °
    Thu
    24 °
    Fri
    28 °

    ସମ୍ବନ୍ଧିତ