Monday, March 16, 2026
24.3 C
Odisha

    ହୀରାକୁଦ ନିଷିଦ୍ଧାଞ୍ଚଳରେ ଉଡ଼ିଲା ଡ୍ରୋନ୍‌: ଫଟୋ, ଭିଡିଓ ଭାଇରାଲ

    ଆଗକୁ ପଢନ୍ତୁ

    ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଛି ପ୍ରଶ୍ନ। ହୀରାକୁଦ ଜଳଭଣ୍ଡାର ନିଷିଦ୍ଧାଞ୍ଚଳରେ ଉଡ଼ିଛି ଡ୍ରୋନ କ୍ୟାମେରା। ସମ୍ପୂର୍ଣ୍ଣ ଜଳଭଣ୍ଡାର, ଲିଫ୍ଟ ଅପରେଶନ ଗ୍ୟାଲେରି ଆଦିର ଭିତର ଫଟୋ ଓ ଭାଇରାଲ ହୋଇଛି। ହୀରାକୁଦ ଜଳଭଣ୍ଡାରର ଅତିରିକ୍ତ ବନ୍ୟାଜଳ ନିଷ୍କାସନ ବେଳେ ନିଷିଦ୍ଧାଞ୍ଚଳକୁ କୌଣସି ବାହାର ଲୋକ ଏପରିକି ଗଣମାଧ୍ୟମର ପ୍ରବେଶକୁ ମ ବାରଣ କରାଯାଇଛି। ଏପରିସ୍ଥଳେ ଏହି ସମୟର ଫଟୋ ଓ ଭିଡିଓ ଭାଇରାଲ ଘଟଣା ହୀରାକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ାଇ ଦେଇଛି। ଜଳଭଣ୍ଡାରର ବନ୍ୟାଜଳ ନିଷ୍କାସନ ପାଇଁ ସମସ୍ତ ପ୍ରକାର କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆଇଜିଙ୍କଠାରୁ ଆରମ୍ଭ କରି ଜିଲାପାଳ, ଆରକ୍ଷୀ ଅଧୀକ୍ଷକ ଓ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ସ୍ଲୁଇସ୍‌ ଗେଟ୍‌ଗୁଡ଼ିକ ଖୋଲାଯାଇଥିଲା। ଏଭଳି ସମୟରେ ଡ୍ରୋନ୍‌ ମାଧ୍ୟମରେ ଜଳଭଣ୍ଡାରର ସମ୍ବେଦନଶୀଳ ଅଞ୍ଚଳର ଫଟୋ ବା ଭିଡିଓ ଭାଇରାଲରେ ସୀମିତ ନ ଥିଲା। ବରଂ ଅପରେଶନ ଗ୍ୟାଲେରି ଭିତରେ ଲିଫ୍ଟ କ୍ରେନ୍‌ରେ ଜଣେ ବ୍ୟକ୍ତି ଫଟୋ ଉଠାଇ ସାମାଜିକ ଗଣମାଧ୍ୟମରେ ଅପଲୋଡ୍‌ କରିଛନ୍ତି। ଯାହା ହୀରାକୁଦ ଜଳଭଣ୍ଡାର ଭଳି ଏକ ସମ୍ବେଦନଶୀଳ ଅଞ୍ଚଳର ସମସ୍ତ ସୁରକ୍ଷା ବ୍ୟବସ୍ଥାର ଖୋଲାଖୋଲି ଉଲ୍ଲଂଘନ ହୋଇଥିବା ବେଳେ ଏଥିପାଇଁ ହୀରାକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷଙ୍କ ଅବହେଳା ଓ ଢିଲା ସୁରକ୍ଷା ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଏହାକୁ ନେଇ ମୁଖ୍ୟଯନ୍ତ୍ରୀ ମହାନଦୀ ବେସିନ ଇଂ. ସୁଶୀଳ କୁମାର ବେହେରା କହିଛନ୍ତି, ଏ ସମ୍ପର୍କରେ ତାଙ୍କୁ ବିଭିନ୍ନ ମାଧ୍ୟମରୁ ଖବର ମିଳିଛି। ରବିବାର ସ୍ଲୁଇସ୍‌ ଗେଟ୍‌ ଦେଇ ଜଳ ନିଷ୍କାସନ ପ୍ରକ୍ରିୟା ଆରମ୍ଭ ସମୟରେ କୌଣସି ଡ୍ରୋନ୍‌ ଉଡ଼ିଥିବା ଦେଖିବାକୁ ମିଳି ନ ଥିଲା। ତେଣୁ ଏହି ଭିଡ଼ିଓ ଓ ଫଟୋ ରବିବାର ଜଳଭଣ୍ଡାର ଜଳ ନିଷ୍କାସନ ପ୍ରକ୍ରିୟା ସମୟର ବା ଅନ୍ୟ କୌଣସି ସମୟର ତାହା ସ୍ପଷ୍ଟ ଜଣାପଡ଼ିନାହିଁ। ମାତ୍ର ଯେକୌଣସି ସମୟରେ ହେଲେ ମଧ୍ୟ ନିଷିଦ୍ଧାଞ୍ଚଳ ଉପରେ ଡ୍ରୋନ ଉଡ଼ିବା ଓ ଏହାର ଫଟୋ ବା ଭିଡିଓ ଭାଇରାଲ କରିବା ଆଇନସମ୍ମତ ନୁହେଁ। ଏହା ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ବୋଲି ଧରାଯାଇପାରେ। ତେବେ ଘଟଣାର ବିଧିବଦ୍ଧ ଯାଞ୍ଚ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.3 ° C
    24.3 °
    24.3 °
    44 %
    1.4kmh
    78 %
    Mon
    37 °
    Tue
    38 °
    Wed
    37 °
    Thu
    36 °
    Fri
    35 °

    ସମ୍ବନ୍ଧିତ