Tuesday, September 29, 2026
22.7 C
Odisha

    ଅଂଶୁଘାତରେ ୩ ମୃତ, ଜଣେ ଗୁରୁତର

    ଆଗକୁ ପଢନ୍ତୁ

    ଭଞ୍ଜନଗର   : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ୍ୟ କରି ନ ପାରି ଗଞ୍ଜାମ ଜିଲ୍ଲାରେ ୩ ଜଣଙ୍କ ମୃତ୍ୟୁ ହୋଇଛି ଓ ଜଣେ ଗୁରୁତର ଅସୁସ୍ଥ ହୋଇଛନ୍ତି। ବେଲଗୁଣ୍ଠା ବ୍ଲକ ଅଞ୍ଚଳରେ ଜଣଙ୍କର ଏବଂ ବୁଗୁଡ଼ା ଥାନାଞ୍ଚଳରେ ଆଉ ୨ ଜଣଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ବେଲଗୁଣ୍ଠା ବ୍ଲକ ପାଇଲିପଡ଼ା ପଞ୍ଚାୟତ ଅନ୍ତର୍ଗତ ଧାନପୁଞ୍ଜା ଗ୍ରାମର ଭାଗଚାଷୀ ଜଗନ୍ନାଥ ସ୍ବାଇଁ (୫୫) ଗ୍ରାମର ପୋଖରୀ ହିଡ଼ ପାର୍ଶ୍ବରୁ ଟ୍ରାକ୍ଟର ଯୋଗେ ଖତ ବୋହି ନେଇ ନିଜ ଜମିରେ ପହଞ୍ଚିବା ପରେ ଟଳି ପଡ଼ିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଗୋବରା ଡାକ୍ତରଖାନାକୁ ନିଆଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ପଠାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଗନ୍ନାଥଙ୍କ ମୃତ୍ୟୁ ଘଟିଛି। ଜଗନ୍ନାଥ ଧାନପୁଞ୍ଜାପଲ୍ଲୀ ଆଳିୟ ସମାଜର ସଭାପତି ଥିଲେ। ଜଗନ୍ନାଥଙ୍କୁ ହରାଇ ସ୍ତ୍ରୀ, ତିନିଝିଅ ଏବଂ ଏକମାତ୍ର ପୁଅ ବେସାହାରା ହୋଇପଡ଼ିଛନ୍ତି।
    ସେହିପରି ଅଂଶୁଘାତରେ ବୁଗୁଡ଼ା ବ୍ଲକ ଅଞ୍ଚଳରେ ଆଉ ୨ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବୁଗୁଡ଼ା ପିପୁଲ୍ସ କଲେଜର ମାଳି ଡାକ୍ତର ସ୍ବାଇଁଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ସେ ଆଜି ଅପରାହ୍ଣ ପ୍ରାୟ ୨ଟା ୩୦ରେ ସାଇକଲରେ ନିଜ ଗ୍ରାମ ବେଠିଆବରୋଦା ଫେରୁଥିବା ବେଳେ ବୁରୁଝୋଳା ତୋଟା ନିକଟରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ଭଞ୍ଜନଗର ପଠାଇବା ସହ ମାମଲା ରୁଜୁ କରିଛି।
    ସେହିପରି ବୁଗୁଡ଼ା ଥାନା ଅନ୍ତର୍ଗତ ଚିଲିଖମା ଗ୍ରାମର ଚାଷୀ ସୁଧୀର ଚନ୍ଦ୍ର ସ୍ବାଇଁ (୫୮)ଅଂଶୁଘାତରେ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି। ସୁଧୀର ଆଜି ମଧ୍ୟାହ୍ନରେ ନିଜ ଆମ୍ବ ତୋଟାକୁ ଯାଇଥିଲେ। ସେ ସେଠାରୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଅପରାହ୍ଣ ୩ଟାରେ ତୋଟାକୁ ଯାଇ ସେ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ସେଠାରୁ ତାଙ୍କୁ ମେଡ଼ିକାଲ ଆଣିବା ବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଉଭୟଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଡାକ୍ତର ସାର୍ଥକ ସଂକେତ ବିଶ୍ବାଳ କହିଛନ୍ତି। ଆଜି ଜଣେ ବୃଦ୍ଧା ମଧ୍ୟ ଅଂଶୁଘାତ ଶିକାର ହୋଇ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ସ୍ଥାନାନ୍ତର ହୋଇଛନ୍ତି। ଗୁରୁତର ମହିଳା ହେଲେ ବୁଗୁଡ଼ା ଥାନା ଅନ୍ତର୍ଗତ ବି. କରଡ଼ାବାଡ଼ି ଗ୍ରାମର ସୁଶୀଳା ପ୍ରଧାନ (୭୫)। ସୁଶୀଳା ଆଜି ମଧ୍ୟାହ୍ନଭୋଜନ ସାରି କାଜୁ ତୋଳିବା ପାଇଁ ପଙ୍କାଳସାହି ନିକଟରେ ଥିବା ଏକ ତୋଟାକୁ ଯାଇଥିଲେ। ସେଠାରେ ସେ ଚେତାଶୂନ୍ୟ ହୋଇ ପଡ଼ି ଯାଇଥିଲେ। ଗ୍ରାମବାସୀ ତାଙ୍କୁ ସେଠାରୁ ଉଦ୍ଧାର କରି ବୁଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.7 ° C
    22.7 °
    22.7 °
    86 %
    1.4kmh
    3 %
    Tue
    30 °
    Wed
    30 °
    Thu
    29 °
    Fri
    30 °
    Sat
    31 °

    ସମ୍ବନ୍ଧିତ