Thursday, October 8, 2026
22.2 C
Odisha

    ଅଟକିଛି ଶ୍ରୀମନ୍ଦିର ସଂଯୋଗକାରୀ ରାସ୍ତା ସମ୍ପ୍ରସାରଣ

    ଆଗକୁ ପଢନ୍ତୁ

    ପୁରୀ  : ନିଷ୍ପତ୍ତିରେ ଅଟକିଛି ଶ୍ରୀଜଗନ୍ନାଥ ମନ୍ଦିରକୁ ସଂଯୋଗ କରୁଥିବା ତିନି ପ୍ରମୁଖ ରାସ୍ତାର ସମ୍ପ୍ରସାରଣ। ଦୁଇଟି ରାସ୍ତାର ସର୍ଭେ ଶେଷ ହୋଇଥିଲେ ମଧ୍ୟ ଆରମ୍ଭ ହେଉନି ଜମି ଅଧିଗ୍ରହଣ ପ୍ରକ୍ରିୟା। ପର୍ଯ୍ୟଟକ ଓ ତୀର୍ଥଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ଯାତାୟାତରେ ସମସ୍ୟା ବଢାଇଛି। ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି ସ୍ଥାନୀୟ ଅଧିବାସୀ। ସରକାର ବଦଳିବା ପରଠୁ ଏହିସବୁ ରାସ୍ତା ସମ୍ପ୍ରସାରଣ ପ୍ରକ୍ରିୟା ପାଦଟିଏ ଆଗେଇ ପାରିନାହିଁ। ଅବଢ଼ା ଯୋଜନାରେ ଏଥିପାଇଁ ମଞ୍ଜୁର ଅର୍ଥ ଖର୍ଚ୍ଚ ନହୋଇ ପଡ଼ିରହିଛି।ଶ୍ରୀଜଗନ୍ନାଥ ମନ୍ଦିର ନିକଟ କାକୁଡିଖାଇ ଛକରୁ ସ୍ବର୍ଗଦ୍ବାର ପର୍ଯ୍ୟନ୍ତ ବାଲିସାହି ରାସ୍ତାକୁ ଦୁଇ ଟିକିଆ କରିବାକୁ ସରକାର ସ୍ଥିର କରିଥିଲେ। ସର୍ଭେ ଶେଷ ସହ ଏକ ନକ୍ସା ପ୍ରସ୍ତୁତ କରାଯାଇଛି। ଅଧିଗୃହୀତ ହେବାକୁ ଥିବା ଜମି ଚିହ୍ନଟ ସରିଛି। ସ୍ଥାନୀୟ ଅଧିବାସୀ ଓ ଯାଗା ଆଖଡ଼ା କର୍ମକର୍ତ୍ତାଙ୍କ ସହ ପୁରୀ ଜିଲାପାଳ ଦୁଇଥର ଆଲୋଚନା କରିଛନ୍ତି। ଶ୍ରୀଜଗନ୍ନାଥ ମନ୍ଦିରରୁ ସ୍ବର୍ଗଦ୍ବାର ତଥା ସମୁଦ୍ର ବେଳାଭୂମି ଯିବା ପାଇଁ ଏହା ମୁଖ୍ୟରାସ୍ତା। ତେଣୁ ସିଂହଦ୍ୱାରରେ ଛିଡ଼ା ହେଲେ ଯେଭଳି ସ୍ବର୍ଗଦ୍ବାର ଦେଖାଯିବ ତାହାକୁ ଦୃଷ୍ଟିରେ ରଖି ଯୋଜନା ପ୍ରସ୍ତୁତ କରାଯାଇଛି। ଏହି ରାସ୍ତାର ପ୍ରାୟ ୫୦% ଜମି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମେତ ବିଭିନ୍ନ ମଠ ମନ୍ଦିର ନାମରେ ରହିଛି। ଏହାଛଡ଼ା ଆଉ ପ୍ରାୟ ୨୫% ସରକାରୀ ଜମି ଜବର ଦଖଲ ହୋଇଛି। ତେଣୁ ସେଠାରେ ଭୂମି ଅଧିଗ୍ରହଣ ଓ ରାସ୍ତା ସମ୍ପ୍ରସାରଣ ଅଧିକ ସହଜ ହେବ। ଏନେଇ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମତ ପ୍ରକାଶ ପାଇଥିଲା; କିନ୍ତୁ ଏହି ରାସ୍ତାର ସମ୍ପ୍ରସାରଣ ପ୍ରକ୍ରିୟା ତିନିବର୍ଷ ତଳେ ଯେଉଁଠି ଥିଲା ଏବେ ମଧ୍ୟ ସେହିଠି ଅଟକିଛି।

    ସେହିପରି ଶ୍ରୀଜଗନ୍ନାଥ ମନ୍ଦିରର ଦକ୍ଷିଣ ଦ୍ୱାରଠୁ ପ୍ରମୁଖ ଶୈବପୀଠ ଶ୍ରୀଲୋକନାଥ ମନ୍ଦିର ପର୍ଯ୍ୟନ୍ତ ଲୋକନାଥ ରୋଡର ସମ୍ପ୍ରସାରଣ ପାଇଁ ପ୍ରାୟ ୩ ବର୍ଷ ତଳୁ ସର୍ଭେ ସହ ଜମି ଚିହ୍ନଟ ଶେଷ ହୋଇଛି। ଅର୍ଥ ବ୍ୟୟବରାଦ ସହ ପ୍ରଭାବିତ ଜମି ମାଲିକ ଓ ଉଠା ଦୋକାନୀଙ୍କ ତାଲିକା ସରିଛି। ଭୁବନେଶ୍ୱରରୁ ପୁରୀ ଆସୁଥିବା ବହୁ ଲୋକ ଏହି ରାସ୍ତାଦେଇ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଯାଆନ୍ତି। ଏହା ଏକ ସଂକୀର୍ଣ୍ଣ ରାସ୍ତା ହୋଇଥିବାରୁ ସମସ୍ୟା ହେଉଛି। ଏହି ରାସ୍ତାର ସମ୍ପ୍ରସାରଣ ପାଇଁ ଜମି ଅଧିଗ୍ରହଣ ଏପର୍ଯ୍ୟନ୍ତ ଆରମ୍ଭ କରାଯାଇନି।ଏତଦ୍‌ବ୍ୟତୀତ ଶ୍ରୀଜଗନ୍ନାଥ ମନ୍ଦିର ସିଂହଦ୍ୱାରଠାରୁ ମୋଚିସାହି ପର୍ଯ୍ୟନ୍ତ ଦୋଳମଣ୍ଡପ ସାହି ରାସ୍ତାକୁ ସମ୍ପ୍ରସାରଣ ଓ ଦୁଇ ଟିକିଆ କରିବା ପ୍ରସ୍ତାବ କେବଳ ପ୍ରସ୍ତାବରେ ସୀମିତ ରହିଛି। ଏହା ପୁରୀର ଏକ ବ୍ୟସ୍ତବହୁଳ ଓ ଶ୍ରୀମନ୍ଦିର ସଂଯୋଗର ଅନ୍ୟତମ ମାଧ୍ୟମ। ଏହି ତିନୋଟି ରାସ୍ତା ଦେଇ ଅଧିକାଂଶ ଲୋକ ଶ୍ରୀଜଗନ୍ନାଥ ମନ୍ଦିର ଓ ସମୁଦ୍ରକୂଳ ଯିବା ଆସିବା କରୁଛନ୍ତି। ତେଣୁ ସମ୍ପ୍ରସାରଣ ପାଇଁ ଦାବି ହୋଇଆସୁଛି। କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ବିଭାଗୀୟ ମନ୍ତ୍ରୀ, ସଚିବ କିମ୍ବା ଜିଲାପାଳ ଏପର୍ଯ୍ୟନ୍ତ ଥରୁଟିଏ ସମୀକ୍ଷା କରିନାହାନ୍ତି। ଏହାଛଡ଼ା ବଡ଼ଦାଣ୍ଡର ମରିଚିକୋଟ ଛକରୁ ଲକ୍ଷ୍ମୀ ଟକିଜ ପର୍ଯ୍ୟନ୍ତ ରାମଚଣ୍ଡୀ ସାହି ଓ ମାର୍କେଟ ଛକରୁ ଏସସିଏସ କଲେଜ ପର୍ଯ୍ୟନ୍ତ ଦୈତାପଡ଼ା ସାହି ରାସ୍ତା ସମ୍ପ୍ରସାରଣ ନିଷ୍ପତ୍ତି ସତ୍ତ୍ୱେ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ।

    ରାସ୍ତା ଓ ଗୃହ ନିର୍ମାଣ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ ସୌମ୍ୟରଞ୍ଜନ ଦ୍ବିବେଦୀ କହିଛନ୍ତି, ଶ୍ରୀମନ୍ଦିର ସିଂହଦ୍ୱାରଠାରୁ ସ୍ବର୍ଗଦ୍ବାର ପର୍ଯ୍ୟନ୍ତ ବାଲିସାହି ରାସ୍ତା ସମ୍ପ୍ରସାରଣ ପାଇଁ ଜମି ଅଧିଗ୍ରହଣ ନିମନ୍ତେ ଖୁବଶୀଘ୍ର ଜିଲା ପ୍ରଶାସନକୁ ଅନୁରୋଧ କରାଯିବ। ଲୋକନାଥ ରୋଡ ଓ ଦୋଳମଣ୍ଡପ ସାହି ରାସ୍ତା ସମ୍ପ୍ରସାରଣ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇନାହିଁ। ମଙ୍ଗଳାଘାଟରୁ ଶ୍ରୀଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଆଉ ଏକ ରାସ୍ତା ନିର୍ମାଣ ପାଇଁ ନିଷ୍ପତି ହୋଇଥିବା ସେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.2 ° C
    22.2 °
    22.2 °
    88 %
    1.5kmh
    1 %
    Wed
    22 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ