Sunday, March 22, 2026
21.2 C
Odisha

    ଅଦା ଚାଷ ବାଟବଣା: ପଚିଗଲା ଅଧା ବିହନ!

    ଆଗକୁ ପଢନ୍ତୁ

    ଝାରସୁଗୁଡ଼ା: ଏବେ କ୍ରପ୍‌ କଟିଂ ହୋଇ ଅଦା ଅମଳ ଆରମ୍ଭ ହେଲାଣି। କିନ୍ତୁ ଝାରସୁଗୁଡ଼ା ଜିଲ୍ଲାରେ ଯେତିକି ପରିମାଣର ଅଦା ବିହନ ଲଗାଯାଇଥିଲା, ଏବେ ସେତିକି ପରିମାଣର ଅଦା ଉତ୍ପାଦନ କଷ୍ଟକର ହୋଇପଡ଼ିଛି। ଆଉ ଦିନ କେଇଟାରେ ଅମଳ ସମ୍ପୂର୍ଣ୍ଣ ହୋଇଯିବା ପରେ ଜିଲ୍ଲାରେ ଅଦା ଯୋଜନା କିଭଳି ବାଟବଣା ହୋଇଛି ତା’ର ନିଚ୍ଛକ ଚିତ୍ର ସାମନାକୁ ଆସିବ ବୋଲି କୁହାଯାଉଛି। ଏ ନେଇ ଉଦ୍ୟାନ କୃଷି ବିଭାଗ ସହକାରୀ ନିର୍ଦ୍ଦେଶକ ମନୋଜ ନନ୍ଦଙ୍କ କହିବା କଥା, ବିହନ ବଣ୍ଟାଯିବାର ଦିନେ ଦୁଇଦିନ ପରଠାରୁ ଲଗାଣ ବର୍ଷା ହେବାରୁ କିଛି ଚାଷୀଙ୍କ ଘରେ ବିହନ ରହି ପଚି ଯାଇଥିଲା। ଯେଉଁ ଚାଷୀମାନେ ବିହନ ଲଗାଇ ସାରିଥିଲେ ଅନେକ କ୍ଷେତ୍ରରେ ତାହା ମଧ୍ୟ ମାଟିରେ ପଚିଯାଇଥିଲା ବୋଲି ସେ କହିଛନ୍ତି।

    ଉଦ୍ୟାନ କୃଷି ବିଭାଗର ସୂଚନା ଅନୁସାରେ, ଚଳିତ ବର୍ଷ ଝାରସୁଗୁଡ଼ା ଜିଲ୍ଲାର ସମସ୍ତ ୫ ବ୍ଲକ୍‌ରେ ୧୬୮.୪୩ ହେକ୍ଟର ଜମିରେ ଅଦା ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ପ୍ରତି ଚାଷୀଙ୍କୁ ୨୫ ଡେସିମିଲ୍‌ ଜମି ପାଇଁ ୭୦ କେଜି ଅଦା ବିହନ ହିସାବରେ ମୋଟ ୧୨୧୭ ଜଣ ଚାଷୀଙ୍କୁ ୧୧୭୯ କ୍ବିଣ୍ଟାଲ୍‌ ବିହନ ରିହାତି ଦରରେ ଯୋଗାଇ ଦିଆଯାଇଥିଲା। ଅଦା ବିହନ କେଜି ପିଛା ୬୮ ଟଙ୍କା ୫୦ ପଇସା ହିସାବରେ ଚାଷୀ କିଣିଥିବା ବେଳେ ପରବର୍ତ୍ତୀ ସମୟରେ ଉକ୍ତ ଟଙ୍କା ପୁଣି ଚାଷୀଙ୍କ ବ୍ୟାଙ୍କ୍‌ ଖାତାକୁ ଚାଲି ଯାଇଥିଲା। ତେବେ ସମ୍ପୂର୍ଣ୍ଣ ମାଗଣାରେ ବିହନ ମିଳିଥିଲେ ସୁଦ୍ଧା ଜିଲ୍ଲାରେ ଅଦା ଚାଷ ଫଳପ୍ରଦ ହୋଇ ନ ପାରିବା ଚିନ୍ତାର କାରଣ ପାଲଟିଛି। ପ୍ରଥମତଃ ବର୍ଷା ଆରମ୍ଭ ହେବା ପୂର୍ବରୁ ଅର୍ଥାତ୍‌ ଜୁନ୍‌ ପହିଲାରୁ ହିଁ ଅଦା ବିହନ ପୋତିବା ଆରମ୍ଭ କରାଯାଇଥାଏ। କିନ୍ତୁ ଝାରସୁଗୁଡ଼ା ଜିଲ୍ଲାରେ ଜୁଲାଇ ମାସରେ ଅଦା ବିହନ ପହଞ୍ଚିଥିବା ବେଳେ କିଛି ଚାଷୀଙ୍କ ନିକଟରେ ବିହନ ପହଞ୍ଚିବାକୁ ଅଗଷ୍ଟ ମାସ ହୋଇ ସାରିଥିବା ଜଣାପଡ଼ିଛି। ସେପଟେ ଚାଷୀଙ୍କୁ ‘ଟ୍ରୁଥ୍‌ଫୁଲ୍‌’ ଭେରାଇଟିର ବିହନ ଯୋଗାଇ ଦିଆଯାଉଥିବା ନେଇ ବିଭାଗ କହୁଥିବା ବେଳେ ଚାଷୀ କିନ୍ତୁ ‘ନଦିଆ’ ଭେରାଇଟିର ବିହନ ପାଇଥିବା ଅଭିଯୋଗ କରିଛନ୍ତି। ଝାରସୁଗୁଡ଼ା ଜଳବାୟୁ ପାଇଁ ଉକ୍ତ ଭେରାଇଟିର ବିହନ ଚାଷ ଉପଯୋଗୀ ହୋଇନଥିବାରୁ ଚାଷୀମାନେ ବି ଏତେଟା ଉତ୍ସାହ ଦେଖାଇନଥିଲେ। ଫଳରେ ହାରାହାରି ୫୦ ପ୍ରତିଶତ ଚାଷୀ ଆଦୌ ଚାଷ କରିପାରିନଥିବା ଅଭିଯୋଗ ହୋଇଛି।

    ଠିକଣା ସମୟରେ ସରକାର ବିହନ ଯୋଗାଇ ପାରିଲେ ନାହିଁ। ସମୟ ଗଡ଼ିଗଲା ପରେ ଚାଷୀଙ୍କୁ ଅଦା ବଣ୍ଟନ କରାଗଲା। ତେଣୁ ପ୍ରାୟ ଚାଷୀ ଅଦା ଚାଷ କରିନଥିବା ନେଇ ଜଣେ ବିଭାଗୀୟ ଅଧିକାରୀ କହିଛନ୍ତି। କାହାର ଅଦା ପଚି ଯାଇଛି ତ ଆଉ କିଏ ବଜାରରେ ଉକ୍ତ ବିହନକୁ ବିକି ଦେଇଥିବା ଉକ୍ତ ଅଧିକାରୀ ଜଣଙ୍କ କହିଛନ୍ତି। ସୂଚନା ଅନୁସାରେ, ଲଖନପୁର ବ୍ଲକ୍‌ରେ ସର୍ବାଧିକ ୧୧୮.୪୩ ହେକ୍ଟର ଜମି ପାଇଁ ୭୨୫ ଜଣ ଚାଷୀଙ୍କୁ ୮୨୯ କ୍ବିଣ୍ଟାଲ୍‌ ବିହନ ଦିଆଯାଇଥିଲା। ଝାରସୁଗୁଡ଼ା ବ୍ଲକ୍‌ରେ ୨୦ ହେକ୍ଟର ପାଇଁ ୧୬୨ ଜଣ ଚାଷୀଙ୍କୁ ୧୪୦ କ୍ବିଣ୍ଟାଲ୍‌, କୋଲାବିରା ବ୍ଲକ୍‌ରେ ୧୦ ହେକ୍ଟର ଜମି ପାଇଁ ୧୧୬ ଜଣ ଚାଷୀଙ୍କୁ ୭୦ କ୍ବିଣ୍ଟାଲ୍‌, କିର୍ମିରାରେ ୮.୫ ହେକ୍ଟର ଜମି ପାଇଁ ୧୦୩ ଜଣ ଚାଷୀଙ୍କୁ ୫୯.୫ କ୍ବିଣ୍ଟାଲ୍‌ ଏବଂ ଲଇକେରା ବ୍ଲକ୍‌ରେ ୧୧.୫ ହେକ୍ଟର ଜମି ପାଇଁ ୧୧୧ ଜଣ ଚାଷୀଙ୍କୁ ୮୦.୫ କ୍ବିଣ୍ଟାଲ୍‌ ବିହନ ଯୋଗାଇ ଦିଆଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.2 ° C
    21.2 °
    21.2 °
    46 %
    1.9kmh
    53 %
    Sun
    33 °
    Mon
    35 °
    Tue
    37 °
    Wed
    39 °
    Thu
    38 °

    ସମ୍ବନ୍ଧିତ