Sunday, October 4, 2026
22.7 C
Odisha

    ଅନ୍ତରୀଣ ସରକାର ଗଠନ ପାଇଁ ଆଲୋଚନା: ନେତୃତ୍ବ ନେବେ ସୁଶୀଳା କାର୍କି

    ଆଗକୁ ପଢନ୍ତୁ

    କାଠମାଣ୍ଡୁ    : ଜେନ୍‌-ଜେଡ୍‌ ବିକ୍ଷୋଭ, ହିଂସା ଓ ପୋଡ଼ାଜଳାରେ ଛାରଖାର ହୋଇଥିବା ନେପାଳକୁ ସ୍ବାଭାବିକ ଅବସ୍ଥା ଫେରିବାରେ ଲାଗିଛି। ରାଜଧାନୀ କାଠମାଣ୍ଡୁ ସମେତ ଦେଶର ଅନ୍ୟ କୌଣସି ସ୍ଥାନରେ ବୁଧବାର ହିଂସାକାଣ୍ଡ ଘଟି ନାହିଁ। ବିକ୍ଷୋଭକାରୀଙ୍କ ଦାବି ଆଧାରରେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଓ ତାଙ୍କ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ ଇସ୍ତଫା ଦେବା ପରେ ଦେଶରେ ରାଜନୈତିକ ସଂକଟ ସୃଷ୍ଟି ହୋଇଛି। ଏହି ରାଜନୈତିକ ଅଚଳାବସ୍ଥା ପରିପ୍ରେକ୍ଷୀରେ ଅନ୍ତରୀଣ ସରକାର ଗଠନ ଲାଗି କଥାବାର୍ତ୍ତା ଆରମ୍ଭ ହୋଇଛି। ସେନାମୁଖ୍ୟ ଜେନେରାଲ ଅଶୋକ ରାଜ ସିଗଡେଲ ବିକ୍ଷୋଭକାରୀ ଜେନ୍‌-ଜେଡ୍‌ଙ୍କ ପ୍ରତିନିଧି ଦଳ ସହିତ କଥାବାର୍ତ୍ତା କରିଛନ୍ତି। ହିଂସା ଏବଂ କ୍ଷମତା ସଙ୍କଟ ମଧ୍ୟରେ ଜେନ-ଜେଡ୍‌ ଆନ୍ଦୋଳନକାରୀଙ୍କ ମଧ୍ୟରୁ କିଏ ଦେଶର ଶାସନ ଦାୟିତ୍ବ ନେବ ତାହା ସ୍ଥିର କରିବା ଲାଗି ବୈଠକ ହୋଇଛି। ଅନ୍‌ଲାଇନରେ ହୋଇଥିବା ବୈଠକରେ ୫୦୦୦ରୁ ଅଧିକ ଯୁବକ ଅଂଶଗ୍ରହଣ କରିଥିଲେ। ଏଥିରେ ପୂର୍ବତନ ପ୍ରଧାନ ବିଚାରପତି ସୁଶୀଳା କାର୍କିଙ୍କୁ ସର୍ବାଧିକ ସମର୍ଥନ ମିଳିଥିଲା। କାଠମାଣ୍ଡୁ ମେୟର ବାଲେନ୍ ଶାହା, ଯାହାଙ୍କୁ ଏ ପର୍ଯ୍ୟନ୍ତ ଜେନ୍-ଜେଡ୍‌ ଆନ୍ଦୋଳନର ନେତା ଭାବରେ ବିବେଚନା କରାଯାଉଥିଲା, ତାଙ୍କ ସପକ୍ଷରେ କୌଣସି ମତାମତ ମିଳିନାହିଁ। ତେଣୁ ସୁଶୀଲା କାର୍କିଙ୍କୁ ଆଗାମୀ ଅନ୍ତରୀଣ ସରକାରରେ ପ୍ରଧାନମନ୍ତ୍ରୀ କରିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏପରି କି ଭୋଟିଂରେ ଏବେ ସୁଶୀଳା କାର୍କିଙ୍କୁ ସର୍ବାଧିକ ସମର୍ଥନ ମିଳିଛି। ସୁଶୀଳା କାର୍କି ବନାରସ ହିନ୍ଦୁ ୟୁନିଭର୍ସିଟିରୁ ପୋଷ୍ଟ ଗ୍ରାଜୁଏଟ କରିଥିଲେ। ନେପାଳର ବିରାଟ ନଗରରେ ୭ ଜୁନ୍ ୧୯୫୨ରେ ଜନ୍ମ ଗ୍ରହଣ କରିଥିବା ସୁଶୀଳା କାର୍କୀ ନେପାଳ ସୁପ୍ରିମକୋର୍ଟର ପ୍ରଥମ ମହିଳା ପ୍ରଧାନ ବିଚାରପତି। ସେ ୨୦୧୬ ପର୍ଯ୍ୟନ୍ତ ଏହି ପଦଭାର ସମ୍ଭାଳିଥିଲେ।

    ଗତକାଲି ହିଂସା ନିୟନ୍ତ୍ରଣକୁ ଆସିଥିବାବେଳେ କୌଣସି ସ୍ଥାନରେ ପୋଡାଜଳା ହୋଇ ନାହିଁ। ଏପରି କି ଦେଶରେ ସ୍ବାଭାବିକ ଅବସ୍ଥା ଫେରିବାରେ ଲାଗିଛି। ତ୍ରିଭୁବନ ଆନ୍ତର୍ଜାତିକ ବିମାନବନ୍ଦରକୁ ଖୋଲାଯାଇଛି। ସେନା ଏବେ ଦେଶର ସୁରକ୍ଷା ଦାୟିତ୍ବ ବହନ କରିଥିବାବେଳେ ଲୋକଙ୍କୁ ସହଯୋଗ କରିବା ଲାଗି ନିବେଦନ କରାଯାଇଛି। କୌଣସି ପ୍ରକାର ହିଂସାତ୍ମକ କାର୍ଯ୍ୟରୁ ଦୂରେଇ ରହିବାକୁ କୁହାଯାଇଛି। ହିଂସାକୁ ନିୟନ୍ତ୍ରଣ ପାଇଁ ଦେଶର ବିଭିନ୍ନ ସ୍ଥାନରେ କର୍ଫ୍ୟୁ ଲାଗୁ କରାଯାଇଛି। ହିଂସା ସମୟରେ ଜେଲ୍‌ ଭାଙ୍ଗି ୭୦୦୦ କଏଦୀ ଫେରାର ହୋଇଯାଇଛନ୍ତି। ସୂଚନାଯୋଗ୍ୟ ନେପାଳରେ ସୋସିଆଲ ମିଡିଆ ଉପରେ କଟକଣା ଓ ଦୁର୍ନୀତିକୁ ବିରୋଧ କରି ସୋମବାର ଠାରୁ ଦେଶରେ ବିଦ୍ରୋହ ଆରମ୍ଭ ହୋଇଥିଲା। ଛାତ୍ର ଓ ଯୁବବର୍ଗ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ। ଆନ୍ଦୋଳନ ସମୟରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା। ଏପରି କି ଦେଶର ପାର୍ଲାମେଣ୍ଟ, ସୁପ୍ରିମକୋର୍ଟ ସମେତ ପ୍ରମୁଖ ସରକାରୀ ପ୍ରତିଷ୍ଠାନରେ ପୋଡାଜଳା କରିଥିଲେ। ଲୋକେ ମନ୍ତ୍ରୀମାନଙ୍କୁ ମାଡ ମାରିବା ସହିତ ସେମାନଙ୍କ ଘରେ ପୋଡାଜଳା କରିଥିଲେ। ଲୋକଙ୍କ ଆକ୍ରୋଶରୁ ପୂର୍ବତନ ପ୍ରଧାନମନ୍ତ୍ରୀମାନେ ମଧ୍ୟ ବାଦ୍‌ ପଡିନଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.7 ° C
    22.7 °
    22.7 °
    74 %
    1.5kmh
    1 %
    Sat
    22 °
    Sun
    30 °
    Mon
    30 °
    Tue
    31 °
    Wed
    31 °

    ସମ୍ବନ୍ଧିତ