ଜନୈକ ଜ୍ଞାନୀ,ଗୁଣୀ,ତପସ୍ଵୀ ସାଧକ ହିମାଳୟର ପାଦଦେଶରେ ଆଶ୍ରମ ଜୀବନଯାପନ କରୁଥାନ୍ତି । ତାଙ୍କ ପାଖରେ କେବଳ ଭାରତ ନୁହେଁ, ନେପାଳ ପରି ଅନ୍ୟ ଦେଶରୁ ମଧ୍ୟ ଶିଷ୍ୟମାନେ ଆସି ତାଙ୍କର ଶିଷ୍ୟତ୍ଵ ଗ୍ରହଣ କରି ବିଦ୍ୟା ଅଧ୍ୟୟନ କରୁଥାନ୍ତି । ସନ୍ଥ ସାଧକ ଯେପରି ଜ୍ଞାନୀ ଓ ପଣ୍ଡିତ, ତାଙ୍କ ଶିଷ୍ୟମାନେ ମଧ୍ୟ ବିଦ୍ୟା ଆହରଣରେ ଧୁରନ୍ଧର, ଖୁବ ଉତ୍ସାହୀ ଓ ମନନଶୀଳ । ଶିଷ୍ୟମାନେ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରନ୍ତି ଯାହାଫଳରେ କୌଣସି ନିର୍ଯାସ ବା ସାରକଥାରେ ଉପନୀତ ହୁଅନ୍ତି । ଯଦି ନିଜ ନିଜ ମଧ୍ୟରେ ସେ ପ୍ରସଙ୍ଗ ପ୍ରଶ୍ନର ଉତ୍ତର ଯଥାର୍ଥ ମନେ ନହୁଏ ତେବେ ସେମାନେ ଗୁରୁଙ୍କ ଆଶ୍ରୟ ନିଅନ୍ତି ଓ ମତାମତ ଗ୍ରହଣ କରି ଆତ୍ମସନ୍ତୋଷ ଲାଭ କରନ୍ତି ।
ଏକଦା ଗୁରୁ ଶିକ୍ଷାଦାନ କରିବା ନିମନ୍ତେ ଆସିବାକୁ ବିଳମ୍ବ ହେଲା । ଇତି ମଧ୍ୟରେ ଶିଷ୍ୟ ମାନଙ୍କ ମଧ୍ୟରେ ଏକ ବହୁମୂଲ୍ୟ ପ୍ରସଙ୍ଗ ଉପରେ ଆଲୋଚନା ଆରମ୍ଭ ହୋଇଗଲା । ପ୍ରସଙ୍ଗର ଶୀର୍ଷକ ଥିଲା – ଈଶ୍ଵର ବା ଭଗବାନଙ୍କୁ କେଉଁ ଭାଷାରେ ସ୍ତୁତି କଲେ, ଦୁଃଖ ଜଣାଇଲେ ସେ ତାହା ଶୀଘ୍ର ଶ୍ରବଣ କରି ଦୁଃଖ ମୋଚନ କରନ୍ତି କିମ୍ବା ଦୁଃଖ ସହ୍ୟ କରିବା ପାଇଁ ସାହସ ଓ ଧୈର୍ଯ୍ୟ ପ୍ରଦାନ କରିଥାନ୍ତି । ଶିଷ୍ୟମାନେ ଅନେକ ଭାଷାର ନାମ କହି ଚାଲିଲେ । କେତେକ ଶିଷ୍ୟ ନିଜନିଜ କଥିତ ଭାଷା ଉପରେ ବି ଗୁରୁତ୍ଵ ପ୍ରଦାନ କଲେ । କିଏ କହିଲା ଆଦିଭାଷା ସଂସ୍କୃତ । ଏହା ବେଦ ବେଦାନ୍ତ ଭାଷା । ତେଣୁ ଏଇ ଭାଷାରେ ପ୍ରାର୍ଥନା କରିବା ଉଚିତ । କିଏ ହିନ୍ଦୀ ଭାଷା ଉପରେ ଗୁରୁତ୍ଵ ଦେଲେ ତ କିଏ ବଙ୍ଗଳା, କିଏ ଓଡିଆ,କିଏ ଗୁଜୁରାଟୀ, କିଏ ମରାଠୀ ଭାଷା ଉପରେ ଗୁରୁତ୍ଵ ପ୍ରଦାନ କଲେ । ଶିଷ୍ୟମାନେ ସମ୍ପୃକ୍ତ ଭାଷାର ମୁଖ୍ୟ ଭକ୍ତ ମାନଙ୍କର ଉଦାହରଣ ଦେଲେ । ଏ ବିଷୟରେ କିଛି ସମାଧାନ ନପାଇ ଶିଷ୍ୟମାନଙ୍କ ମଧ୍ୟରେ ବରଂ ଯୁକ୍ତିତର୍କ ବଢିଚାଲିଲା ।
ଏହି ସମୟରେ ଗୁରୁଦେବ ଆସି ପଦାର୍ପଣ କଲେ । ଶିଷ୍ୟମାନଙ୍କର ଆଲୋଚନା, ଯୁକ୍ତିତର୍କର କାରଣ ଓ ପ୍ରସଙ୍ଗ ଜାଣିପାରି ତପସ୍ଵୀ ଗୁରୁ କହିଲେ ଭଗବାନ ତ ସବୁ ଭାଷା ଜାଣନ୍ତି, ବୁଝିପାରନ୍ତି । ପ୍ରକୃତରେ ଭଗବାନଙ୍କୁ ଡାକିବା ପାଇଁ କୌଣସି ସ୍ଵତନ୍ତ୍ର ଭାଷାର ଆବଶ୍ୟକତା ଅପେକ୍ଷା ମନର ଭାବ, ଭକ୍ତି ଓ ଅନ୍ତରର ଆବେଗ ଆବଶ୍ୟକ ଥାଏ । ଭକ୍ତ ଅନ୍ତରର ସହ ନିବେଦନ କଲେ, ଆକୁଳତାର ସହ ଡାକଦେଲେ ସେ ଶ୍ରବଣ କରିପାରନ୍ତି । ମୂକ ଭକ୍ତଟିଏ କଥା କହି ନପାରିଲେ ମଧ୍ୟ ତା’ କଥା ଈଶ୍ଵର ବୁଝିପାରନ୍ତି । ତା’ର ପ୍ରାର୍ଥନା ଶୁଣିପାରନ୍ତି । ପଶୁପକ୍ଷୀ, କୀଟପତଙ୍ଗମାନଙ୍କ କଥା ମଧ୍ୟ ବୁଝିବାର ଶକ୍ତି ଈଶ୍ଵରଙ୍କ ନିକଟରେ ଅଛି । ଯେହେତୁ ଅନ୍ତରର କଥା ଶୁଣନ୍ତି,ବୁଝନ୍ତି, ତେଣୁ ଈଶ୍ଵରଙ୍କୁ ପ୍ରକୃତରେ ଅନ୍ତର୍ଯ୍ୟାମୀ ଭାବରେ ବର୍ଣ୍ଣନା କରାଯାଇଥାଏ । ଏକଥା ଶୁଣି ଶିଷ୍ୟମାନେ ନିଜ ନିଜର ଭୁଲ ବୁଝିପାରି ଗୁରୁଙ୍କ ମହାନତା ସମ୍ପର୍କରେ ଜ୍ଞାତ ହୋଇ ଆନନ୍ଦିତ ହେଲେ ।
କାହାଣୀ- ନିରଞ୍ଜନ ପତି