Friday, September 27, 2024
23.7 C
Odisha

    ଅସାଧାରଣ ଯୋଗଶକ୍ତି

    ଆଗକୁ ପଢନ୍ତୁ

     

    ବାଳକ ଯୋଗାନନ୍ଦ ପିତାଙ୍କ ସହିତ କୋଲକାତାରେ ଅବସ୍ଥାନ କରୁଥାନ୍ତି । ଏହି ସମୟରେ ଯୋଗୀ ଶ୍ରୀ ପ୍ରଣବାନନ୍ଦ ବନାରସକୁ ଆସିଥାନ୍ତି । ଏକଦା ଯୋଗାନନ୍ଦଙ୍କ ପିତା ଭଗବତୀ ଚରଣ ବନାରସ ସ୍ଥିତ ତାଙ୍କ ଘନିଷ୍ଠ ବନ୍ଧୁ କେଦାରନାଥଙ୍କ ନିକଟକୁ ଏକ ପତ୍ର ଦେବାକୁ ମନସ୍ଥ କଲେ । ସେ କେଦାରନାଥଙ୍କ ଠିକଣା ଜାଣିନଥିଲେ । ତେଣୁ ସେ ଏକ ପତ୍ର ସ୍ଵାମୀ ପ୍ରଣବାନନ୍ଦଙ୍କ ନିକଟକୁ ଓ ଅନ୍ୟ ପତ୍ର କେଦାରନାଥଙ୍କ ନିକଟକୁ ନିଜ ପୁତ୍ର ହସ୍ତରେ ପ୍ରେରଣ କଲେ । ସ୍ଵାମୀ ପ୍ରଣବାନନ୍ଦ କେଦାରନାଥଙ୍କ ଠିକଣା ଜାଣନ୍ତି ତେଣୁ ତାଙ୍କ ସହାୟତାରେ କେଦାରନାଥ ପତ୍ର ପାଇ ପାରିବେ ବୋଲି ଭଗବତୀ ପୁତ୍ର ହାତରେ ଚିଠି ପ୍ରଣବାନନ୍ଦଙ୍କ ନିକଟକୁ ପଠାଇଥିଲେ ।

    ଯୋଗାନନ୍ଦଙ୍କ ଜୀବନରେ ଆଧ୍ୟାତ୍ମିକ ତତ୍ତ୍ଵପ୍ରତି ବିଶେଷ ଆକର୍ଷଣ ରହିଥିଲା । ତାଙ୍କ ଜିଜ୍ଞାସା ପରିପୂରଣାର୍ଥେ ଏହି ଘଟଣା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଥିଲା । ଯୋଗାନନ୍ଦ ପ୍ରଣବାନନ୍ଦଙ୍କ ନିକଟରେ ପହଞ୍ଚିବା ପରେ ପ୍ରଣବାନନ୍ଦ ହସିହସି ତାଙ୍କୁ ସ୍ଵାଗତ ଜଣାଇଲେ । କହିଲେ – ଆସ ଛୋଟ ମହାଶୟ ! ତୁମେ ଭଗବତୀ ଚରଣଙ୍କ ପୁତ୍ର ! ବାଳକ ଆଶ୍ଚର୍ଯ୍ୟ ହୋଇଗଲେ ଓ ବିନୟ ଭାବରେ ପ୍ରଣିପାତ କରି କହିଲେ, ଆପଣ ନିଶ୍ଚୟ ସ୍ଵାମୀ ପ୍ରଣବାନନ୍ଦଜୀ ହୋଇଥିବେ । ସ୍ୱାମୀଜୀ ସ୍ମିତହାସ୍ୟ ପୂର୍ବକ ହଁ ଭରିଲେ । ଯୋଗ ଶକ୍ତିର ପ୍ରଦର୍ଶନ କେବଳ ଉପ‌ଯୁକ୍ତ ପାତ୍ର ନିକଟରେ କରାଯାଏ । ତେଣୁ ବାଳକ ଯୋଗାନନ୍ଦଙ୍କୁ ଉପଯୁକ୍ତ ପାତ୍ର ମନେକରି ସ୍ଵାମୀଜୀ ଏଭଳି ବାତାବରଣ ସୃଷ୍ଟି କରିଥିଲେ । ବାଳକ ଯୋଗାନନ୍ଦଙ୍କ ଆସିବାର କାରଣ ସ୍ଵାମୀ ପ୍ରଣବାନନ୍ଦଜୀ ଯେପରି ପୂର୍ବରୁ ଅବଗତ ଥିଲେ । ସେ କହିଲେ, ତମ ପିତା କେଦାରନାଥଙ୍କ ପାଖକୁ ପତ୍ର ପ୍ରେରଣ କରିଛରି ତ ! ଅପେକ୍ଷା କର । ମୁଁ ବ୍ୟବସ୍ଥା କରୁଛି । ଏହା କହି ସେ ଧ୍ୟାନସ୍ଥ ହୋଇଗଲେ । ପ୍ରାୟ ସାତ ମିନିଟ ପରେ ଧ୍ୟାନ ଭଗ୍ନ ହେଲା । ତା’ପରେ ସେ କହିଲେ, କେଦାରବାବୁ ଏଇ ଅଧଘଣ୍ଟାଏ ପରେ ଏଠାରେ ଉପସ୍ଥିତ ହେବେ । ସତକୁ ସତ ଅଧଘଣ୍ଟାଏ ପରେ ବାଳକଙ୍କୁ କହିଲେ – ଯାଅ ଦେଖ ବୋଧହୁଏ କେଦାରନାଥ ପହ‌ଞ୍ଚି ଗଲେଣି । ତାଙ୍କୁ ସସମ୍ମାନେ ପାଛୋଟି ଆଣ । ସତକୁ ସତ କେଦାରନାଥ ପହ‌ଞ୍ଚି ଯାଇଥିଲେ । ଯୋଗାନନ୍ଦ ପଚାରିବାରୁ ସେ କେଦାରନାଥ ବୋଲି କହିଲେ । ତତ୍‌ସହ କହିଲେ ଏଇ ଅଧଘଣ୍ଟା ପୂର୍ବରୁ ସ୍ଵାମୀ ପ୍ରଣବାନନ୍ଦଜୀ ମତେ ଗଙ୍ଗା କୂଳରେ ସାକ୍ଷାତ କରି ଏଠାକୁ ଆସିବାକୁ କହିଲେ । ସେ କିପରି ଜାଣିଲେ ଯେ ମୁଁ ସେଠାରେ ଥିଲି ବୋଲି? ବନ୍ଧୁପୁତ୍ର ଯୋଗାନନ୍ଦ ମତେ ଅପେକ୍ଷା କରିଛନ୍ତି ବୋଲି କହି ପୁଣି କୁଆଡେ ଚାଲିଗଲେ । ସେ ଏଠାରେ କେତେବେଳେ ପହଞ୍ଚିଲେ ? ଯୋଗାନନ୍ଦ କେଦାରନାଥଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହେଲେ ଯେ, ଯୋଗୀ ଏଠାରୁ କୁଆଡେ ବି ଯାଇ ନାହାନ୍ତି । କେବଳ କିଛି ସମୟ ପାଇଁ ଧ୍ୟାନସ୍ଥ ଥିଲେ । ଯୋଗାନନ୍ଦ କେଦାରନାଥଙ୍କୁ ପ୍ରଶ୍ନକଲେ ସ୍ୱାମୀଜୀ କ’ଣ ପରିଧାନ କରିଥିଲେ? କେଦାରନାଥ ଉତ୍ତର ଦେଲେ ଲେଙ୍ଗୁଟି, କଠଉ ଓ ପିତ୍ତ ଉତ୍ତରୀୟ । ଯୋଗାନନ୍ଦ ଚିନ୍ତାକଲେ ସ୍ଵାମୀ ଏବେ ବି ସେଇ ପୋଷାକ ପରିଧାନ ପୂର୍ବକ ବସିଛନ୍ତି । ସେ ଏଠାରେ ଥାଇ ଗଙ୍ଗାକୂଳରେ ଦେଖାଦେଲେ କିପରି ?

    ପ୍ରଣବାନନ୍ଦ ଯୋଗାନନ୍ଦଙ୍କ ଭାବନା ବୁଝିପାରି ହସିହସି କହିଲେ– ଯୋଗୀ ପାଖରେ ଏସବୁ ସମ୍ଭବ । ସୂକ୍ଷ୍ମ ଶରୀର ସ୍ଵପ୍ନ, ସୁଷୁପ୍ତି ଓ ମୃତ୍ୟୁ ପରେ ମଧ୍ୟ କ୍ରିୟାଶୀଳ ରହେ । ସେହିଠାରେ ଯୋଗାନନ୍ଦ ଆଧ୍ୟାତ୍ମିକ ସାଧନା ଓ ଅତିନ୍ଦ୍ରିୟ ଶକ୍ତିର ବିକାଶ ପାଇଁ ଆଗ୍ରହୀ ହୋଇ ଶପଥ ନେଲେ । ଯୋଗାଭ୍ୟାସ ବଳରେ ସେହି ବାଳକ ଯୋଗାନନ୍ଦ ଯୋଗୀ ସ୍ଵାମୀଜୀ ଯୋଗାନନ୍ଦ ଭାବରେ ପରିଚିତ ହୋଇ ସିଦ୍ଧ ସାଧକ ହୋଇ ପାରିଥିଲେ ।

    କାହାଣୀ- ନିରଞ୍ଜନ ପତି

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.7 ° C
    23.7 °
    23.7 °
    98 %
    1.6kmh
    100 %
    Fri
    30 °
    Sat
    31 °
    Sun
    31 °
    Mon
    31 °
    Tue
    31 °

    ସମ୍ବନ୍ଧିତ