ଆରଡି : ଆସନ୍ତା ଅକ୍ଟୋବର ୩ ମୂଳାଷ୍ଟମୀ ଠାରୁ ଆରଡି ପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଥିବା ପୀଠଦେବୀ ମା’ଜୟଦୁର୍ଗାଙ୍କ ମଣ୍ଡପରେ ଷୋଡ଼ଶ ଦିବସୀୟ ପୂଜା ଦଶହରା ଯାଏଁ ଅନୁଷ୍ଠିତ ହେବ। ଏଥିପାଇଁ ଉଭୟ ମନ୍ଦିର ସେବାୟତ ଓ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି। ମା’ଙ୍କ ପୂଜାମଣ୍ଡପରେ ରଙ୍ଗକାର୍ଯ୍ୟ କରାଯିବା ସହ ତୋରଣ କାର୍ଯ୍ୟ ଚାଲିଛି। ସେହିପରି ସେବାୟତଙ୍କ ପକ୍ଷରୁ ପୂଜା ଆରମ୍ଭ ଶେଷ ଯାଏଁ ପ୍ରତିଦିନ ପାଳିଆଙ୍କ ନାମ ଚୂଡ଼ାନ୍ତ ତାଲିକା କରାଯିବା ସହିତ ମା’ଙ୍କ ବିଧିବିଧାନ ଅନୁଯାୟୀ ପ୍ରତିଦିନ ଜୟଦୁର୍ଗା, ସର୍ବମଙ୍ଗଳା, ମହାଲକ୍ଷ୍ମୀ, ମହାକାଳୀ, ଗାୟତ୍ରୀ, ସାବିତ୍ରୀ, ସରସ୍ବତୀ, ଦଶଭୂଜା ଆଦି ବେଶ ସମ୍ପନ୍ନ ହେବ ବୋଲି ସେବାୟତଙ୍କ ପକ୍ଷରୁ ଚୂଡାନ୍ତ କରାଯାଇଛି। ସେହିପରି ପ୍ରତିଦିନ ଘଟ ଉତ୍ତୋଳନ, ହଳଦୀ ପଞ୍ଚାମୃତ ସ୍ନାନ, ଚଣ୍ଡିପାଠ, ଷୋଡ଼ଶ ଉପଚାର ପୂଜା ଆଦି ଅନୁଷ୍ଠିତ ହେବ।
