ଆଖି ଆମ ଶରୀରର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ମଧ୍ୟରୁ ଗୋଟିଏ । ଏହା ମାଧ୍ୟମରେ ଆମେ ଦୁନିଆକୁ ଦେଖିପାରୁ । କିନ୍ତୁ ବର୍ତ୍ତମାନ ସମୟରେ ଛୋଟ ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ଅନେକ ଲୋକ ଆଖି ସମସ୍ୟାରେ ପୀଡ଼ିତ ହେଉଛନ୍ତି । ଜୀବନଶୈଳୀର ପରିବର୍ତ୍ତନ, ଖାଦ୍ୟପାନୀୟରେ ଅବହେଳା ଓ ଡିଜିଟାଲ ଉପକରଣର ଅଧିକ ବ୍ୟବହାର ଏହାର ମୁଖ୍ୟ କାରଣ ।
ସବୁଠାରୁ ବଡ଼ କାରଣ ହେଉଛି ମୋବାଇଲ, କମ୍ପ୍ୟୁଟର ଓ ଟିଭିକୁ ଦୀର୍ଘ ସମୟ ଧରି ଦେଖିବା । ଏହି ସ୍କ୍ରିନରୁ ବାହାରୁଥିବା ଆଲୋକ ଆଖି ଉପରେ ଚାପ ପକାଇଥାଏ । ଫଳରେ ଆଖି ଜଳିବା, ଶୁଖିଯିବା, ମୁଣ୍ଡବିନ୍ଧା ଏବଂ ଦୂର କିମ୍ବା ପାଖ ଜିନିଷ ସ୍ପଷ୍ଟ ନ ଦେଖାଯିବା ଭଳି ସମସ୍ୟା ଦେଖାଦେଇପାରେ ।
ପୋଷ୍ଟିକ ଖାଦ୍ୟର ଅଭାବ ମଧ୍ୟ ଆଖି ଖରାପ ହେବାର ଏକ ପ୍ରମୁଖ କାରଣ । ଶରୀରରେ ଭିଟାମିନ-ଏ, ଭିଟାମିନ-ସି, ଭିଟାମିନ-ଇ ଓ ଜିଙ୍କ ଭଳି ପୋଷକ ତତ୍ତ୍ୱର ଅଭାବ ହେଲେ ଆଖିର ଦୃଷ୍ଟିଶକ୍ତି ଧୀରେ ଧୀରେ କମିଯାଇପାରେ । ସବୁଜ ପନିପରିବା, ଗାଜର, ପାଳଙ୍ଗ ଶାଗ, ମାଛ, ଅଣ୍ଡା ଓ ଫଳ ଖାଇଲେ ଆଖି ସୁସ୍ଥ ରହିଥାଏ ।
ବଂଶଗତ କାରଣରୁ ମଧ୍ୟ କେତେକ ଲୋକଙ୍କର ଆଖି ସମସ୍ୟା ହୋଇପାରେ । ପରିବାରରେ ଯଦି ବାପା, ମା’ କିମ୍ବା ଅନ୍ୟ ସଦସ୍ୟଙ୍କର ଦୃଷ୍ଟି ସମସ୍ୟା ଥାଏ, ତେବେ ପରବର୍ତ୍ତୀ ପିଢ଼ିରେ ମଧ୍ୟ ଏହା ଦେଖାଯାଇପାରେ ।
ବୟସ ବଢ଼ିବା ସହିତ ଆଖିର ଦୃଷ୍ଟିଶକ୍ତି ମଧ୍ୟ କମିବା ସ୍ୱାଭାବିକ। ବୟସ୍କ ଲୋକଙ୍କଠାରେ ମୋତିଆବିନ୍ଦୁ, ଗ୍ଲୁକୋମା ଏବଂ ଅନ୍ୟାନ୍ୟ ଆଖି ରୋଗ ହେବାର ଆଶଙ୍କା ବଢ଼ିଥାଏ। ତେଣୁ ନିୟମିତ ଆଖି ପରୀକ୍ଷା କରାଇବା ଜରୁରୀ ।
ପର୍ଯ୍ୟାପ୍ତ ଘୁମ ନ ହେବା, ଅଧିକ ମାନସିକ ଚାପ, ଧୂମପାନ ଓ ମଦ୍ୟପାନ ମଧ୍ୟ ଆଖିର କ୍ଷତି କରିପାରେ। ଏହା ସହିତ ଧୂଳି, ଧୂଆଁ ଓ ପ୍ରଦୂଷିତ ପରିବେଶରେ ଅଧିକ ସମୟ ରହିଲେ ଆଖିରେ ଆଲର୍ଜି, କୁଣ୍ଡେଇ ହେବା କିମ୍ବା ସଂକ୍ରମଣ ହୋଇପାରେ।
ଆଖିକୁ ସୁସ୍ଥ ରଖିବା ପାଇଁ ମୋବାଇଲ ଓ କମ୍ପ୍ୟୁଟରର ବ୍ୟବହାର ସୀମିତ କରିବା, ସନ୍ତୁଳିତ ଖାଦ୍ୟ ଖାଇବା, ପର୍ଯ୍ୟାପ୍ତ ପାଣି ପିଇବା, ଭଲ ଘୁମ କରିବା ଏବଂ ନିୟମିତ ଆଖି ପରୀକ୍ଷା କରାଇବା ଆବଶ୍ୟକ। କୌଣସି ଅସୁବିଧା ଅନୁଭବ କଲେ ନିଜେ ଔଷଧ ନ ଖାଇ ଚକ୍ଷୁ ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ । ଠିକ୍ ଯତ୍ନ ନେଲେ ଆଖିକୁ ଦୀର୍ଘ ଦିନ ପର୍ଯ୍ୟନ୍ତ ସୁସ୍ଥ ଓ ସୁରକ୍ଷିତ ରଖିହେବ।
