Monday, July 13, 2026
27.3 C
Odisha

    ଆଜିଠୁ ଅଙ୍ଗନବାଡ଼ିରୁ ଦ୍ବାଦଶ ଶ୍ରେଣୀ ସ୍କୁଲ ବନ୍ଦ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଖରା ତାତିରେ ଜଳୁଛି ସମଗ୍ର ପଶ୍ଚିମ ଓଡ଼ିଶା। ୪୬ .୨ ଡିଗ୍ରୀ ତାପମାତ୍ରା ସହ ଝାରସୁଗୁଡ଼ା ଦେଶର ସବୁଠୁ ଉତ୍ତପ୍ତ ସ୍ଥାନ ପାଲଟିଛି। ୨୫ ତାରିଖ ଯାଏଁ ଝାରସୁଗୁଡ଼ାକୁ ସିଭିୟର ହିଟ୍‌ୱେଭ୍‌ ଚେତାବନୀ ଦିଆଯାଇଛି। ୨୭ ତାରିଖ ଯାଏଁ ରାଜ୍ୟରେ ହିଟ୍‌ୱେଭ ବା ଗ୍ରୀଷ୍ମଲହରୀ ଲାଗି ରହିବ। ଆସନ୍ତା ୩ ଦିନ ମଧ୍ୟରେ ତାପମାତ୍ରା ୨-୪ ଡିଗ୍ରୀ ଯାଏଁ ବୃଦ୍ଧି ପାଇବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ବିଶେଷକରି ଅନୁଗୋଳ, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କଳାହାଣ୍ଡି, ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ, ବରଗଡ଼ ଏବଂ ନୂଆପଡ଼ାରେ ୪୩ ଡିଗ୍ରୀ ଉପରେ ତାପମାତ୍ରା ରହିବ। ୨୭ ତାରିଖରୁ ତାପମାତ୍ରା ୪ ଡିଗ୍ରୀ ଯାଏଁ ହ୍ରାସ ପାଇବ ବୋଲି କୁହାଯାଇଛି। ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଦିନ ତାପମାତ୍ରାରେ ଅତ୍ୟଧିକ ବୃଦ୍ଧିକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ପାଇଁ ଆଜିଠାରୁ ଖରା ଛୁଟି ଘୋଷଣା କରିଛନ୍ତି ସରକାର। ଆଜିଠୁ ଅଙ୍ଗନବାଡ଼ି, ଶିଶୁବାଟିକାଠାରୁ ଆରମ୍ଭ କରି ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଗତକାଲି ଏ ସମ୍ପର୍କରେ ସମୀକ୍ଷା କରିବା ପରେ ଏହି ନିର୍ଦେଶ ଦେଇଛନ୍ତି।

    ନିର୍ଦେଶ ଅନୁଯାୟୀ ଅଙ୍ଗନବାଡ଼ି କେନ୍ଦ୍ର, ଶିଶୁବାଟିକାଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ, ବେସରକାରୀ ସ୍କୁଲ ବନ୍ଦ ରହିବ। ଏହି ସମୟ ମଧ୍ୟରେ ଅଙ୍ଗନବାଡ଼ି ପିଲାଙ୍କୁ ସେମାନଙ୍କ ଘରେ ଶୁଖିଲା ଖାଦ୍ୟ ଯୋଗାଇ ଦେବା ପାଇଁ ନିର୍ଦେଶ ଦିଆଯାଇଛି। ଉଭୟ ସରକାରୀ ଓ ବେସରକାରୀ କଲେଜ ପିଲାଙ୍କ ପାଇଁ ରାଜ୍ୟ ସରକାର ଏପ୍ରିଲ ୨୩ରୁ ୫ଦିନ ପାଇଁ ଛୁଟି ଘୋଷଣା କରିଛନ୍ତି। ଏହାସହିତ ହଷ୍ଟେଲ ପିଲାମାନେ ଚାହିଁଲେ ଏହି ଛୁଟି ସମୟରେ ହଷ୍ଟେଲରେ ରହିପାରିବେ। ଗତକାଲି ଝାରସୁଗୁଡ଼ା ରାଜ୍ୟରେ ସବୁଠୁ ଉତ୍ତପ୍ତ ସ୍ଥାନ ଥିବାବେଳେ ସକାଳ ୮ଟାରେ ଏଠାରେ ତାପମାତ୍ରା ୩୫ ଡିଗ୍ରୀ ପାଖାପାଖି ରହିଥିଲା। ଦିନ ୨ଟା ବେଳେ ୪୪ ଡିଗ୍ରୀ ଟପି ଯାଇଥିଲା। ଆସନ୍ତାକାଲି ମଧ୍ୟ ଏଠାରେ ପ୍ରବଳ ଗ୍ରୀଷ୍ମଲହରୀ ପ୍ରବାହିତ ହେବ। ଏଥିନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ରହିଛି। ରାଜ୍ୟର କେତେକ ସ୍ଥାନରେ ରାତିରେ ମଧ୍ୟ ଭୀଷଣ ଉଷ୍ଣତା ଅନୁଭୂତ ହେବ ବୋଲି ପାଣିପାଗ କେନ୍ଦ୍ର ସତର୍କତା ଜାରି କରିଛି। ସେହିପରି ଉପକୂଳ ଓଡ଼ିଶାରେ ଉଷ୍ଣ-ଆର୍ଦ୍ର ପରିସ୍ଥିତି ଲାଗି ରହିବ।
    ବୌଦ୍ଧ, ବଲାଙ୍ଗୀର, ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, କଳାହାଣ୍ଡି ଏବଂ ସୁବର୍ଣ୍ଣପୁର ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ହିଟ୍‌ୱେଭ୍‌ ଅନୁଭୂତ ହେବା ନେଇ ଅରେଞ୍ଜ ୱାର୍ଣ୍ଣିଂ ରହିଛି। ଅନୁଗୋଳ, ନୂଆପଡ଼ା, ଦେବଗଡ଼କୁ ଗ୍ରୀଷ୍ମ ଲହରୀ ଏବଂ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଏବଂ ଗଜପତି ଜିଲାକୁ ଉଷ୍ଣ -ଆର୍ଦ୍ର ସ୍ଥିତି ନେଇ ୟେଲୋ ୱାର୍ଣ୍ଣିଂ ରହିଛି। ସମ୍ବଲପୁର, ସୁନ୍ଦରଗଡ଼ ଏବଂ ବଲାଙ୍ଗୀରରେ ରାତିରେ ଉଷ୍ଣତା ସ୍ଥିତି ଲାଗି ରହିବ, ଏନେଇ ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଗ୍ରୀଷ୍ମଲହରୀ ଓ ଗୁଳୁଗୁଳି ଲାଗି ରହିଥିବାରୁ ଅସୁସ୍ଥତା ଦେଖାଦେଇପାରେ। ବିଶେଷକରି ଶିଶୁ, ଗର୍ଭବତୀ, ଅସୁସ୍ଥ ଏବଂ ବୃଦ୍ଧବୃଦ୍ଧାଙ୍କ ପାଇଁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ବାହାରକୁ ଯିବା ସମୟରେ ସତର୍କତା ଅବଲମ୍ବନ କରିବାକୁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଖରାରେ ଅଧିକ ସମୟ ନ ରହିବା, କଠିନ ପରିଶ୍ରମ ନ କରିବା, ଅଧିକ ପାଣି, ଓଆରଏସ୍, ଦହି ପିଇବାକୁ ପରାମର୍ଶ ଦିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.3 ° C
    27.3 °
    27.3 °
    69 %
    2.4kmh
    90 %
    Sun
    27 °
    Mon
    34 °
    Tue
    27 °
    Wed
    31 °
    Thu
    34 °

    ସମ୍ବନ୍ଧିତ