ପୁରୀ : ରତ୍ନ ସିଂହାସନରେ ମହାପ୍ରଭୁ । ନବଦିନାତ୍ମକ ଯାତ୍ରା ସାରି ରତ୍ନବେଦୀରେ ବିଜେ ହୋଇଛନ୍ତି ଶ୍ରୀଜିଉ । ମହାପ୍ରଭୁ ଶ୍ରୀମନ୍ଦିରକୁ ବିଜେ କରିବା ପରେ ଆଜି ଶ୍ରୀମନ୍ଦିରରେ ବାହାରିବ ନୀଳାଚଳ ଅବଢ଼ା । ଭକ୍ତ ଏବଂ ଶ୍ରଦ୍ଧାଳୁ ପାଇବେ ମହାପ୍ରସାଦ । ସେହିପରି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଭକ୍ତମାନେ ଶ୍ରୀମନ୍ଦିର ରତ୍ନସିଂହାସନରେ ଦର୍ଶନ କରିବେ । ଆଜି ମହାପ୍ରଭୁଙ୍କ ସକାଳ ଧୂପ ପରେ ଭକ୍ତମାନଙ୍କୁ ନୀଳାଚଳ ଅବଢ଼ା ମିଳିବ । ମହାପ୍ରଭୁ ରଥ ଉପରେ ଥିବାରୁ ମହାପ୍ରଭୁଙ୍କୁ ଶୁଖିଲା ଭୋଗ ଲାଗି ହେଉଥିଲା । ମହାପ୍ରଭୁ ଶ୍ରୀମନ୍ଦିରକୁ ବିଜେ କରିବା ପରେ ଆଜି ମହାପ୍ରଭୁଙ୍କ ନିକଟରେ ମହାପ୍ରସାଦ ଲାଗି ହେବ । ରଥଯାତ୍ରା ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନିକଟରେ ପ୍ରଥମକରି ମହାପ୍ରସାଦ ଲାଗି ହେଉଥିବାରୁ ଏହାକୁ ନୀଳାଚଳ ଅବଢ଼ା ବୋଲି କୁହାଯାଇଥାଏ । ରଥଯାତ୍ରା ପୂର୍ବରୁ ଯେଉଁଭଳି ଭାବେ ଭକ୍ତମାନେ ମହାପ୍ରସାଦ ପାଇଥିଲେ । ଠିକ୍ ସେହିଭଳି ଭାବରେ ମହାପ୍ରସାଦ ଶ୍ରୀମନ୍ଦିର ପରିସରରେ ପାଇପାରିବେ । ମହାପ୍ରଭୁଙ୍କ ନିକଟରେ ଭୋଗ ହୋଇଥିବା ପ୍ରଥମ ନୀଳାଚଳ ଅବଢାକୁ ପାଇବା ପାଇଁ ଭକ୍ତମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି ।
ଏଥିପାଇଁ ସୁଆର ମହାସୁଆର ନିଯୋଗ ପକ୍ଷରୁ ସମସ୍ତ ପ୍ରକାର ଆନୁଷଙ୍ଗିକ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରଥମ ଦିନରେ ପ୍ରାୟ ଲକ୍ଷେ ଭକ୍ତଙ୍କ ପାଇଁ ଅବଢ଼ା ତିଆରି କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ତେବେ ନୀଳାଦ୍ରି ବିଜେର ଶ୍ରୀଜିଉଙ୍କ ନୀତିକାନ୍ତିରେ କିଛିଟା ସମୟ ବ୍ୟବଧାନ ହେଉଥିବାରୁ, ଆଜି ନୀଳାଚଳ ଅବଢ଼ା ବାହାରିବାରେ ସାମାନ୍ୟ ବିଳମ୍ବ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।
