Wednesday, October 7, 2026
23.2 C
Odisha

    ଆଜି ଜାତୀୟ ହସ୍ତତନ୍ତ ଦିବସ, ବୁଣାକାରଙ୍କ ହାତରେ ବଞ୍ଚିଛି ଭାରତର ପରମ୍ପରା

    ଆଗକୁ ପଢନ୍ତୁ

    ଆଜି ଜାତୀୟ ହସ୍ତତନ୍ତ ଦିବସ । ପ୍ରତିବର୍ଷ ଅଗଷ୍ଟ ୭ ତାରିଖକୁ ଦେଶରେ ଜାତୀୟ ହସ୍ତତନ୍ତ ଦିବସ ଭାବେ ପାଳନ କରାଯାଏ। ଭାରତର ସମୃଦ୍ଧ ହସ୍ତତନ୍ତ ପରମ୍ପରାକୁ ସମ୍ମାନ ଜଣାଇବା ସହ ଲକ୍ଷ ଲକ୍ଷ ବୁଣାକାରଙ୍କ ପରିଶ୍ରମ, କଳାକୌଶଳ ଓ ଅବଦାନକୁ ସ୍ୱୀକୃତି ଦେବା ହେଉଛି ଏହି ଦିବସ ପାଳନର ମୂଳ ଉଦ୍ଦେଶ୍ୟ । ୧୯୦୫ ମସିହାରେ ଆଜିର ଦିନରେ କୋଲକାତା ଟାଉନ୍ ହଲ୍ ରୁ ସ୍ୱଦେଶୀ ଆନ୍ଦୋଳନର ଆରମ୍ଭ ହୋଇଥିଲା । ବିଦେଶୀ ସାମଗ୍ରୀ ବର୍ଜନ କରି ସ୍ୱଦେଶୀ ଉତ୍ପାଦ, ବିଶେଷକରି ହସ୍ତତନ୍ତ ବସ୍ତ୍ର ବ୍ୟବହାର ପାଇଁ ଆହ୍ୱାନ ଦିଆଯାଇଥିଲା । ସେହି ଐତିହାସିକ ଘଟଣାକୁ ସ୍ମରଣ କରି ୨୦୧୫ ମସିହାରେ କେନ୍ଦ୍ର ସରକାର ଅଗଷ୍ଟ ୭କୁ ଜାତୀୟ ହସ୍ତତନ୍ତ ଦିବସ ଭାବେ ଘୋଷଣା କରିଥିଲେ।

    ଭାରତର ହସ୍ତତନ୍ତ କ୍ଷେତ୍ର ଦେଶର ସବୁଠୁ ବଡ଼ ଅଣ-କୃଷି ଗ୍ରାମୀଣ ରୋଜଗାର କ୍ଷେତ୍ର ମଧ୍ୟରୁ ଅନ୍ୟତମ। ସରକାରୀ ତଥ୍ୟ ଅନୁସାରେ ୩୫ ଲକ୍ଷରୁ ଅଧିକ ଲୋକ ଏହି କ୍ଷେତ୍ର ସହ ଜଡ଼ିତ ଥିବାବେଳେ ସେଥିରୁ ୭୦ ପ୍ରତିଶତରୁ ଅଧିକ ମହିଳା। ହସ୍ତତନ୍ତ କେବଳ ରୋଜଗାରର ମାଧ୍ୟମ ନୁହେଁ, ଏହା ଭାରତର ସଂସ୍କୃତି, ପରମ୍ପରା ଓ କଳାର ଜୀବନ୍ତ ପରିଚୟ।  ତେବେ ପାୱାରଲୁମ୍ ର ବଢ଼ୁଥିବା ପ୍ରତିଯୋଗିତା, କମ୍ ଆୟ, ବଜାର ସୁବିଧାର ଅଭାବ ଏବଂ ଯୁବପିଢ଼ିର କମୁଥିବା ଆଗ୍ରହ ଯୋଗୁଁ ହସ୍ତତନ୍ତ କ୍ଷେତ୍ର ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଜାତୀୟ ହସ୍ତତନ୍ତ ବିକାଶ କାର୍ଯ୍ୟକ୍ରମ, ସୂତା ଯୋଗାଣ ଯୋଜନା, ବୁଣାକାର କଲ୍ୟାଣ ଯୋଜନା ଓ ବଜାର ସଂଯୋଗ ବୃଦ୍ଧି ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି।

    ହସ୍ତତନ୍ତ କ୍ଷେତ୍ରରେ ଓଡ଼ିଶାର ସ୍ୱତନ୍ତ୍ର ପରିଚୟ ରହିଛି। ସମ୍ବଲପୁରୀ ଇକତ୍, ବୋମକାଇ, କୋଟପାଡ଼ ଓ ଗୋପାଳପୁର ଟସର ଭଳି ଜିଆଇ ଟ୍ୟାଗ୍ ପ୍ରାପ୍ତ ବସ୍ତ୍ର ସାରା ଦେଶରେ ଲୋକପ୍ରିୟ। ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, ବଲାଙ୍ଗିର ଓ କୋରାପୁଟ ଜିଲ୍ଲା ହସ୍ତତନ୍ତ ଉତ୍ପାଦନର ପ୍ରମୁଖ କେନ୍ଦ୍ର। ଗତ ପାଞ୍ଚ ବର୍ଷରେ ଓଡ଼ିଶାର ହସ୍ତତନ୍ତ ବିକ୍ରି ପ୍ରାୟ ୧,୫୪୪ କୋଟି ଟଙ୍କାରେ ପହଞ୍ଚିଛି। ବୁଣାକାରଙ୍କ ଆୟ ବଢ଼ାଇବା, ଡିଜାଇନ୍ , ବ୍ରାଣ୍ଡିଂ ଓ ବଜାର ସୁବିଧାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ହସ୍ତତନ୍ତ ବିକାଶ ଯୋଜନା, କ୍ଲଷ୍ଟର ବିକାଶ, ସୂତା ସବସିଡି, କୌଶଳ ବିକାଶ ଓ ଭିତ୍ତିଭୂମି ସହାୟତା ଭଳି ଅନେକ ପଦକ୍ଷେପ ନେଉଛନ୍ତି। ଜାତୀୟ ହସ୍ତତନ୍ତ ଦିବସ ଅବସରରେ ଦେଶ ସେହି ଲକ୍ଷ ଲକ୍ଷ ବୁଣାକାରଙ୍କୁ ଶ୍ରଦ୍ଧା ଜଣାଉଛି, ଯାହାଙ୍କ ହାତର ସୃଜନଶୀଳତା ଓ ପରିଶ୍ରମ ଭାରତର ବସ୍ତ୍ର ପରମ୍ପରାକୁ ଆଜି ମଧ୍ୟ ଜୀବନ୍ତ ରଖିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.2 ° C
    23.2 °
    23.2 °
    89 %
    1.8kmh
    0 %
    Wed
    23 °
    Thu
    30 °
    Fri
    29 °
    Sat
    30 °
    Sun
    30 °

    ସମ୍ବନ୍ଧିତ