Sunday, April 12, 2026
27.5 C
Odisha

    ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆଜି ମାର୍ଚ୍ଚ ୫ ତାରିଖ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜୟନ୍ତୀ । ଓଡିଆ ସ୍ୱାଭିମାନ ଓ ସଂକଳ୍ପର କିମ୍ବଦନ୍ତୀ ପୁରୁଷ ହେଉଛନ୍ତି ବିଜୁ ପଟ୍ଟନାୟକ । ସେ ଥିଲେ ଓଡିଆଙ୍କ ଗର୍ବ ଏବଂ ଗୌରବ । ନୂଆ ଓଡ଼ିଶା ଗଠନ କରିବାରେ ତାଙ୍କର ଥିଲା ପ୍ରମୁଖ ଭୂମିକା । ସାହସୀ ଓ ନିର୍ଭିକ ବ୍ୟକ୍ତିତ୍ବ ଭାବେ ପ୍ରତିଟି ଓଡ଼ିଆଙ୍କ ମନରେ ସେ ରହିଛନ୍ତି । ବିଜୁ ବାବୁ ଥିଲେ ଏକ ଅଦ୍ୱିତୀୟ ବ୍ୟକ୍ତିତ୍ୱ, ଏକ ମହାନ ଜନନାୟକ। ଆଜି ସେହି ମହାନାୟକଙ୍କ ଜୟନ୍ତୀ ଅବସରରେ ରାଜ୍ୟସ୍ତରରୁ ଆରମ୍ଭ କରି, ନିର୍ବାଚନମଣ୍ଡଳୀ, ପୌରାଞ୍ଚଳ ଏବଂ ପଞ୍ଚାୟତ ସ୍ତରରେ ବିଜୁ ଜୟନ୍ତୀ ପାଳନ ଲାଗି ବିଜେଡି ପକ୍ଷରୁ ପ୍ରସ୍ତୁତି କରାଯାଇଛି । ଶଙ୍ଖ ଭବନରେ ମଧ୍ୟ ବିଜୁବାବୁଙ୍କ ଜୟନ୍ତୀ ପାଳନ କରାଯିବ।

    ବିଜୁ ବାବୁ ଥିଲେ କଳିଙ୍ଗ ମାଟିର ଦ ଟଲ୍ ମ୍ୟାନ। ନବ ଉତ୍କଳର ଅନ୍ୟତମ ପୁରୋଧା । କିଏ କହେ ’ମାଟିର ବରପୁତ୍ର’ କିଏ କହେ ’ଝଡ଼ର ଇଗଲ’ । ତାଙ୍କର ଅଭିନବ ଉଦ୍ୟମ, ସାହସ ଏବଂ କ୍ରାନ୍ତିକାରୀ ପଦକ୍ଷେପ ଯୋଗୁଁ ସେ ସମସ୍ତଙ୍କ ମନର ମହାନାୟକ। ତାଙ୍କ ବ୍ୟକ୍ତିତ୍ୱ ଓଡିଶାବାସୀଙ୍କୁ ସବୁବେଳେ ଉଦବୁଦ୍ଧ କରିଆସିଛି, ପ୍ରେରଣା ଯୋଗାଇ ଆସିଛି। ବିଜୟାନନ୍ଦ ପଟ୍ଟନାୟକ, ସମସ୍ତଙ୍କ ପ୍ରିୟ ବିଜୁ ବାବୁ । ଏହି ମହାନ ଦୂରଦୃଷ୍ଟି ସମ୍ପନ୍ନ ତଥା ଟାଣୁଆ ନେତା ୧୯୧୬ ମାର୍ଚ୍ଚ ୫ରେ କଟକ ଅନ୍ତର୍ଗତ ତୁଳସୀପୁର ଆନନ୍ଦ ଭବନରେ ଏକ ସ୍ୱାଧୀନତା ସଂଗ୍ରାମୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ।

    ସ୍ୱାଧୀନତା ପରେ ଓଡ଼ିଶାକୁ ଏକ ବିଭବଶାଳୀ ରାଜ୍ୟ ଭାବେ ଗଢ଼ି ତୋଳିବାକୁ ସେ ଦେଖିଥିଲେ ସ୍ୱପ୍ନ । ୧୯୫୨ରେ ଜଗନ୍ନାଥପ୍ରସାଦ ଓ ୧୯୫୭ରେ ସୋରଡ଼ା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୬୦ ଦଶକ ଆରମ୍ଭରେ ରାଜ୍ୟ କଂଗ୍ରେସର ମଙ୍ଗ ଧରିଥିଲେ ବିଜୁବାବୁ । ବିଜୁବାବୁଙ୍କ ନେତୃତ୍ୱରେ ୧୪୦ ଆସନରୁ ୮୨ ଆସନ ଜିତିଥିଲା କଂଗ୍ରେସ ।୧୯୬୧ରେ ମାତ୍ର ୪୫ ବର୍ଷ ବୟସରେ ବିଜୁ ପଟ୍ଟନାୟକ ହୋଇଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ । ଆଧୁନିକ ଓଡ଼ିଶା ନିର୍ମାଣର ନିଅଁ ପଡ଼ିଥିଲା ବିଜୁଙ୍କ ହାତରେ। ଓଡ଼ିଶାରେ ମୁଣ୍ଡ ଟେକିଥିଲା ବହୁ ଶିଳ୍ପ, କଳ କାରଖାନା । ଗାଁର ବିକାଶ ସହ ଘରେ ଘରେ ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ ଓ ମହିଳା ସଶକ୍ତୀକରଣ ପାଇଁ ସ୍ବପ୍ନ ଦେଖିଥିଲେ ବିଜୁ ପଟ୍ଟନାୟକ। ବିଜୁବାବୁଙ୍କର ସ୍ବପ୍ନକୁ ପୂରଣ କରିବାକୁ ବିଜୁ ଜନତା ଦଳ ପକ୍ଷରୁ ପ୍ରୟାସ ଜାରି ରହିଛି। ମା’କୁ ସମ୍ମାନ, ଗାଁକୁ କାମ କଥା କହିଥିଲେ ସ୍ଵର୍ଗତ ବିଜୁ ପଟ୍ଟନାୟକ। ଏହି ନୀତି ଆଦର୍ଶକୁ ନେଇ ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟର ବିକାଶ ଲାଗି ସର୍ବଦା ପ୍ରୟାସ ଜାରି ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.5 ° C
    27.5 °
    27.5 °
    15 %
    1.5kmh
    0 %
    Sat
    28 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ