ଆଜି ବିଶ୍ୱ ହୃଦୟ ଦିବସ । ସୁସ୍ଥ ହୃଦୟ ପାଇଁ ‘Don’t Miss a Beat’ ବାର୍ତ୍ତା । ହୃଦରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ଏବଂ ହୃଦୟକୁ ସୁସ୍ଥ ରଖିବାର ବାର୍ତ୍ତା ନେଇ ପ୍ରତିବର୍ଷ ସେପ୍ଟେମ୍ବର ୨୯ ତାରିଖରେ ପାଳନ ହୁଏ ବିଶ୍ୱ ହୃଦୟ ଦିବସ । ଚଳିତବର୍ଷର ବାର୍ତ୍ତା ‘Don’t Miss a Beat’ । ଅର୍ଥାତ୍ ହୃଦୟର ପ୍ରତିଟି ସ୍ପନ୍ଦନ ଗୁରୁତ୍ୱପୂର୍ଣ୍ଣ, ହୃଦୟ ଦେଉଥିବା ସତର୍କ ସଙ୍କେତକୁ ଅଣଦେଖା କରନ୍ତୁ ନାହିଁ । ଆଜିର ବ୍ୟସ୍ତ ଜୀବନଶୈଳୀ ଭିତରେ ହୃଦୟର ଯତ୍ନ ନେବା ଏକ ବଡ଼ ଆହ୍ୱାନ ପାଲଟିଛି । ଅସ୍ୱାସ୍ଥ୍ୟକର ଖାଦ୍ୟାଭ୍ୟାସ, ଶାରୀରିକ ପରିଶ୍ରମର ଅଭାବ, ଧୂମପାନ, ମେଦବହୁଳତା, ଉଚ୍ଚ ରକ୍ତଚାପ, ଡାଇବେଟିସ୍ ଓ ଅଧିକ କୋଲେଷ୍ଟ୍ରଲ୍ ହୃଦରୋଗର ବିପଦ ବଢ଼ାଇପାରେ ।
ଦୀର୍ଘ ସମୟ ଧରି ଏସବୁ ଉପରେ ନଜର ନଦେଲେ ହୃଦୟ ଉପରେ ଏହାର ପ୍ରଭାବ ପଡ଼ିପାରେ । ହୃଦୟକୁ ସୁସ୍ଥ ରଖିବା ପାଇଁ ଦୈନନ୍ଦିନ ଜୀବନରେ କିଛି ସରଳ ପରିବର୍ତ୍ତନ ଜରୁରୀ । ନିୟମିତ ଶାରୀରିକ ବ୍ୟାୟାମ ଓ ଚାଲିବା, ସନ୍ତୁଳିତ ଖାଦ୍ୟ ଖାଇବା, ଲୁଣ ଓ ଅତ୍ୟଧିକ ଚର୍ବିଯୁକ୍ତ ଖାଦ୍ୟ କମାଇବା, ଓଜନ ନିୟନ୍ତ୍ରଣରେ ରଖିବା ଏବଂ ଧୂମପାନରୁ ଦୂରେଇ ରହିବା ହୃଦୟ ପାଇଁ ଲାଭଦାୟକ ।
ଏହା ସହ ପର୍ଯ୍ୟାପ୍ତ ନିଦ ଓ ମାନସିକ ଚାପକୁ ନିୟନ୍ତ୍ରଣରେ ରଖିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । କେବଳ ଜୀବନଶୈଳୀ ନୁହେଁ, ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ ଜରୁରୀ । ବିଶେଷକରି ରକ୍ତଚାପ, ବ୍ଲଡ୍ ସୁଗାର ଓ କୋଲେଷ୍ଟ୍ରଲ୍ ସ୍ତର ଉପରେ ନଜର ରଖିବା ଆବଶ୍ୟକ । ହୃଦରୋଗର ବିପଦ ଥିଲେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ନିୟମିତ ଯାଞ୍ଚ କରାଇବା ଉଚିତ । ହାର୍ଟ ଆଟାକ୍ ର ସତର୍କ ସଙ୍କେତକୁ ଚିହ୍ନିବା ମଧ୍ୟ ସମାନ ଭାବେ ଜରୁରୀ ।
ଛାତିରେ ହଠାତ୍ ଯନ୍ତ୍ରଣା, ଚାପ କିମ୍ବା ଭାରି ଲାଗିବା, ନିଶ୍ୱାସ ନେବାରେ କଷ୍ଟ, ଅସ୍ୱାଭାବିକ ଝାଳ, ବାନ୍ତି ଭାବ କିମ୍ବା ଶରୀରର ଉପର ଭାଗରେ ଅସ୍ୱସ୍ଥତା ଭଳି ଲକ୍ଷଣ ଦେଖାଦେଲେ ଏହାକୁ ହାଲୁକା ଭାବେ ନନେଇ ତୁରନ୍ତ ଚିକିତ୍ସା ସହାୟତା ନେବା ଜରୁରୀ । ତେଣୁ ବିଶ୍ୱ ହୃଦୟ ଦିବସରେ ବାର୍ତ୍ତା ସ୍ପଷ୍ଟ ନିଜ ହୃଦୟକୁ ସମୟ ଦିଅନ୍ତୁ, ତାହାର ସଙ୍କେତକୁ ବୁଝନ୍ତୁ ଏବଂ ସୁସ୍ଥ ଜୀବନଶୈଳୀକୁ ଆପଣାନ୍ତୁ । ‘Don’t Miss a Beat’—କାରଣ ପ୍ରତିଟି ହୃଦସ୍ପନ୍ଦନ ମୂଲ୍ୟବାନ।
