Friday, March 13, 2026
24.5 C
Odisha

    ଆଜି ରସଗୋଲା ଦିବସ: ଜିଆଇ ମାନ୍ୟତାକୁ ୬ ବର୍ଷ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରସଗୋଲା କାହାର! ପଶ୍ଚିମବଙ୍ଗ ନା ଓଡ଼ିଶାର? ଏହାର ଉତ୍ତର ମିଳିଥିଲା ୨୦୧୯ ଜୁଲାଇ ୨୯ ତାରିଖରେ। ପଶ୍ଚିମବଙ୍ଗ ରସଗୋଲା ଜିଆଇ ମାନ୍ୟତା ପାଇବା ପରେ ରସଗୋଲା ଯେ ଓଡ଼ିଶାର, ସେ ନେଇ ହେଲା ପ୍ରାଣମୂର୍ଚ୍ଛା ଉଦ୍ୟମ। ୨୦୧୮ ଫେବ୍ରୁଆରି ୨୩ ତାରିଖରେ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ଏବଂ ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ସମିତି ପକ୍ଷରୁ ‘ଓଡ଼ିଶା ରସଗୋଲା’ର ଜିଆଇ ମାନ୍ୟତା ଲାଗି ଆବେଦନ ହେଲା। ଏହାପରେ ଜିଓଗ୍ରାଫିକାଲ୍‌ ଇଣ୍ଡିକେସନ୍‌ସ ରେଜିଷ୍ଟ୍ରି ପକ୍ଷରୁ ୧୩ଟି ପ୍ରସଙ୍ଗ ଉପରେ ସ୍ପଷ୍ଟୀକରଣ ମଗାଯାଇଥିଲା। ଓଡ଼ିଶା ପକ୍ଷରୁ ତଥ୍ୟ ପ୍ରମାଣ ସହ ରସଗୋଲାର ଉତ୍ପତ୍ତି ଓଡ଼ିଶାରୁ ବୋଲି ସ୍ପଷ୍ଟ କରାଯାଇଥିଲା। ଶେଷରେ ସବୁ ପ୍ରତୀକ୍ଷାର ଅନ୍ତ ଘଟିଲା। ୨୦୧୯ ଜୁଲାଇ ୨୯ରେ ଓଡ଼ିଶା ରସଗୋଲାକୁ ଜିଆଇ ମାନ୍ୟତା ମିଳିଲା। ଆଉ ଆମ ଓଡ଼ିଆଙ୍କ ଛାତି କୁଣ୍ଢେମୋଟ ହୋଇଗଲା।
    ଆଉ ସେତିକିରେ ସରିଗଲା ଆମ ରସଗୋଲା ପ୍ରେମ। ଜିଆଇ ମାନ୍ୟତା ପାଇବ‌ାର ୬ ବର୍ଷ ବିତିଗଲାଣି। କିନ୍ତୁ ରାଜଧାନୀରେ ‘ରସଗୋଲା ହବ୍’ ଓ ପାହାଳରେ ‘ରସଗୋଲା କ୍ଲଷ୍ଟର’ ହେବା ଯୋଜନା ଏବେ ବି ଯୋଜନାରେ। କେବଳ ଜାଗା ଚିହ୍ନଟ ହୋଇଛି ସିନା, କ୍ଲଷ୍ଟର ନିର୍ମାଣ ଏବେ ବି ସାତ ସପନ। ସାଧାରଣତଃ ଜିଆଇ ମାନ୍ୟତା ପାଇବା ପରେ ଏହାର ବୈଧତା ୧୦ ବର୍ଷ ରୁହେ। ଅର୍ଥାତ୍‌ ୨୦୨୯ ଯାଏଁ ଓଡ଼ିଶା ରସଗୋଲାର ଜିଆଇ ମାନ୍ୟତା ବୈଧ ରହିବ। କିନ୍ତୁ ଏହି ୧୦ ବର୍ଷରୁ ୬ ବର୍ଷ ବିତି ଯାଇଥିଲେ ବି ପାହାଳ ରସଗୋଲାକୁ ‌ସର୍ବଭାରତୀୟ ସ୍ତରରେ ଏକ ବିଶେଷ ପରିଚିତି ବା ବ୍ରାଣ୍ଡ୍‌ କରିବାରେ ଆମେ ପାଦେ ବି ଆଗକୁ ଯାଇପାରିଲୁ ନାହିଁ। ଏଥିପାଇଁ କେବଳ ଜାଗା ଚିହ୍ନଟ ହୋଇଥିବା ବେଳେ ଏହାର ହସ୍ତାନ୍ତର, କ୍ଲଷ୍ଟର ପ୍ରତିଷ୍ଠା, ରସଗୋଲାର ଆଧୁନିକ ପ୍ରସ୍ତୁତି, ପ୍ୟାକେଜିଂ ଓ ବ୍ରାଣ୍ଡିଂ ଆଦି କେବେ ହେବ, ସେନେଇ ସାଧାରଣରେ ପ୍ରଶ୍ନ ଉଠିଲାଣି। ମାତ୍ର ଉତ୍ତର ଦେବାକୁ କେହି ନାହାନ୍ତି।
    ଏନେଇ ‘ଆମ ପାହାଳ ରସଗୋଲା ଫାଉଣ୍ଡେସନ୍‌’ର ଅଧ୍ୟକ୍ଷ ଅକ୍ଷୟ କୁମାର ଲେଙ୍କା କହିଛନ୍ତି, ପାହାଳରେ ରସଗୋଲା କ୍ଲଷ୍ଟର ପାଇଁ ବାଲିଅନ୍ତ‌ାର ଅନନ୍ତପୁର ମୌଜାରେ ଦେଢ଼ ଏକର ଜାଗା ଇଡ୍‌କୋ ପକ୍ଷରୁ ଚିହ୍ନଟ କରାଯାଇଥିବା ବେଳେ ନାମ ପଞ୍ଜୀକରଣ ବି ହୋଇସାରିଛି। ତେବେ ଫାଉଣ୍ଡେସନ୍‌ ପକ୍ଷରୁ ଓମ୍‌ଫେଡ୍‌ ସହାୟତାରେ ଏବେ ଡିପିଆର୍‌ ପ୍ରସ୍ତୁତ ହୋଇସାରିଥିବା ବେଳେ ଏମ୍‌ଏସ୍‌ଏମ୍‌ଇକୁ ଏହା ହସ୍ତାନ୍ତର ହୋଇସାରିଛି। ବିଭାଗ ପକ୍ଷରୁ ଏହାକୁ କେନ୍ଦ୍ର ସରକାରଙ୍କ ପାଖକୁ ଖୁବ୍‌ଶୀଘ୍ର ପଠାଯିବ। କେନ୍ଦ୍ର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରାଳୟର ଅନୁମୋଦନକୁ ଏବେ ଅପେକ୍ଷା। ତେବେ ଡିପିଆର୍‌ରେ କ୍ଲଷ୍ଟର ନିର୍ମାଣ ପାଇଁ ପ୍ରାୟ ୧୮ କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ ହୋଇଛି। ସରକାରଙ୍କ ଅନୁମୋଦନ ମିଳିଲେ ଏହି ବ୍ୟୟ ଅଟ୍ଟକଳର ‌୭୦% କେନ୍ଦ୍ର ସରକାର, ୧୫% ରାଜ୍ୟ ସରକାର ଏବଂ ଅବଶିଷ୍ଠ ୧୫% ନିଜେ ଫାଉଣ୍ଡେସନ୍‌ ବହନ କରିବ। ବର୍ତ୍ତମାନ ଏହି ଫାଉଣ୍ଡେସନ୍‌ରେ ୭୫ ଜଣ ରସଗୋଲା ବ୍ୟବସାୟୀ ସଦସ୍ୟ ରହିଥିବା ବେଳେ ପାହାଳଠାରେ ସମୁଦାୟ ୧୧୫ ଜଣ ବ୍ୟବସାୟୀ ରସଗୋଲା ବ୍ୟବସାୟରେ ନିୟୋଜିତ ବୋଲି ଶ୍ରୀ ଲେଙ୍କା କହିଛନ୍ତି।
    କ୍ଲଷ୍ଟର ନିର୍ମାଣ ହେଲେ, ମିଠା କାରିଗରମାନେ ଅତ୍ୟାଧୁନିକ ଉପାୟରେ ମିଠା ପ୍ରସ୍ତୁତି ସହ ରାଜ୍ୟ ଓ ଦେଶ ବାହାରକୁ ମିଠା ପଠାଇ ଅଧିକ ରୋଜଗାରକ୍ଷମ ହେବେ। ଓଡ଼ିଶାର ରସଗୋଲାକୁ ଜିଆଇ ମାନ୍ୟତା ମିଳିଥିବା ବେଳେ ପାହାଳ ରସଗୋଲାକୁ ଦେଶ ଓ ରାଜ୍ୟ ବାହାରେ ବ୍ରାଣ୍ଡିଂ କରିବାରେ ଏହା ସହାୟକ ହେବ। ଏହା ବ୍ୟତୀତ ପ୍ୟାକେଜିଂ, ଷ୍ଟୋରେଜ୍‌, ଟେଷ୍ଟିଂ ଲ୍ୟାବରେଟୋରି ଓ ଗୋଦାମ ରହିବ। ତେବେ ଆସନ୍ତା ୪ ବର୍ଷ ଭିତରେ ଏ ସବୁ କେତେ କାର୍ଯ୍ୟକାରୀ ହେଉଛି ତାହା ଦେଖିବାକୁ ବାକି ରହିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.5 ° C
    24.5 °
    24.5 °
    48 %
    2.4kmh
    0 %
    Fri
    25 °
    Sat
    39 °
    Sun
    39 °
    Mon
    37 °
    Tue
    38 °

    ସମ୍ବନ୍ଧିତ