Saturday, April 11, 2026
27.5 C
Odisha

    ଆତ୍ମସମର୍ପଣ ପଛରେ ମହିଳା କ୍ୟାଡରଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା

    ଆଗକୁ ପଢନ୍ତୁ

    ରାୟଗଡ଼ା  : ଚଳିତବର୍ଷ ମାର୍ଚ୍ଚ ମାସ ୩୧ ତାରିଖ ପୂର୍ବରୁ ରାଜ୍ୟରେ ମାଓ କାର୍ଯ୍ୟକଳାପକୁ ସମୂଳେ ନିପାତ କରିବା ଦିଗରେ ପୁଲିସ ଯେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଆଜି ରାୟଗଡା ଜିଲ୍ଲାରେ ପ୍ରତିଫଳନ ହୋଇଛି। ଗତକାଲି ଜଗତସିଂହପୁରର ମାଓନେତା ନିଖିଲ ଓରଫ ଚିତ୍ତରଞ୍ଜନ ରାଉତ ଏବଂ କଟକ ଟାଙ୍ଗିର ମହିଳା କ୍ୟାଡ଼ର ନେତ୍ରୀ ଅଙ୍କିତା ଓରଫ ରଶ୍ମିତା ଲେଙ୍କା ସମେତ ୧୫ ମାଓବାଦୀ ଆତ୍ମସମର୍ପଣ କରିଥିବା ରାଜ୍ୟ ପୁଲିସ ମହାନିର୍ଦେଶକ ଘୋଷଣା କରିଥିଲେ। ଆଜି ରାୟଗଡାଠାରେ ଉପରୋକ୍ତ ମାଓବାଦୀମାନେ ଅତିରିକ୍ତ ପୁଲିସ ମହାନିର୍ଦେଶକ ସଞ୍ଜୀବ ପଣ୍ଡାଙ୍କ ଉପସ୍ଥିତିରେ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରୁ ୧୩ ଜଣ ବାଘୁନା ଡିଭିଜନର କାର୍ଯ୍ୟରତ ଥିଲେ। ଦୁଇ ଦଶନ୍ଧି ଧରି ରାୟଗଡ଼ା , କନ୍ଧମାଳ ଓ ଗଜପତି ଜିଲାରେ ମାଓ କାର୍ଯ୍ୟକଳାପରେ ଲିପ୍ତ ଥିଲେ । ଆତ୍ମସମର୍ପଣ ସମୟରେ ସେମାନେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ଓ ଅନ୍ୟ ସାମଗ୍ରୀ ପୁଲିସରେ ଜିମା ଦେଇଛନ୍ତି। ୧୪ ଟି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମଧ୍ୟରୁ ୨ଟି ଏକେ ୪୭, ୫ଟି ଏସ ଏଲଆର, ଗୋଟିଏ ଷ୍ଟେନଗନ, ଗୋଟିଏ ଇନସାସ ରାଇଫଲ, ଗୋଟିଏ ୩୦୩ ରାଇଫଲ ଏବଂ ୪ଟି ସିଙ୍ଗଲ ସର୍ଟ ଗନ ଜବତ କରାଯାଇଛି। ଇତିମଧ୍ୟରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆତ୍ମସମର୍ପଣ କରିଥିବା ମାଓନେତା ନିଖିଲ ଓରଫ ଚିତ୍ତରଞ୍ଜନ ଏକ ଭିଡ଼ିଓ ବାର୍ତ୍ତା ଜାରି କରି ନାଗାବଳୀ ଘୁମୁସର ବାଶଧାରା ଡିଭିଜନର ଅନ୍ୟ ୧୨ ମାଓବାଦୀଙ୍କୁ ଅନୁରୋଧ କରିଛନ୍ତି । ଏଥିପାଇଁ ସେ ଏକ ଟେଲିଫୋନ ନମ୍ବର ୯୪୩୭୬୪୩୮୩୯ ଜାରି କରିଛନ୍ତି।

    ସୂଚନାଯୋଗ୍ୟଯେ, ମହିଳା କ୍ୟାଡ଼ର ମୁଚାକି ମାସେ ଓରଫ ସୁମିତ୍ରା, ଚୋମଲି କୁଞ୍ଜମ ଓରଫ ଶାନ୍ତିଲା ବନ୍ଦେ ମାଡ଼ଭି ଓରଫ ମାଳତୀ ଏବଂ ଅଙ୍କିତା ଓରଫ ରଶ୍ମିତା ଲେଙ୍କା ଏହି ମହିଳା ମାଓବାଦୀଙ୍କ ନେତୃତ୍ବ ନେଉଥିଲେ। ଗତ ଡ଼ିସେମ୍ବର ମାସ ୧୦ ତାରିଖରେ କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ପୋଖରିବନ୍ଧ ସଂରକ୍ଷିତ ଜଙ୍ଗଲରେ ଏସଓଜି ଯବାନଙ୍କ ଗୁଳି ବିନିମୟରେ ଜଣେ ମହିଳା କ୍ୟାଡ଼ର ସହିତ ପ୍ରାୟ ୪ ଜଣ ମହିଳା ମାଓବାଦୀଙ୍କ ମୃତ୍ୟୁ ଘଟିଥିଲା। କ୍ୟାମ୍ପରେ ଥିବା ୨୦ ମାଓବାଦୀଙ୍କ ନେତୃତ୍ୱ ନେଇଥିଲେ କିଛି ମହିଳା କ୍ୟାଡ଼ର । ଯାହାକି ତତ୍କାଳୀନ କନ୍ଧମାଳ ଆରକ୍ଷୀ ଅଧୀକ୍ଷକ ଭିନିତ୍ ଅଗ୍ରୱାଲଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି ହୋଇଥିଲା । ନଭେମ୍ବର ମାସରେ ସୀମାନ୍ତ ଛତିଶଗଡ଼ର ବିଜାପୁରରେ ଏନ୍ କାଉଣ୍ଟର ଯୋଗୁ ବହୁ ସଂଖ୍ୟକ ମହିଳା ମାଓବାଦୀ ମୃତ୍ୟୁ ଘଟିଥିଲା। ପୁରୁଷ କ୍ୟାଡ଼ରର ନେତୃତ୍ବ ଅଭାବ ତଥା କେନ୍ଦ୍ର ସରକାରଙ୍କ ଆତ୍ମସମର୍ପଣ ପରର୍ବତ୍ତୀ ଥଇଥାନ ନୀତିରେ ମହିଳା ମାଓବାଦୀମାନେ ଆକର୍ଷିତ ହୋଇଥିଲେ । ଫଳରେ ଘୁମୁସର ନାଗାବଳୀ ଡିଭିଜନର ସଦସ୍ୟ ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ମହିଳା କ୍ୟାଡ଼ରଙ୍କ ବିଚାରବିମର୍ଶ ପରେ ସରକାରଙ୍କୁ ପତ୍ର ଲେଖିବା ପାଇଁ ସ୍ଥିର କରିଥିଲେ। ମହିଳା କ୍ୟାଡ଼ର ନେତ୍ରୀ ଅଙ୍କିତା ଏହାର ଦାୟିତ୍ବ ନେଇଥିଲେ । ସ୍ବାମୀ ନିଖିଲ ସହିତ ଆଲୋଚନା ପରେ ନିୟମଗିରି ପାହାଡ ପାଦଦେଶରେ ଥିବା ଖମ୍ବେସୁ ଜଙ୍ଗଲରେ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ପୂର୍ବରୁ ନିଖିଲ ଓ ଅଙ୍କିତାଙ୍କ ମୁଣ୍ଡ ଉପରେ ସରକାର ୧କୋଟି ୩୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ଆଜି ଏହି ଦୁଇଜଣଙ୍କ ପାଇଁ ସ୍ବତନ୍ତ୍ର ବ୍ୟାଙ୍କ୍ ଆକାଉଣ୍ଟ୍ ଖୋଲା ଯାଇ ଅର୍ଥ ରାଶି ପ୍ରଦାନ କରାଯିବ। ଏହାସହିତ ଅନ୍ୟ ମାଓବାଦୀଙ୍କୁ ଥଇଥାନ ପର୍ଯ୍ୟନ୍ତ ମାସିକ ୧୦ ହଜାର ଟଙ୍କା ଦିଆଯିବ ଏବଂ ସମସ୍ତଙ୍କୁ ଆବାସ ଯୋଜନାରେ ସାମିଲ କରାଯିବ ବୋଲି ଅତିରିକ୍ତ ପୁଲିସ ମହାନିର୍ଦେଶକ ସଞ୍ଜୀବ ପଣ୍ଡା ରାୟଗଡାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ହିଂସା ଛାଡି ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଅନ୍ୟ ମାଓବାଦୀଙ୍କୁ ଆଇଜି ଅମିତେନ୍ଦ୍ର ସିହ୍ନା ପରାମର୍ଶ ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସିଆରପିଏଫ ଆଇଜି ଅମିତେନ୍ଦ୍ରନାଥ ସିହ୍ନା, ଆଇଜି ଅପରେସନ ଡ.ଦୀପକକୁମାର, ଡିଆଇଜି ଅଖିଳେଶ୍ବର ସିଂ, ଡିଆଇଜି ବିକଶାଳ ସିଂ, ରାୟଗଡା ଜିଲାପାଳ ଆଶୁତୋଷ କୁଲକର୍ଣ୍ଣି, ରାଗଡା ଏସପି ଏସ ସ୍ବାତୀ କୁମାର, , କନ୍ଧମାଳ ଏସପି ହରିଶ ବିସି, କଳାହାଣ୍ଡି ଏସପି ନାଗରାଜ ପ୍ରମୁଖ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.5 ° C
    27.5 °
    27.5 °
    15 %
    1.5kmh
    0 %
    Sat
    28 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ