ବଲାଙ୍ଗୀର : ଆଦିବାସୀ ଯୁବତୀଙ୍କୁ ଜାତିଆଣ ଆକ୍ଷେପ କରି ଗାଳି କରିବା ସହ ବିଷ୍ଠା ଖୁଆଇ ଦେଇଥିବା ନେଇ କଣ୍ଟାବାଞ୍ଜି ଉପଖଣ୍ଡ ବଙ୍ଗୋମୁଣ୍ଡା ଥାନାରେ ଅଭିଯୋଗ ହୋଇଛି । ଏହି ଘଟଣାରେ ପୁଲିସ ମାମଲା ରୁଜୁ କରିଥିବାବେଳେ ଅଭିଯୁକ୍ତ ଫେରାର ହୋଇଯାଇଛି । ଅନ୍ୟପକ୍ଷରେ ଆଦିବାସୀ ସଂଘ ଘଟଣାକୁ ଗୁରୁତ୍ୱର ସହ ନେଇ କାର୍ଯ୍ୟାନୁଷ୍ଠାନ ଦାବି କରିଛି । କାର୍ଯ୍ୟାନୁଷ୍ଠାନ ନହେଲେ ଆନ୍ଦୋଳନ ଚେତାବନୀ ଦିଆଯାଇଛି । ସୂଚନା ଅନୁସାରେ, ବଙ୍ଗୋମୁଣ୍ଡା ଥାନା ଜୁରାବନ୍ଧ ଗ୍ରାମର ସମ୍ପୃକ୍ତ ଯୁବତୀ ଜଣକ ଗତ ୧୬ ତାରିଖ ଦିନ ଗାଁର ଏକ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇ ସାରି ଘରକୁ ଫେରୁଥିବାବେଳେ ଜୁରାବନ୍ଧ ଗ୍ରାମର ଅଭୟ ବାଗ ଦୌଡ଼ି ଆସି ଧକ୍କାମାରି ତଳେ ପକାଇଦେଇ ଥିଲା । ଯୁବତୀ ଜଣକ ଚିତ୍କାର କରିବାରୁ ଯୁବତୀଙ୍କ ବଡ଼ ମା ଚମ୍ପା ମିର୍ଦ୍ଧା ଆସି ଛଡ଼ାଇବାକୁ ଚେଷ୍ଟା କରିଥିଲେ । ଅଭୟ ତାଙ୍କୁ ମଧ୍ୟ ଆକ୍ରମଣ କରି ଗାଲି ଗୁଲଜ କରିଥିଲା । ଏହାପରେ ଅଭୟ ବିଷ୍ଠା ଆଣି ଯୁବତୀଙ୍କ ମୁହଁରେ ଘସିଦେଇ ଜୋର ଜବରଦସ୍ତ ଖୁଆଇ ଦେଇଥିବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଲମ୍ପୃକ୍ତ ଯୁବତୀ । ଏନେଇ ବଙ୍ଗୋମୁଣ୍ଡା ଥାନାରେ ମାମଲ ରୁଜୁ ହୋଇଛି । କଣ୍ଟାବାଞ୍ଜି ଏସଡିପିଓ ତଦନ୍ତ ପାଇଁ ଯାଇଥିବା ବେଳେ ଅଭିଯୁକ୍ତ ଫେରାରଥିବା ଜଣାପଡ଼ିଛି । ଅଭିଯୁକ୍ତକୁ ଧରିବା ପାଇଁ ଉଦ୍ୟମ କରାଯାଉଛି ବୋଲି କଣ୍ଟାବାଞ୍ଜି ଏସଡିପିଓ ଗୌରାଙ୍ଗ ଚରଣ ସାହୁ ପ୍ରକାଶ କରିଛନ୍ତି । ଯୁବତୀ ଜଣଙ୍କର ବାପା ମା’ ନ ଥିବା ବେଳେ ଦୁଇ ଭଉଣୀ ଘରେ ରୁହନ୍ତି । କୁଲି ମଜୁରି କରି ଗୁଜୁରାଣ ମେଣ୍ଟାଉଛନ୍ତି । ଆଦିବାସୀ ଯୁବତୀ ଜଣଙ୍କ ପ୍ରତି ଏଭଳି ନିର୍ଯାତନା ଦେଇଥିବା ଦୋଷୀ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଦିବାସୀ ସଂଘ ପକ୍ଷରୁ ଦାବି ହୋଇଛି । ଆଦିବାସୀ କଲ୍ୟାଣ ସଂଘ ସଭାପତି ମନୋରଞ୍ଜନ ଭୋଇ, କନ୍ଧ ସମାଜ ସଭାପତି ଚକ୍ରଧର ଯାନୀ, ଆଦିବାସୀ କଲ୍ୟାଣ ସଂଘ ସମ୍ପାଦକ ମହାଦେବ ଭୋଇ, କୋଷାଧ୍ୟକ୍ଷ ଅଚ୍ୟୁତ ଭୋଇ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବି କରିଛନ୍ତି । ଅନ୍ୟପକ୍ଷରେ ଏହି ଘଟଣାକୁ ନିନ୍ଦା କରିଛନ୍ତି ସ୍ଥାନୀୟ ସମାଜସବୀ ଅଜିତ ଯୋଶୀ । ଜଣେ ଯୁବତୀଙ୍କ ପ୍ରତି ଏହିଭଳି ବ୍ୟବହାର ନିନ୍ଦନୀୟ ଅଟେ । ବଲାଙ୍ଗିର ଜିଲ୍ଲା ପୁଲିସ ପ୍ରଶାସନ ତୁରନ୍ତ ଉକ୍ତ ଯୁବକଙ୍କ ଗିରଫ କରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ନଚେତ ଆମେ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବୁ ବୋଲି ମଧ୍ୟ ସେ କହିଛନ୍ତି ।