ବିଶେଷକରି ବ୍ୟାଙ୍କିଂ କିମ୍ବା କୌଣସି ସରକାରୀ କାମ ପାଇଁ ଡକ୍ୟୁମେଣ୍ଟ ଯାଞ୍ଚ ସମୟରେ ଆଧାରର ଠିକଣା ଅନ୍ୟ କାଗଜପତ୍ର ସହ ମେଳ ନହେଲେ ପ୍ରକ୍ରିୟା ସେଠାରେ ଅଟକିଯାଇପାରେ । ତେବେ ବର୍ତ୍ତମାନ ଏହି ସମସ୍ୟା ପାଇଁ ଆଉ ଚିନ୍ତା କରିବାକୁ ପଡ଼ିବନାହିଁ । ଆଶ୍ୱସ୍ତିର କଥା ହେଉଛି କି, ଏବେ ଆଧାର କାର୍ଡରେ ନୂଆ ଠିକଣା ଅପଡେଟ୍ କରିବା ପୂର୍ବପରି କଷ୍ଟକର ନୁହେଁ । ଏଥିପାଇଁ ଆପଣଙ୍କୁ ଆଧାର ସେବା କେନ୍ଦ୍ର ବାହାରେ ଲମ୍ବା ଲାଇନ୍ରେ ଠିଆ ହେବାର ଆବଶ୍ୟକତା ନାହିଁ । ସ୍ମାର୍ଟଫୋନ୍ କିମ୍ବା ଲାପଟପ୍ ସାହାଯ୍ୟରେ ଘରେ ବସି ଏହି କାମ ସହଜରେ କରିପାରିବେ ।
ଲାଇନ୍ରେ ନଠିଆ ହୋଇ ଏମିତି କରନ୍ତୁ ଅନଲାଇନ୍ରେ ପରିବର୍ତ୍ତନ:
ଆଧାରରେ ନୂଆ ଠିକଣା ଯୋଡ଼ିବାର ପ୍ରକ୍ରିୟା ବେଶ ସରଳ । ପ୍ରଥମେ ନିଜ ବ୍ରାଉଜରରେ myAadhaarର ଅଫିସିଆଲ୍ ପୋର୍ଟାଲ୍ ଖୋଲନ୍ତୁ । ୱେବସାଇଟ୍ରେ ନିଜର ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବର ଦିଅନ୍ତୁ ଏବଂ ସ୍କ୍ରିନ୍ରେ ଦେଖାଯାଉଥିବା କ୍ୟାପ୍ଚା କୋଡ୍ ଭରନ୍ତୁ । ଏହାପରେ ଆଧାର ସହ ଲିଙ୍କ୍ ହୋଇଥିବା ମୋବାଇଲ୍ ନମ୍ବରକୁ ଏକ OTP ଆସିବ । OTP ଦେଇ ପୋର୍ଟାଲ୍ରେ ଲଗ୍ଇନ୍ କରନ୍ତୁ ।
ଲଗ୍ଇନ୍ କରିବା ପରେ ସ୍କ୍ରିନ୍ରେ Address Update ବିକଳ୍ପ ଦେଖାଯିବ । ଏଥିରେ କ୍ଲିକ୍ କରି Update Aadhaar using your documents ବିକଳ୍ପ ଚୟନ କରନ୍ତୁ । ଏଠାରେ ଆପଣଙ୍କ ବର୍ତ୍ତମାନର ଠିକଣା ଦେଖାଯିବ । ପେଜ୍କୁ ତଳକୁ ସ୍କ୍ରୋଲ୍ କରି ନିଜର ନୂଆ ଠିକଣା, ରାଜ୍ୟ, ଜିଲ୍ଲା, ସହର ଓ ପିନ୍ କୋଡ୍ ଭଳି ସମସ୍ତ ତଥ୍ୟ ସଠିକ୍ ଭାବେ ଭରନ୍ତୁ ।
କେଉଁ ଡକ୍ୟୁମେଣ୍ଟ ହେବ ମାନ୍ୟ:
ନୂଆ ଠିକଣା ଦେବା ସହିତ ସେହି ଠିକଣାକୁ ପ୍ରମାଣ କରୁଥିବା ଯେକୌଣସି ଏକ ବୈଧ ଡକ୍ୟୁମେଣ୍ଟ ଅପଲୋଡ୍ କରିବାକୁ ପଡ଼ିବ । ଏଥିପାଇଁ ନିଜ ନାମରେ ଥିବା ବିଦ୍ୟୁତ୍ ବିଲ୍, ବ୍ୟାଙ୍କ ଷ୍ଟେଟମେଣ୍ଟ, ରେଣ୍ଟ ଏଗ୍ରିମେଣ୍ଟ, ପାସପୋର୍ଟ କିମ୍ବା ଭୋଟର୍ ID କାର୍ଡ ବ୍ୟବହାର କରିପାରିବେ ।
ଅନେକ ସମୟରେ ନୂଆ ସହରରେ ଜଣେ ବ୍ୟକ୍ତିଙ୍କ ନାମରେ ତୁରନ୍ତ ଠିକଣା ପ୍ରମାଣପତ୍ର ତିଆରି ହୋଇପାରେ ନାହିଁ । ଏଭଳି ସ୍ଥିତିରେ Head of Family ବିକଳ୍ପ ଚୟନ କରିପାରିବେ । ଏଥିରେ ପରିବାର ମୁଖ୍ୟଙ୍କ ଆଧାର ନମ୍ବର ଏବଂ ତାଙ୍କ ସହ ଆପଣଙ୍କ ସମ୍ପର୍କର ପ୍ରମାଣ ଦେଇ ମଧ୍ୟ ଠିକଣା ଅପଡେଟ୍ କରାଯାଇପାରିବ ।
ଫର୍ମ ସବମିଟ୍ କରିବା ପରେ ସ୍କ୍ରିନ୍ରେ ୧୪ ଅଙ୍କର Update Request Number (URN) ଜେନେରେଟ୍ ହେବ । ଏହି ନମ୍ବରକୁ ସୁରକ୍ଷିତ ରଖନ୍ତୁ, କାରଣ ପରେ ଏହା ମାଧ୍ୟମରେ ଆପଣ ନିଜ ଅପଡେଟ୍ର ସ୍ଥିତି ଟ୍ରାକ୍ କରିପାରିବେ ।
୧୪ ଜୁନ୍ ୨୦୨୭ ପର୍ଯ୍ୟନ୍ତ ଏହି ସୁବିଧା ସମ୍ପୂର୍ଣ୍ଣ ମାଗଣା:
ଅନଲାଇନ୍ ଫର୍ମ ଭରିବା ସମୟରେ ଆପଣ ଯେଉଁ ଡକ୍ୟୁମେଣ୍ଟ ଅପଲୋଡ୍ କରୁଛନ୍ତି, ତାହାର ଫଟୋ ସ୍ପଷ୍ଟ ଥିବା ନିଶ୍ଚିତ କରନ୍ତୁ । ଅସ୍ପଷ୍ଟ କିମ୍ବା କଟାଫଟା ଡକ୍ୟୁମେଣ୍ଟ ଅପଲୋଡ୍ କଲେ ଆପଣଙ୍କ ରିକ୍ୱେଷ୍ଟ ରିଜେକ୍ଟ ହୋଇପାରେ ।
ଆପଣ ଯେତେବେଳେ ଚାହିଁବେ ନିଜ ଆଧାରର ଠିକଣା ବଦଳାଇପାରିବେ, କିନ୍ତୁ ଏଥିପାଇଁ ଠିକ୍ ପ୍ରମାଣପତ୍ର ଥିବା ଆବଶ୍ୟକ । ତେବେ ଏଠାରେ ଏକ ଗୁରୁତ୍ୱପୂର୍ଣ୍ଣ କଥା, ଯଦି ଆପଣ ଠିକଣା ପରିବର୍ତ୍ତନ ନକରି କେବଳ ପୁରୁଣା ଡକ୍ୟୁମେଣ୍ଟର ପୁନଃ ଯାଞ୍ଚ କରାଉଛନ୍ତି, ତେବେ ଏହି ସୁବିଧା ୧୪ ଜୁନ୍ ୨୦୨୭ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ମାଗଣା । ଅନ୍ୟପକ୍ଷରେ, ଯଦି ଆପଣ ଆଧାରରେ ନୂଆ ଠିକଣା ଅପଡେଟ୍ କରୁଛନ୍ତି, ତେବେ ଅନଲାଇନ୍ରେ ୭୫ ଟଙ୍କା ଦେବାକୁ ପଡ଼ିବ ।
