Saturday, March 14, 2026
28.9 C
Odisha

    ଆନ୍ତଃ ରାଜ୍ୟ ଆତଙ୍କବାଦୀ ନେଟୱର୍କ ଠାବ: ୪ ଡାକ୍ତରଙ୍କ ସମେତ ୮ ଗିରଫ

    ଆଗକୁ ପଢନ୍ତୁ

     

    ତଦନ୍ତକାରୀ ଅଧିକାରୀଙ୍କ କହିବା ଅନୁଯାୟୀ ଗିରଫ ଡାକ୍ତରମାନେ ମୌଳବାଦ ଦ୍ବାରା ପ୍ରଭାବିତ ହୋଇ ଦେଶ ବିରୋଧୀ କାର୍ଯ୍ୟ ପାଇଁ ଷଡଯନ୍ତ୍ର ଚଳାଇଥିଲେ। ସେମାନେ ଆଇଏସ୍‌ଆଇଏସ୍‌, ଜୈସ-ଇ-ମହମ୍ମଦ (ଜେଇଏମ୍‌) ଓ ଅନସର ଘଜୱାତ୍-ଉଲ୍‌-ହିନ୍ଦ (ଏଜିୟୁଏଚ୍‌) ଭଳି ବେଆଇନ ଘୋଷିତ ସଂଗଠନ ସହିତ ଜଡିତ ଥିଲେ। ଏପରି କି ଗିରଫ ଡାକ୍ତରମାନେ ନିଜ ସଂଗଠନର ଆନ୍ତର୍ଜାତିକ ସଦସ୍ୟଙ୍କ ସହିତ ନିୟମିତ ଯୋଗାଯୋଗରେ ଥିଲେ। ସେମାନେ ମାରାଣାସ୍ତ୍ର ଓ ବିସ୍ଫୋରକ ମାଧ୍ୟମରେ ଦେଶର ବିଭିନ୍ନ ସ୍ଥାନରେ ଆକ୍ରମଣ ଘଟାଇବାକୁ ଯୋଜନା କରିଥିଲେ। ଡାକ୍ତର ଭଳି ଉଚ୍ଚ ଶିକ୍ଷିତ ବୃତ୍ତିରେ ରହି ଆତଙ୍କବାଦୀ ଲିପ୍ତ ରହିବା ଦେଶ ପାଇଁ ବଡ ଚିନ୍ତାର ବିଷୟ ହୋଇଛି।ଏହି ଆତଙ୍କବାଦୀ ନେଟୱର୍କରେ ଜଡିତ ଡାକ୍ତର ହେଲେ ଜାମ୍ମୁ-କାଶ୍ମୀର ଅନନ୍ତନାଗର ଆଦିଲ ରାଠେର (୨୭)। ଆଦିଲକୁ ଜାମ୍ମୁ କାଶ୍ମୀର ପୁଲିସ ଉତ୍ତରପ୍ରଦେଶ ସାହରଣପୁରରୁ ନଭେମ୍ବର ୬ରେ ଗିରଫ କରିଥିଲା। ଆଦିଲକୁ ପ୍ରଥମେ ଗିରଫ କରାଯିବା ପରେ ତା’ର ତଥ୍ୟ ଆଧାରରେ ଅନ୍ୟମାନଙ୍କୁ ଗିରଫ କରାଯାଇଛି। ଆଦିଲ ଜାମ୍ମୁ-କାଶ୍ମୀର ଅନନ୍ତନାଗର ସରକାରୀ ମେଡିକାଲ କଲେଜରେ ୨୦୨୪ ଅକ୍ଟୋବରରୁ ସିନିୟର ରେସିଡେଣ୍ଟ ଡାକ୍ତର ଭାବେ କାର୍ଯ୍ୟ କରୁଛି। ସେ ଜେଇଏମ୍ ଓ ଏଜିୟୁଏଚ୍ ସଂଗଠନ ସହିତ ଜଡିତ ଥିଲା। ଜେଇଏମ୍ ପୋଷ୍ଟରରେ ଆଦିଲର ଫଟୋ ରହିଥିଲା। ପୋଷ୍ଟରର ଫଟୋକୁ ଆଧାର କରି ପୁଲିସ ତା’ର ସନ୍ଧାନ କରିଥିଲା। ତା’ ନିକଟରୁ ଏକ ଏକେ-୪୭ ରାଇଫଲ ଜବତ କରାଯିବା ସହିତ ପୁଲିସ ୟୁଏପିଏ ଅନୁଯାୟୀ ମାମଲା ରୁଜୁ କରି ନିଜ ହେପାଜତରେ ରଖି ଜେରା କରିଥିଲା।

    ନଭେମ୍ବର ୭ରେ ଗୁଜରାଟ ପୁଲିସର ଏଟିଏସ୍‌ ହାଇଦରାବାଦର ଡାକ୍ତର ଅହମ୍ମଦ ମୋହିଉଦ୍ଦିନ ସୟଦ (୩୫)କୁ ଗିରଫ କରିଥିଲା। ସୟଦ ଚୀନରୁ ଏମବିବିଏସ୍‌ ପାସ୍‌ କରିଛି। କିଛି ମାସ ହେଲା ସେ ରିସିନ୍ ନାମକ ଏକ ପ୍ରକାର ବିଷାକ୍ତ ସାମଗ୍ରୀ ତିଆର କରୁଥିଲା। କାଷ୍ଟର ସିଡ୍‌ରୁ ପ୍ରସ୍ତୁତ ଏହି ବିଷାକ୍ତ ସାମଗ୍ରୀକୁ ଦିଲ୍ଲୀ, ଲକ୍ଷ୍ମୌ ଭଳି ବିଭିନ୍ନ ସ୍ଥାନକୁ ଚାଲାଣ କରିଥିଲା। ଖାଦ୍ୟରେ ବିଷ ମିଶ୍ରଣ କରିବା ଲାଗି ସେ ଦିଲ୍ଲୀ ଭଳି ଖାଦ୍ୟ ବଜାରରେ ସର୍ଭେ କରିଥିଲା। ତା’ ନିକଟରୁ ଦୁଇଟି ଗ୍ଲୋକ୍ ପିସ୍ତଲ ଓ ୩୦ଟି କାଟ୍ରିଜ୍ ଜବତ କରାଯାଇଛି। ଏହା ସହିତ ୪ଲିଟର କାଷ୍ଟର ତେଲ ଜବତ କରାଯାଇଛି।

    ନଭେମ୍ବର ୯ରେ ଗିରଫ ହୋଇଥିବା ଡାକ୍ତର ହେଲେ ମୁଜାମିଲ୍ ସକିଲ୍‌। ସକିଲକୁ ଜାମ୍ମୁ-କାଶ୍ମୀର ଓ ହରିୟାଣା ପୁଲିସ ମିଳିତ ଭାବେ ଗିରଫ କରିଛନ୍ତି। ତା’ର ଘର ଜାମ୍ମୁ-କାଶ୍ମୀରର ପୁଲୱାମା। ସକିଲ ଡାକ୍ତରଙ୍କ ଆତଙ୍କବାଦୀ ନେଟୱର୍କ (ହ୍ବାଇଟ୍ କଲାର ଟେରରିଜିମ୍‌)ର ମୁଖ୍ୟ ବୋଲି ବିବେଚନା କରାଯାଇଛି। ସକିଲ ଅଲ୍ ଫରିଦାବାଦସ୍ଥିତ ଅଲ୍‌ ପଲାହ ମେଡିକାଲ କଲେଜ ଓ ହସ୍ପିଟାଲରେ କାର୍ଯ୍ୟ କରୁଥିଲେ। ଏହି ଘରୋଇ ମେଡିକାଲ କଲେଜଟି ଦିଲ୍ଲୀଠାରୁ ମାତ୍ର ୪୫ କିମି ଦୂର। ସକିଲର ଦୁଇଟି ଘରୁ ମୋଟ ୨୯୦୦ କିଲୋ ବିସ୍ଫୋରକ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଗତ ସାଢେ ତିନି ବର୍ଷ ହେଲା ସେ ଫରିଦାବାଦର ଧୌଜରେ ଅବସ୍ଥାନ କରିଆସୁଥିଲା। ରବିବାର ସକିଲକୁ ଗିରଫ କରାଯିବା ପରେ ଏହି ଘରୁ ୩୫୦ କିଲୋ ବିସ୍ଫୋରକ, ୨୦ଟି ଟାଇମର, ରାଇଫଲ, ହ୍ୟାଣ୍ଡଗନ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା। ସକିଲ ଫରିଦାବାଦର ଫତେପୁର ଗ୍ରାମରେ ଆଉ ଏକ ଘର ଭଡା ନେଇଥିଲା। ଯାହା ଧୌଜ ଠାରୁ ୪ କିମି ଦୂର। ଘର ମାଲିକ ଜଣେ ମୌଲାନାଙ୍କୁ ପୁଲିସ ମଧ୍ୟ ଗିରଫ କରିଛି। ଦ୍ବିତୀୟ ଘରୁ ସୋମବାର ୨୫୬୩ କିଲୋ ବିସ୍ଫୋରକ, ଏକ ପିସ୍ତଲ, ରାଇଫଲ, ଦୁଇଟି ମାଗାଜିନ୍, ଏକ କାର୍‌ ଜବତ କରାଯାଇଛି। ଫରିଦାବାଦ ପୁଲିସ କମିସନର କହିଛନ୍ତି ଯେ ସକିଲ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦ ସହିତ ଜଡିତ ଥିଲା। ଆଦିଲ ରାଥରର ସୂଚନା ଆଧାରରେ ସକିଲକୁ ଗିରଫ କରାଯାଇଛି।

    ସୋମବାର ଗିରଫ ହୋଇଥିବା ମହିଳା ଡାକ୍ତର ହେଲେ ସାହିନ ସାହିଦ। ସାହିନ ଉତ୍ତରପ୍ରଦେଶ ଲକ୍ଷ୍ନୌର ବାସିନ୍ଦା ହୋଇଥିବାବେଳେ ତାକୁ ଫରିଦାବାଦରୁ ଗିରଫ କରାଯାଇଛି। ସେ ଅଲ୍‌ ପଲାହ ମେଡିକାଲ କଲେଜ ଓ ହସ୍ପିଟାଲରେ କାର୍ଯ୍ୟ କରୁଥିଲେ। ସେ ମୁଜାମିଲ୍ ସକିଲ୍‌ ସହ ଯୋଗାଯୋଗରେ ରହିଥିଲା। ସାହିନ ବ୍ୟବହାର କରୁଥିବା କାରରୁ ପୁଲିସ ଏକ ରାଇଫଲ ଓ କାଟ୍ରିଜ୍ ଜବତ କରିଛି। ସାହିନର କାରଟିକୁ ସକିଲ ଅସ୍ତ୍ରଶସ୍ତ୍ର ନେବା ଆଣିବା ଲାଗି ବ୍ୟବହାର କରୁଥିଲା ବୋଲି ପୁଲିସ କହିଛି। ହ୍ବାଇଟ୍ କଲାର ଟେରରିଜିମ୍ ନେଟୱର୍କର ଏହି ୪ଜଣ ଡାକ୍ତରଙ୍କ ବ୍ୟତୀତ ପୁଲିସ ଅନ୍ୟ ୪ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଜାମ୍ମୁ-କାଶ୍ମୀର ଶ୍ରୀନଗରର ଆରିଫ୍ ନିସାର ଦାର ଓରଫ ସାହିଲ ୟାସିର ଉଲ୍ ଅସ୍ରଫ ଓ ମକସୁଦ ଅହମ୍ମଦ ଦାର୍‌ ଓରଫ ସାହିଦ, ସୋଫିଆନାର ଜମିର ଅହମ୍ମଦ ଅହଙ୍ଗର ଓ ମୌଲବୀ ଇରଫାନ ଅହମ୍ମଦ। ଅଭିଯୁକ୍ତଙ୍କ ବିରୋଧରେ ୟୁଏପିଏର ୧୩,୨୮,୩୮ ଓ ୩୯ ଏବଂ ଅସ୍ତ୍ରଶସ୍ତ୍ର ଆଇନର ଧାରା ୭ ଓ ୨୫ରେ ମାମଲା ରୁଜୁ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.9 ° C
    28.9 °
    28.9 °
    23 %
    2.9kmh
    0 %
    Sat
    31 °
    Sun
    38 °
    Mon
    37 °
    Tue
    38 °
    Wed
    38 °

    ସମ୍ବନ୍ଧିତ