ଆଫଗାନିସ୍ତାନ: ଆଜି ସକାଳେ ଆଫଗାନିସ୍ତାନରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି (NCS)ର ସୂଚନା ଅନୁଯାୟୀ, ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୧ ରେକର୍ଡ କରାଯାଇଛି । NCS ପକ୍ଷରୁ ଜାରି ସୂଚନା ଅନୁସାରେ, ଭାରତୀୟ ସମୟ ଅନୁଯାୟୀ ସକାଳ ୫ଟା ୩୬ ମିନିଟ୍ ୨୩ ସେକେଣ୍ଡରେ ଏହି ଭୂମିକମ୍ପ ଘଟିଥିଲା । ଭୂମିକମ୍ପର କେନ୍ଦ୍ର ଭୂପୃଷ୍ଠରୁ ପ୍ରାୟ ୧୩୦ କିଲୋମିଟର ଗଭୀରରେ ରହିଥିଲା । ଭୂମିକମ୍ପର କେନ୍ଦ୍ର ୩୬.୧୧୪ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୭୦.୮୨୦ ଡିଗ୍ରୀ ପୂର୍ବ ଦ୍ରାଘିମାରେ ଚିହ୍ନଟ ହୋଇଛି । ଭୂମିକମ୍ପଟି ଅଧିକ ଗଭୀରତାରେ ଘଟିଥିବାରୁ ଏହାର ପ୍ରଭାବ ନେଇ ଏପର୍ଯ୍ୟନ୍ତ କୌଣସି ବିସ୍ତୃତ ସୂଚନା ମିଳିନାହିଁ ।
ଏହି ଭୂମିକମ୍ପ ଯୋଗୁଁ କୌଣସି ଜୀବନହାନି କିମ୍ବା ସମ୍ପତ୍ତି କ୍ଷୟକ୍ଷତି ହୋଇଥିବା ନେଇ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ଖବର ମିଳିନାହିଁ । ସ୍ଥିତି ଉପରେ ସମ୍ପୃକ୍ତ ସଂସ୍ଥାଗୁଡ଼ିକ ନଜର ରଖିଛନ୍ତି । ସୂଚନାଯୋଗ୍ୟ, ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି (NCS) ନିୟମିତ ଭାବେ ଭାରତ ଏବଂ ଏହାର ଆଖପାଖ ଅଞ୍ଚଳର ଭୂକମ୍ପୀୟ ଗତିବିଧି ଉପରେ ନଜର ରଖିଥାଏ । ଭୂମିକମ୍ପ ଘଟିବା ପରେ ଏହାର ତୀବ୍ରତା, ସମୟ, ଗଭୀରତା ଓ କେନ୍ଦ୍ରସ୍ଥଳ ସମ୍ପର୍କରେ ସୂଚନା ଜାରି କରାଯାଇଥାଏ ।
