ଆମେରିକା: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଅର୍ଥାତ୍ ଗତକାଲି ନୂଆ H-1B ଭିସା ଆବେଦନ ଉପରେ ୧୦୦,୦୦୦ ଡଲାର ଶୁଳ୍କ ଲାଗୁ କରିବା ପାଇଁ ଏକ ଘୋଷଣାପତ୍ରରେ ସ୍ୱାକ୍ଷର କରିଛନ୍ତି । ଯାହାର ଅର୍ଥ ହେଉଛି ଭାରତୀୟମାନଙ୍କୁ ଏବେ ଭିସା ପାଇଁ ଆବେଦନ କରିବା ପାଇଁ ୮୮ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଏହି ପଦକ୍ଷେପ ଭାରତୀୟ ଶ୍ରମିକମାନଙ୍କୁ ସବୁଠାରୁ ଅଧିକ ପ୍ରଭାବିତ କରିବ ।
ମହଙ୍ଗା ହେଲା H-1B ଭିସା । ଆମେରିକାରେ ବଦଳିଲା H-1B ଭିସା ନିୟମ । ଏଣିକି ନୂଆ ଆବେଦନ ପାଇଁ ୯୦ ଲକ୍ଷ ଟଙ୍କା ଫି’ ଦେବାକୁ ପଡ଼ିବ । ଏବେ କେବଳ ଶୀର୍ଷ ଯୋଗ୍ୟ ବ୍ୟକ୍ତି ଏହି ଭିସା ପାଇଁ ଆବେଦନ କରିପାରିବେ । ଏସଂକ୍ରାନ୍ତ ନିର୍ଦ୍ଦେଶନାମାରେ ସ୍ବାକ୍ଷର କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । H-1B ଭିସା ଉପରେ ଟ୍ରମ୍ପ ବାର୍ଷିକ ୧ ମିଲିୟନ ଡଲାର ବା ୯୦ ଲକ୍ଷ ଟଙ୍କା ଶୁଳ୍କ ଲାଗୁ କରିଛନ୍ତି । ଟ୍ରମ୍ପଙ୍କ ନୂଆ ପଦକ୍ଷେପ ଦ୍ବାରା ଭାରତୀୟଙ୍କ ପାଇଁ ଅଡୁଆ ବଢ଼ିବ । ଟ୍ରମ୍ପ କହିଛନ୍ତି ଏହି ପଦକ୍ଷେପକୁ ଟେକ୍ନୋଲୋଜି ଶିଳ୍ପ ବିରୋଧ କରିବ ନାହିଁ । ସେମାନେ ବହୁତ ଖୁସି ହେବେ । H-1B ଭିସା ଉଚ୍ଚ-ଦକ୍ଷ ଚାକିରି ପାଇଁ ସର୍ବୋତ୍ତମ ବିଦେଶୀମାନଙ୍କୁ ଆଣିବା ପାଇଁ ଉଦ୍ଦିଷ୍ଟ । ଆମେରିକାରେ ଆଇଟି କ୍ଷେତ୍ରରେ ସର୍ବାଧିକ H-1B ଭିସାଧାରୀ ଅଛନ୍ତି । ଗତବର୍ଷ ଆମେରିକାରେ H-1B ଭିସାଧାରୀଙ୍କ ମଧ୍ୟରୁ ୭୧ ପ୍ରତିଶତ ଭାରତୀୟ ଥିଲେ । ସେହିପରି ଚୀନର ୧୧.୭ପ୍ରତିଶତ ନାଗରିକ ଏହି ଭିସା ପାଇଥିଲେ ।
ଏଥିସହ ଜାଣିରଖନ୍ତୁ ଯେ, H-୧B ଭିସା ସାଧାରଣତଃ ତିନିରୁ ଛଅ ବର୍ଷ ପାଇଁ ପ୍ରଦାନ କରାଯାଏ । ଆମେରିକା ପ୍ରତିବର୍ଷ ଲଟେରୀ ସିଷ୍ଟମ ମାଧ୍ୟମରେ ୮୫,୦୦୦ H-1B ଭିସା ପ୍ରଦାନ କରେ । ଏହି ବର୍ଷ, Amazon ସର୍ବାଧିକ ୧୦,୦୦୦ ରୁ ଅଧିକ କର୍ମଚାରୀ ପାଇଥିଲା । ଏହା ପରେ ଟାଟା କନସଲଟାନ୍ସି ସର୍ଭିସେସ୍, ମାଇକ୍ରୋସଫ୍ଟ, ଆପଲ୍ ଏବଂ ଗୁଗୁଲ୍ ସ୍ଥାନ ପାଇଛି । USCIS ଅନୁଯାୟୀ, କାଲିଫର୍ନିଆରେ ସର୍ବାଧିକ ସଂଖ୍ୟକ H-1B କର୍ମଚାରୀ ଅଛନ୍ତି ।