ଭୁବନେଶ୍ବର : ଆସନ୍ତାକାଲିଠୁ ଆରମ୍ଭ ହେବ ଓଡ଼ିଶା ସିଭିଲ୍ ସର୍ଭିସେସ୍ ମୁଖ୍ୟ ଲିଖିତ ପରୀକ୍ଷା । ଓଡ଼ିଶା ଲୋକସେବା ଆୟୋଗ ବା OPSCର ସଂଶୋଧିତ କାର୍ଯ୍ୟସୂଚୀ ଅନୁଯାୟୀ ଆସନ୍ତାକାଲିଠୁ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ହେବ । ବାତ୍ୟା ଅର୍ଣ୍ଣବ ପ୍ରଭାବରେ ପୂର୍ବରୁ ପରୀକ୍ଷା ସୂଚୀରେ ପରିବର୍ତ୍ତନ କରାଯାଇଥିଲା। ତେବେ ବନ୍ୟା ପରିସ୍ଥିତି ସତ୍ତ୍ୱେ ପରୀକ୍ଷା ଆଉ ଘୁଞ୍ଚାଯିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି। କାଲି ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଓଡ଼ିଆ ଭାଷା ଏବଂ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ଇଂରାଜୀ ଭାଷା ପରୀକ୍ଷା ହେବ। ସେହିପରି ନଭେମ୍ବର ୨ ଓ ୪ ତାରିଖରେ ସାଧାରଣ ଅଧ୍ୟୟନର ବିଭିନ୍ନ ପେପର୍, ନଭେମ୍ବର ୫ରେ ରଚନା ଏବଂ ନଭେମ୍ବର ୭ରେ ଇଚ୍ଛାଧୀନ ବିଷୟର ପରୀକ୍ଷା ଅନୁଷ୍ଠିତ ହେବ । ଅନ୍ୟପଟେ ବାତ୍ୟା ଅର୍ଣ୍ଣବ ପରେ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ଗଞ୍ଜାମ ସମେତ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି ।
କେତେକ ସ୍ଥାନରେ ରାସ୍ତା ଜଳମଗ୍ନ ହୋଇଥିବା ବେଳେ ଆଉ କିଛି ସ୍ଥାନରେ ରାସ୍ତା ଧୋଇଯାଇଛି । ଫଳରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ନେଇ ଆଶାୟୀଙ୍କ ମଧ୍ୟରେ ଚିନ୍ତା ବଢ଼ିଛି । ଏଭଳି ପରିସ୍ଥିତିରେ ପରୀକ୍ଷା ଘୁଞ୍ଚାଇବାକୁ ଦାବି ହୋଇଥିଲା । ତେବେ ପରୀକ୍ଷା ଆଉ ସ୍ଥଗିତ ରଖାଯିବ ନାହିଁ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ଥରେ ପରୀକ୍ଷା କ୍ୟାନସଲ୍ କଲେ ପୁନଃ ପରୀକ୍ଷା ଆୟୋଜନ ପାଇଁ ପ୍ରାୟ ୬ ମାସ ସମୟ ଲାଗିପାରେ ବୋଲି ସେ କହିଛନ୍ତି । ବନ୍ୟା ପ୍ରଭାବିତ ଅଞ୍ଚଳର ପରୀକ୍ଷାର୍ଥୀ ଯେପରି ପରୀକ୍ଷାରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ ସରକାର ବ୍ୟବସ୍ଥା କରୁଛନ୍ତି । ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲାର ପ୍ରାୟ ୩୨୫ ଜଣ ଏବଂ ଅନ୍ୟ ପ୍ରଭାବିତ ଅଞ୍ଚଳର ପ୍ରାୟ ୧୦୦ ଜଣ ପରୀକ୍ଷାର୍ଥୀ ରହିଛନ୍ତି । ସେମାନଙ୍କୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବା ପାଇଁ ସମ୍ପୃକ୍ତ ବିଡିଓମାନଙ୍କୁ ଦାୟିତ୍ୱ ଦିଆଯାଇଛି ।
