ଭୁବନେଶ୍ୱର : ଇଣ୍ଡିଆ ବ୍ଲକ୍ ପକ୍ଷରୁ ଆସନ୍ତା ୮ ତାରିଖରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ କରାଯିବ ବୋଲି ଘୋଷଣା କରାଯାଇଛି । ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଇଣ୍ଡିଆ ବ୍ଲକ୍ । ବନ୍ଦ ସମୟରେ ରେଳ, ବସ୍ ଓ ଅନ୍ୟାନ୍ୟ ସରକାରୀ ବେସରକାରୀ ଯାନବାହନ ଚଳାଚଳ ବନ୍ଦ କରିବାକୁ ଆହ୍ୱାନ ଦିଆଯାଇଛି । ତେବେ ହସ୍ପିଟାଲ, ଆମ୍ବୁଲାନ୍ସ, ମେଡିକାଲ ଷ୍ଟୋର ସମେତ ସମସ୍ତ ଜରୁରୀକାଳୀନ ସେବାକୁ ବନ୍ଦରୁ ବାଦ ଦିଆଯିବ । ଏହାସହ ଅଷ୍ଟମ ଓ ନବମ ଶ୍ରେଣୀର ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କୁ କୌଣସି ଅସୁବିଧା ନହୁଏ ଧ୍ୟାନ ଦିଆଯିବ ।
ଇଣ୍ଡିଆ ବ୍ଲକ୍ ନେତାମାନେ କହିଛନ୍ତି ଯେ, ଚାରିଟି ମୁଖ୍ୟ ଦାବିକୁ ନେଇ ଏହି ବନ୍ଦ ଡାକରା ଦିଆଯାଇଛି । ଏସ୍ ଆଇଆର୍ ପ୍ରସଙ୍ଗରେ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ବହିଷ୍କାର ଦାବି କରାଯାଇଛି । ଏମ୍ ଏମ୍ ଡିଆର୍ (MMDR) ଆଇନ ସଂଶୋଧନ ଜରିଆରେ ଓଡ଼ିଶାର ଖଣିଜ ସମ୍ପଦ ଲୁଟ୍ ହେଉଥିବା ଅଭିଯୋଗ କରି ଏହାକୁ ପ୍ରତ୍ୟାହାର କରିବାକୁ ଦାବି ଉଠାଯାଇଛି । ବନ୍ୟା ପୀଡ଼ିତଙ୍କୁ ଯଥେଷ୍ଟ ସହାୟତା ଓ ପୁନର୍ବାସ ଯୋଗାଇବାକୁ ଦାବି କରାଯାଇଛି।ପ୍ରାଥମିକ ଶିକ୍ଷା ପାଠ୍ୟପୁସ୍ତକ ଅନିୟମିତତା ଓ ଶିକ୍ଷା ବ୍ୟବସ୍ଥାରେ ଦୁର୍ନୀତି ପ୍ରସଙ୍ଗରେ ସମ୍ପୃକ୍ତ ମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଛି ।
ସିପିଆଇ ରାଜ୍ୟ ସମ୍ପାଦକ ପ୍ରଶାନ୍ତ ମିଶ୍ର କହିଛନ୍ତି, ଏହି ବନ୍ଦ କେବଳ ଓଡ଼ିଶାର ସ୍ୱାର୍ଥ ପାଇଁ ନୁହେଁ, ବରଂ ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ମଧ୍ୟ ଏକ ଲଢ଼େଇ । ଓଡ଼ିଶାକୁ ଭଲପାଉଥିବା, ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା ଚାହୁଁଥିବା ସମସ୍ତ ଜନସାଧାରଣ, ସାମାଜିକ ସଂଗଠନ, ବୁଦ୍ଧିଜୀବୀ, ଆଇନଜୀବୀ ଓ ବିଭିନ୍ନ ଗଣତାନ୍ତ୍ରିକ ଶକ୍ତିଙ୍କୁ ବନ୍ଦରେ ସାମିଲ ହେବାକୁ ସେ ଆହ୍ୱାନ ଦେଇଛନ୍ତି । ଇଣ୍ଡିଆ ବ୍ଲକ୍ ପକ୍ଷରୁ କୁହାଯାଇଛି ଯେ, ବନ୍ଦ ସମ୍ପୂର୍ଣ୍ଣ ଅହିଂସା ଓ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରାଯିବ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏହା ପ୍ରତି ବ୍ୟାପକ ଜନସମର୍ଥନ ମିଳୁଥିବା ଦାବି କରି ଆସନ୍ତା ୮ ତାରିଖରେ ଓଡ଼ିଶା ବନ୍ଦ ସଫଳ ହେବ ବୋଲି ନେତାମାନେ ଆଶା ପ୍ରକାଶ କରିଛନ୍ତି ।
