କଟକ : ଆସନ୍ତା ୧୭ରେ ସାରା ରାଜ୍ୟରେ ଓଟିଇଟି ପରୀକ୍ଷା ଅନୁଷ୍ଠିତ ହେବ । ଏଥିପାଇଁ ଓଟିଇଟି ପ୍ରଶ୍ନପତ୍ର ଓ ଓଏମଆର ସିଟ କଡ଼ା ସୁରକ୍ଷା ବଳୟରେ ବୋର୍ଡର କଣ୍ଟ୍ରୋଲ ରୁମରୁ ପଠାଯାଉଛି । ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଏହି ପରୀକ୍ଷାରେ ରାଜ୍ୟର ୧ ଲକ୍ଷ ୬୦ ହଜାର ୩୭୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ଏଥିରେ ଉଭୟ ଇନସର୍ଭିସ ଓ ଆଶାୟୀ ଶିକ୍ଷକଶିକ୍ଷୟିତ୍ରୀ ଅଛନ୍ତି । ରାଜ୍ୟର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ୨୨ ହଜାର ୯୭୯ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଏହି ପରୀକ୍ଷା ଦେଉଛନ୍ତି । ଓଟିଇଟି ପେପର-୧ ରେ ୪୭ ହଜାର ୭୨୦ ଜଣ ଓ ପେପର-୨ ରେ ୧ ଲକ୍ଷ ୧୨ ହଜାର ୬୫୯ ପରୀକ୍ଷାର୍ଥୀ ଅଛନ୍ତି। ମୋଟ ୪୫୨ ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯାଇଛି। ବୋର୍ଡ କାର୍ଯ୍ୟାଳୟ କମାଣ୍ଡ କଣ୍ଟ୍ରୋଲ ରୁମରୁ ସମସ୍ତ ପରୀକ୍ଷା କେନ୍ଦ୍ର ନିୟନ୍ତ୍ରଣ ବ୍ୟବସ୍ଥା ହୋଇଛି । ଗତକାଲି ଠାରୁ ଡିଜି ଲକରରେ ପ୍ରଶ୍ନପତ୍ର ଓ ଓଏମଆର ସିଟ ପଠାଯାଉଛି। ୩୦ ଟି ଜିଲ୍ଲା ପାଇଁ ୪୦ ଟି ରୁଟରେ ଆର୍ମଡପୋଲିସ ସହିତ ପ୍ରଶ୍ନପତ୍ର ପଠାଯାଉଛି । ୪୦ ଟି ଡେସପାଚ ଟିମ ମଧ୍ୟରୁ ୨୪ ଟି ଟିମ ବାହାରି ସାରିଥିବା ବେଳେ ଆଉ ୧୬ ଟି ଟିମ ଆସନ୍ତାକାଲି ସୁଦ୍ଧା ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଯିବେ । ୪୫୨ ଟି ଯାକ ପରୀକ୍ଷା କେନ୍ଦ୍ରକୁ ସିସିଟିଭି ବ୍ୟବସ୍ଥା ସହିତ ଯୋଡ଼ା ଯାଇଥିବା ବେଳେ ବୋର୍ଡର କମାଣ୍ଡ କଣ୍ଟ୍ରୋଲ ରୁମରୁ ସବୁ କେନ୍ଦ୍ରକୁ ନିରୀକ୍ଷଣ କରାଯାଉଛି ।
ଏହି ପରୀକ୍ଷାକୁ ଏଆଇ କ୍ୟାମେରା ଦ୍ଵାରା ନିୟନ୍ତ୍ରଣ ବ୍ୟବସ୍ଥା କରାଯାଇଛି । ଓଟିଇଟି ପ୍ରଥମ ପେପର ପରୀକ୍ଷା ସକାଳ ୯ ରୁ ସାଢେ ୧୧ ଟା ପର୍ଯ୍ୟନ୍ତ ହେବାକୁ ଥିବାବେଳେ ଦ୍ୱିତୀୟ ପେପର ଦିନ ସାଢେ ୧ ଟାରୁ ଅପରାହ୍ନ ୪ ପର୍ଯ୍ୟନ୍ତ ଚାଲିବ । ଉଭୟ ପେପରରେ ଥିବା ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କୁ ୫୦ ମିନିଟର ଅଧିକ ସମୟ ପ୍ରଦାନ କରାଯିବ ବୋଲି ବୋର୍ଡ ସଭାପତି ସୂଚନା ଦେଇଛନ୍ତି ।

