ଯାଜପୁର : ପ୍ରଥମଥର ପାଇଁ ଆସନ୍ତା ୩ ତାରିଖରେ ଯାଜପୁର ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଦର୍ଶନ କରିବା ସହିତ ମା ବିରଜାଙ୍କ ମନ୍ଦିର ନାଭିଗୟାରେ ପିଣ୍ଡଦାନ କରିବେ ରାଷ୍ଟ୍ରପତି । ଏଥିପାଇଁ ସେବାୟତ ଓ କୁଳ ପୁରୋହିତଙ୍କ ପକ୍ଷରୁ ବିଶେଷ ତତ୍ପରତା ପ୍ରକାଶ ପାଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଚାଲିଛି ଜୋରଦାର ପ୍ରସ୍ତୁତି । ତେବେ ପ୍ରଥମଥର ପାଇଁ ରାଷ୍ଟ୍ରପତିଙ୍କ ଯାଜପୁର ଗସ୍ତକୁ ନେଇ ସମଗ୍ର ଜିଲ୍ଲାରେ ଉତ୍ସାହର ମାହୋଲ ଦେଖାଯାଇଛି । ସେପଟେ ମହାମହିମ ରାଷ୍ଟ୍ରପତି ମା’ ବିରଜାଙ୍କ ଦର୍ଶନ ସହ ପିଣ୍ଡଦାନ ଓ ପୂଜା କାର୍ଯ୍ୟ କରିବାର କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଥିବାରୁ ମନ୍ଦିର ପ୍ରଶାସନ ମଧ୍ୟ ତତ୍ପର ହୋଇଉଠିଛି ।
ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପକ୍ଷରୁ ଏଥିପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି । ମନ୍ଦିର ପରିସରରେ ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ତୁହାକୁତୁହା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଉଛି । ବୈଠକରେ ଯାଜପୁର ଆରକ୍ଷୀ ଅଧିକ୍ଷକ, ଉପଜିଲ୍ଲାପାଳ ତଥା ମନ୍ଦିର ଟ୍ରଷ୍ଟି ତାପସ କୁମାର ଦେହୁରୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ । ଏହି ବୈଠକରେ ଜିଲା ପ୍ରଶାସନ, ପୋଲିସ ପ୍ରଶାସନ ସହ ମନ୍ଦିରର ପୁରୋଧା, ପୂଜକ ଓ ସେବାୟତମାନେ ସାମିଲ ହେଉଛନ୍ତି ।
ପୋଲିସ ପ୍ରଶାସନ ପକ୍ଷରୁ ରାଷ୍ଟ୍ରପତିଙ୍କ ଦର୍ଶନ, ସୁରକ୍ଷା ବ୍ୟବସ୍ଥା, ପୂଜା ପ୍ରଣାଳୀ ଓ ଶୃଙ୍ଖଳା ରକ୍ଷା ନେଇ ବିସ୍ତୃତ ଆଲୋଚନା କରାଯାଉଛି । ରାଷ୍ଟ୍ରପତିଙ୍କ ଦ୍ଵାରା ପିଣ୍ଡଦାନ ଓ ପୂଜା କାର୍ଯ୍ୟ ପାଇଁ ନିଯୁକ୍ତ ହେବାକୁ ଥିବା ସେବାୟତ ଓ ପୁରୋଧାମାନଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଇଛି । ଆସନ୍ତା କାଲି ସୁଦ୍ଧା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ଚୂଡ଼ାନ୍ତ କାର୍ଯ୍ୟସୂଚୀ ଓ ତାଲିକା ଅନୁମୋଦନ ହୋଇ ପ୍ରେରିତ କରାଯିବ । ଯଦ୍ବାରା ପ୍ରଶାସନ ପକ୍ଷରୁ ସବିଶେଷ ବିବରଣୀ ପ୍ରକାଶ ପାଇବ । ତେବେ ପୋଲିସ ପ୍ରଶାସନ ପକ୍ଷରୁ ରାଷ୍ଟ୍ରପତିଙ୍କ ସୁରକ୍ଷାକୁ କଡାକଡି କରିବାକୁ କଠୋର ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି । ରାଜ୍ୟ ପୋଲିସର ବରିଷ୍ଠ ପଦାଧିକାରୀଙ୍କ ସମେତ ବିଧାୟକ, ସାଂସଦ ଆଦି ଜନପ୍ରତିନିଧି ଓ ମନ୍ତ୍ରୀ ପାରିଷଦ ମଧ୍ୟ ଏଠାକୁ ଗସ୍ତ କରୁଛନ୍ତି ।

