ପ୍ରତ୍ୟେକ ପନିପରିବା ଆମ ସ୍ବାସ୍ଥ୍ୟ ପାଇଁ ଖୁବ୍ ଜରୁରୀ ହୋଇଥାଏ । ସବୁ ଋତୁ ଅନୁସାରେ ପନିପରିବା, ଫଳମୂଳ ଖାଇବାକୁ ପରାମର୍ଶ ଦିଆଯାଇଥାଏ । ପ୍ରତ୍ୟେକ ଖାଦ୍ୟରେ କିଛି ନା କିଛି ଲାଭକାରୀ ଗୁଣ ରହିଛି । ଯାହା ଆମର ଅନେକ ସ୍ବାସ୍ଥ୍ୟଗତ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରେ । ସେହି ସବୁ ମଧ୍ୟରୁ ଟମାଟୋ ହେଉଛି ଅନ୍ୟତମ ।
ଟମାଟୋକୁ ଆମେ ସାଧାରଣତଃ ବିଲାତି ବୋଲି କହିଥାଉ । ଯାହା ଶରୀର ପାଇଁ ଖୁବ୍ ଉପଯୋଗୀ ହୋଇଥାଏ । ଘରେ ଘରେ ଟମାଟୋର ବ୍ୟବହାର ଖୁବ୍ ମାତ୍ରାରେ ହୋଇଥାଏ । ଟମାଟୋ ଏମିତି ଏକ ପରିବା ଯାହା ସ୍ବାଦକୁ ବଢାଇବା ସହ ସ୍ବାସ୍ଥ୍ୟଗତ ସମସ୍ୟାରୁ ମୁକ୍ତି ଦେଇଥାଏ । ଟମାଟୋକୁ ସାଲାଡ୍, ସୁପ୍ ଏବଂ ଜୁସ୍ ତିଆରି କରି ଲୋକେ ଖାଇବା ପସନ୍ଦ କରିଥାଆନ୍ତି । କେବଳ କଞ୍ଚା ଟମାଟୋ ନୁହେଁ ବରଂ ଏହାର ଜୁସ୍ ମଧ୍ୟ ସ୍ବାସ୍ଥ୍ୟ ହିତକର ହୋଇଥାଏ ।
ଟମାଟୋରେ ଭିଟାମିନ୍ ସି ଏବଂ କେ, ଆଣ୍ଟିଅକ୍ସିଡାଣ୍ଟ, ଫାଇବର ଏବଂ ପୋଟାସିୟମ୍ ଏବଂ ମ୍ୟାଗ୍ନେସିୟମ୍ ଭଳି ବିଭିନ୍ନ ପୋଷକ ତତ୍ତ୍ବ ରହିଛି । ଯାହାକୁ ନିୟମିତ ଖାଇବା ଦ୍ବାରା ଶରୀରକୁ ଅନେକ ଲାଭ ମିଳିଥାଏ । ଏହା ଚର୍ମ, କେଶ, ହାଡ଼ ଏବଂ ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିଥାଏ। ଶୀତଦିନେ ଟମାଟୋ ରସ ପିଇବା ବିଶେଷ ଫଳପ୍ରଦ ହୋଇଥାଏ । ତେବେ ଆସନ୍ତୁ ଏହାର ଅନେକ ଲାଭକାରୀ ଗୁଣ ସମ୍ପର୍କରେ ଜାଣିବା ।
ତ୍ବଚା ପାଇଁ ଲାଭଦାୟକ : ଟମାଟୋରେ ଭିଟାମିନ୍ ସି ଗୁଣ ଥିବାରୁ ଏହା ଚର୍ମ ପାଇଁ ଖୁବ୍ ଲାଭଦାୟକ ବୋଲି ବିବେଚନା କରାଯାଏ । ଯାହା ସୁସ୍ଥ ଚର୍ମ ବଜାୟ ରଖିବାରେ ସାହାଯ୍ୟ କରେ । ପିଗମେଣ୍ଟେସନ୍, ବ୍ରଣ, ମୁହଁରେ ଭାଙ୍ଗ ପଡିବା ଭଳି ସମସ୍ୟାକୁ ଏହା ଦୂର କରିଥାଏ ।
ପାଚନ ପ୍ରକ୍ରିୟା ପାଇଁ ଲାଭଦାୟକ : ଟମାଟୋ ଜୁସ୍ ପାଚନ ପ୍ରକ୍ରିୟାରେ ଉନ୍ନତି କରିଥାଏ । ଯାହା ଏସିଡିଟି ଏବଂ ବଦହଜମୀକୁ ସହଜରେ କମ୍ କରିଥାଏ । ଟମାଟୋରେ ଫାଇବର ଥିବାରୁ ଅନ୍ତନଳୀର ସ୍ବାସ୍ଥ୍ୟ ବଜାୟ ରଖିବା ସହିତ କୋଷ୍ଠକାଠିନ୍ୟକୁ ଦୂର କରେ ।
ଓଜନ ହ୍ରାସ କରେ : ଟମାଟୋ ରସରେ କ୍ୟାଲୋରୀ କମ୍ ଏବଂ ଫାଇବର ଅଧିକ ଥାଏ । ଯାହା ଓଜନ ହ୍ରାସ କରିବାରେ ସହାୟକ କରେ । ଏହାର ଜୁସ୍ ପିଇବା ଦ୍ବାରା ଭୋକକୁ ନିୟନ୍ତ୍ରଣରେ ରଖିଥାଏ । ଏହା ବ୍ୟତୀତ ଟମାଟୋ ମେଟାବୋଲିଜିମକୁ ବୃଦ୍ଧି କରି ଚର୍ବିକୁ ହ୍ରାସ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରେ ।
ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରେ : ଟମାଟୋରେ ଭିଟାମିନ୍ ସି ଭରପୁର ମାତ୍ରାରେ ଥାଏ । ଯାହା ଖାଇବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରି ରଖିଥାଏ । ଏଥିସହ ଶରୀରରୁ ଥଣ୍ଡା ସର୍ଦ୍ଦି ଏବଂ ଅନ୍ୟାନ୍ୟ ସଂକ୍ରମଣରୁ ରକ୍ଷା କରେ ।
ହାର୍ଟ ପାଇଁ ଲାଭଦାୟକ : ଟମାଟୋ ଜୁସ୍ ହାର୍ଟ ପାଇଁ ରାମବାଣ ଭଳି କାମ କରେ । ଏଥିରେ ଲାଇକୋପିନ୍, ପୋଟାସିୟମ୍ ଏବଂ ଫାଇବର ରହିଛି । ଯାହା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ଏବଂ ହୃଦରୋଗର ଆଶଙ୍କା କମାଇବାରେ ସାହାଯ୍ୟ କରେ ।
ଆଖିକୁ ସୁସ୍ଥ ରଖେ : ଟମାଟୋରେ ଭିଟାମିନ୍ ଏ ଏବଂ ବିଟା-କାରୋଟିନ୍ ଥାଏ, ଯାହା ଆପଣଙ୍କ ଆଖି ପାଇଁ ଲାଭଦାୟକ। ଏହା ଆପଣଙ୍କ ଦୃଷ୍ଟିଶକ୍ତିକୁ ଉନ୍ନତ କରିଥାଏ । ଏହା ଡାଇବେଟିସ୍ ଲୋକଙ୍କ ପାଇଁ ମଧ୍ୟ ଖୁବ୍ ପ୍ରଭାବଶାଳୀ । ଏତିକି ନୁହେଁ କ୍ୟାନ୍ସର ଭଳି ମାରାତ୍ମକ ରୋଗରୁ ରକ୍ଷା କରେ । ତେଣୁ ଆପଣଙ୍କ ନିତିଦିନିଆ ଖାଇବାରେ ଟମାଟୋ କିମ୍ବା ଟମାଟୋ ଜୁସ୍ ସାମିଲ କରିବାକୁ ଚେଷ୍ଟା କରନ୍ତୁ ।
