ନୂଆଦିଲ୍ଲୀ : ଆସୁଛି ସୁପର୍ ଏଲ୍ ନିନୋ ! ପୁଣି ଦେଖାଦେବ କି ୧୮୭୭ର ସେହି ଭୟଙ୍କର ମରୁଡ଼ି? ୨୦୨୬ରେ ‘ସୁପର୍ ଏଲ୍ ନିନୋ’ର ଆଶଙ୍କା । ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ୧୮୭୭ର ଭୟାନକ ଇତିହାସ । ବିଶ୍ୱ ପାଣିପାଗରେ ଏକ ବଡ଼ ପରିବର୍ତ୍ତନ ଦେଖାଦେବାକୁ ଯାଉଛି। ୨୦୨୬ ମସିହାରେ ଏକ ଶକ୍ତିଶାଳୀ ‘ଏଲ୍ ନିନୋ’ ସକ୍ରିୟ ହେବାର ସମ୍ଭାବନା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏପରିକି ଏହା ଏକ ବିରଳ ‘ସୁପର୍ ଏଲ୍ ନିନୋ’ର ରୂପ ନେଇପାରେ ବୋଲି ଆଶଙ୍କା କରାଯାଉଛି । ଏହାକୁ ନେଇ ସୋସିଆଲ ମିଡିଆ ଏବଂ କିଛି ଗଣମାଧ୍ୟମରେ ୧୮୭୭- ୭୮ର ସେହି ଭୟଙ୍କର ମରୁଡ଼ି ଏବଂ ୫ କୋଟି ଲୋକଙ୍କ ମୃତ୍ୟୁର କାହାଣୀକୁ ଯୋଡ଼ି ଭୟର ବାତାବରଣ ସୃଷ୍ଟି କରାଯାଉଛି । ତେବେ ବାସ୍ତବରେ ସ୍ଥିତି କେତେ ଗମ୍ଭୀର ଏବଂ ଆମେ ଏଥିପାଇଁ କେତେ ପ୍ରସ୍ତୁତ । ଆମେରିକାର ପାଣିପାଗ ସଂସ୍ଥା NOAA ର ୧୪ ତାରିଖ ଅପଡେଟ୍ ଅନୁଯାୟୀ, ଆସନ୍ତା ଜୁଲାଇ ସୁଦ୍ଧା ଏଲ୍ ନିନୋ ସକ୍ରିୟ ହେବାର ୮୨% ସମ୍ଭାବନା ଅଛି । ଏହା ୨୦୨୬-୨୭ ଶୀତଋତୁ ପର୍ଯ୍ୟନ୍ତ ରହିବାର ୯୬% ସମ୍ଭାବନା ରହିଛି। ପ୍ରଶାନ୍ତ ମହାସାଗରର ପୃଷ୍ଠଭାଗର ତାପମାତ୍ରା ସାଧାରଣ ଅପେକ୍ଷା ୨ ଡିଗ୍ରୀ ସେଲସିୟସରୁ ଅଧିକ ବଢ଼ିଲେ ତାକୁ ‘ସୁପର୍ ଏଲ୍ ନିନୋ’ କୁହାଯାଏ ।
ଚଳିତ ବର୍ଷ ନଭେମ୍ବରରୁ ଜାନୁଆରୀ ମଧ୍ୟରେ ଏଭଳି ସ୍ଥିତି ସୃଷ୍ଟି ହେବାର ଆଶଙ୍କା ପ୍ରାୟ ୩୭% ଅଛି । ୨୦୧୫-୧୬ ମସିହା ପରେ ଏହା ବିଶ୍ୱର ପ୍ରଥମ ସବୁଠାରୁ ଶକ୍ତିଶାଳୀ ଏଲ୍ ନିନୋ ହୋଇପାରେ । ବିଶ୍ୱ ପାଣିପାଗ ସଂଗଠନ (WMO) ଏହାକୁ ଏକ ଗମ୍ଭୀର ପାଣିପାଗ ସ୍ଥିତି ବୋଲି ସ୍ୱୀକାର କରିଛି। ଭାଇରାଲ୍ ହେଉଥିବା ଦାବି ପଛରେ ଏକ ପ୍ରକୃତ ଐତିହାସିକ ସତ ରହିଛି । ୧୮୭୭-୭୮ରେ ଆସିଥିବା ସୁପର୍ ଏଲ୍ ନିନୋ ଯୋଗୁଁ ଭାରତ, ଚୀନ, ବ୍ରାଜିଲ ଏବଂ ଆଫ୍ରିକାରେ ଦୀର୍ଘଦିନ ଧରି ଭୟଙ୍କର ମରୁଡ଼ି ଦେଖାଦେଇଥିଲା । ଫସଲ ନଷ୍ଟ, ହଇଜା ଓ ପ୍ଲେଗ୍ ମହାମାରୀ ଦେଖାଯାଇପାରେ । ତତ୍କାଳୀନ ବ୍ରିଟିଶ ଔପନିବେଶିକ ନୀତିର କୁପରିଚାଳନା ଯୋଗୁଁ ସେତେବେଳେ ପ୍ରାୟ ୩ରୁ ୬ କୋଟି ଲୋକଙ୍କର ମୃତ୍ୟୁ ହୋଇଥିଲା । ବୈଜ୍ଞାନିକ ଏବଂ ପାଣିପାଗ ବିଶେଷଜ୍ଞଙ୍କ ମତରେ ଆଦୌ ନୁହେଁ । ୧୯ତମ ଶତାବ୍ଦୀ ତୁଳନାରେ ଆଜିର ବିଶ୍ୱ ବହୁତ ବଦଳିଯାଇଛି ।
କ୍ଲିକ୍ ବେଟ୍ ଏବଂ ଭ୍ୟୁଜ୍ ପାଇଁ ସୋସିଆଲ ମିଡିଆରେ ସବୁଠୁ ଖରାପ ପରିସ୍ଥିତିକୁ ଦେଖାଇ ଲୋକଙ୍କୁ ଡରାଯାଉଛି । ଆଜିର ଦୁନିଆ ଏତେ ବଡ଼ ବିପତ୍ତିକୁ ଏଡ଼ାଇବା ପାଇଁ ସମ୍ପୂର୍ଣ୍ଣ ସକ୍ଷମ । ବର୍ତ୍ତମାନ ଆମ ପାଖରେ ଆଗୁଆ ସୂଚନା ଦେଉଥିବା ଆଧୁନିକ ସାଟେଲାଇଟ୍ ବ୍ୟବସ୍ଥା, ବିଶ୍ୱସ୍ତରୀୟ ଖାଦ୍ୟ ବାଣିଜ୍ୟ, ଏବଂ ଜରୁରୀକାଳୀନ ସହାୟତା ନେଟୱର୍କ ରହିଛି । ଏଲ୍ ନିନୋ ଯୋଗୁଁ ପେରୁ, ଆମେରିକାରେ ପ୍ରବଳ ବର୍ଷା ଓ ବନ୍ୟା ହୋଇପାରେ ଏବଂ ଏସିଆ ଓ ଅଷ୍ଟ୍ରେଲିଆର କିଛି ଅଞ୍ଚଳରେ ମରୁଡ଼ି ସ୍ଥିତି ସୃଷ୍ଟି ହୋଇପାରେ । ଏହାଦ୍ୱାରା ଖାଦ୍ୟଶସ୍ୟର ମୂଲ୍ୟ ବଢ଼ିପାରେ ଏବଂ ୨୦୨୬-୨୭ ବିଶ୍ୱର ସବୁଠୁ ଗରମ ବର୍ଷ ସାବ୍ୟସ୍ତ ହୋଇପାରେ । ୨୦୨୬ ଏଲ୍ ନିନୋ ନିଶ୍ଚିତ ଭାବେ ଏକ ବଡ଼ ଜଳବାୟୁ ଆହ୍ୱାନ ଏବଂ ଏଥିପାଇଁ ସରକାରୀ ସ୍ତରରେ ପ୍ରସ୍ତୁତି ଜରୁରୀ । କିନ୍ତୁ ଏହା ଦ୍ୱାରା ୫ କୋଟି ଲୋକ ପ୍ରାଣ ହରାଇବେ ବୋଲି ଭାଇରାଲ୍ ହେଉଥିବା ଖବର ସମ୍ପୂର୍ଣ୍ଣ ଗୁଜବ ।
