Monday, March 30, 2026
33.2 C
Odisha

    ଆହୁରି ୩ଦିନ ଅତି ପ୍ରବଳ ବର୍ଷା: କୋରାପୁଟରେ ୨୮ ଯାଏଁ ଛୁଟି ବାତିଲ୍

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଉପକୂଳ ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଉତ୍ତର ଓଡ଼ିଶା ଓ ତତ୍‌ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ ରହିଛି। ଏହାର ପ୍ରଭାବରେ ସାରା ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗି ରହିଛି। ଆସନ୍ତା ୨୫ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି। ସମ୍ଭାବ୍ୟ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେବ। ଆସନ୍ତା ୩ଦିନ ପର୍ଯ୍ୟନ୍ତ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବଜ୍ରପାତ ସହ ପ୍ରବଳ ବର୍ଷା ହୋଇପାରେ। ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବିଶେଷ କରି କୋରାପୁଟ, ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଆସନ୍ତା ୨୮ତାରିଖ ପର୍ଯ୍ୟନ୍ତ କୋରାପୁଟ ଜିଲ୍ଲାର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି।

    ପାଣିପାଗ ବିଭାଗର ପୂର୍ବାନୁମାନ, ୨୫ ତାରିଖ ସୁଦ୍ଧା ଉତ୍ତର-ପଶ୍ଚିମ ଏବଂ ଏହାର ପାର୍ଶ୍ବବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗର ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି। ୨୬ରେ ପଶ୍ଚିମ ଦିଗରେ ଗତି କରି ଉତ୍ତର-ପଶ୍ଚିମ ଏବଂ ଏହାର ନିକଟବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ସହ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଅବପାତରେ ପରିଣତ ହୋଇପାରେ। ୨୭ରେ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳବର୍ତ୍ତୀ ଅଞ୍ଚଳରେ ସ୍ଥଳଭାଗ ଅତିକ୍ରମ କରିବ। ଆଜି ମାଲକାନଗିରିରେ ୭୨.୮ମି.ମି. ବର୍ଷା ହୋଇଥିବାବେଳେ ଗୋପାଳପୁର ୪୨.୨, ବାଲେଶ୍ବର ୩୧.୩, ଛତ୍ରପୁର ୩୨.୪, ନୂଆପଡ଼ା ୨୮, ପାରଳାଖେମୁଣ୍ଡି ୧୯, ଝାରସୁଗୁଡ଼ା ୨୦ ମି.ମି. ବର୍ଷା ହୋଇଛି।
    ଆସନ୍ତା ୨୪ଘଣ୍ଟା ମଧ୍ୟରେ ଝାରସୁଗୁଡ଼ା, ସୁନ୍ଦରଗଡ଼ ଏବଂ ସମ୍ବଲପୁର ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। କେନ୍ଦୁଝର, ମୟୂରଭଞ୍ଜ, ବରଗଡ଼, ସୁବର୍ଣ୍ଣପୁର, ଦେବଗଡ଼, ବୌଦ୍ଧ ଏବଂ ଅନୁଗୋଳ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି ହୋଇଛି। ସେହିପରି ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ ଢେଙ୍କାନାଳ ଜିଲ୍ଲାକୁ ବଜ୍ରପାତ ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଓଡ଼ିଶା ଉପକୂଳ ଏବଂ ଉତ୍ତର ବଙ୍ଗୋପସାଗରରେ ଘଣ୍ଟା ପ୍ରତି ୩୫ରୁ ୪୫କି.ମି. ବେଗରେ ପବନ ବହିବା ସମ୍ଭାବନା ରହିଛି। ସ୍ଥଳବିଶେଷରେ ଝଟକା ପବନ ଘଣ୍ଟା ପ୍ରତି ୫୫କି.ମି. ଛୁଇଁପାରେ। ସମୁଦ୍ର ଅଶାନ୍ତ ରହିବାରୁ ଓଡ଼ିଶା ଉପକୂଳ ଏବଂ ଉତ୍ତର ବଙ୍ଗୋପସାଗର ଅଞ୍ଚଳକୁ ଆସନ୍ତା ୨୭ତାରିଖ ପର୍ଯ୍ୟନ୍ତ ନଯିବାକୁ ମତ୍ସ୍ୟଜୀବୀଙ୍କୁ ପାଣିପାଗ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.2 ° C
    33.2 °
    33.2 °
    22 %
    1.2kmh
    97 %
    Mon
    33 °
    Tue
    38 °
    Wed
    39 °
    Thu
    40 °
    Fri
    39 °

    ସମ୍ବନ୍ଧିତ