ନୂଆଦିଲ୍ଲୀ : ଇଣ୍ଟରନେଟ୍ ରେ ହଲଚଲ୍ । ବାଂଲାଦେଶରେ ଚର୍ଚ୍ଚାର ଶିଖରରେ ମଇଁଷି ଡୋନାଲ୍ଡ ଟ୍ରମ୍ପ ! । ଦେଖିବାକୁ ଜମୁଛି ନାହିଁ ନଥିବା ଭିଡ଼ । ସୋସିଆଲ ମିଡିଆରେ ଅଦ୍ଭୁତ ମଇଁଷିକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି । ବାଂଲାଦେଶର ନାରାୟଣଗଞ୍ଜରେ ଥିବା ଏକ ବିରଳ ଆଲବିନୋ ପ୍ରଜାତିର ମଇଁଷି ଏବେ ରାତାରାତି ଇଣ୍ଟରନେଟ୍ ସେନସେସନ ପାଲଟିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭଳି ଚେହେରା ଓ ସୁନେଲୀ ରଙ୍ଗର ବାଳ ଥିବାରୁ ଲୋକେ ଏହାକୁ ଆଦରରେ ‘ଡୋନାଲ୍ଡ ଟ୍ରମ୍ପ’ ବୋଲି ଡାକୁଛନ୍ତି । ଢାକା ଉପକଣ୍ଠ ପାଇକପଡ଼ାର ଜିଆ ଉଦ୍ଦିନ ମୃଧାଙ୍କ ଗୋରୁ ଫାର୍ମରେ ୭୦୦ କିଲୋଗ୍ରାମ ଓଜନର ମଇଁଷିକୁ ଦେଖିବା ପାଇଁ ହଜାର ହଜାର ଲୋକ ଭିଡ଼ ଜମାଉଛନ୍ତି । ମଇଁଷିର ସ୍ୱତନ୍ତ୍ର ଗୋଲାପି-ଧଳା ଚମଡ଼ା ଓ ମୁଣ୍ଡ ଉପରେ ପଛକୁ କୁଣ୍ଡା ହୋଇଥିବା ଟ୍ରମ୍ପ ଶୈଳୀର ସୁନେଲୀ ବାଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ଫାର୍ମର କର୍ମଚାରୀ ମଧ୍ୟ ନିୟମିତ ବ୍ରଶ୍ କରି ତାର ଏହି ଷ୍ଟାଇଲିସ୍ ଲୁକ୍ କୁ ବଜାୟ ରଖୁଛନ୍ତି ।
ଫାର୍ମ ମାଲିକ ଜିଆ ଉଦ୍ଦିନ କହିଛନ୍ତି, ଲୋକେ ବହୁ ଦୂରରୁ ଏହାକୁ ଦେଖିବାକୁ ଆସୁଛନ୍ତି, ସେଲଫି ନେଉଛନ୍ତି ଏବଂ ହସୁଛନ୍ତି । ଆମେ କେବେ ଏତେ ଭଲପାଇବା ମିଳିବ ଭାବି ନଥିଲୁ ବୋଲି ସେ କହିଛନ୍ତି । ୧୦ ମାସ ପୂର୍ବରୁ ରାଜସାହୀ ବଜାରରୁ ଅଣାଯାଇଥିବା ଏହି ମଇଁଷିଟିକୁ ବକ୍ରିଦ୍ କୋରବାନୀ ପାଇଁ ଜଣେ ଗ୍ରାହକ ଅଲଗା ଭାବେ କିଣି ସାରିଛନ୍ତି । ତେବେ ପର୍ବ ପର୍ଯ୍ୟନ୍ତ ଏହାକୁ ସର୍ବସାଧାରଣଙ୍କ ଦେଖିବା ପାଇଁ ରଖାଯାଇଛି । କିନ୍ତୁ ଅତ୍ୟଧିକ ଭିଡ଼, କୋଳାହଳ ଓ କ୍ରମାଗତ ଲୋକଙ୍କ ଆଗମନ ଯୋଗୁଁ ମଇଁଷିଟି ମାନସିକ ଚାପରେ ରହୁଛି । ତାର ଓଜନ କମିବାରେ ଲାଗିଛି, ଯାହା ଏବେ ଫାର୍ମ ମାଲିକଙ୍କ ପାଇଁ ଚିନ୍ତାର କାରଣ ସାଜିଛି । ଫାର୍ମରେ ଆଉ ଏକ ଆଲବିନୋ ମଇଁଷି ମଧ୍ୟ ଅଛି, ଯାହାର ନାମ ‘ବେଞ୍ଜାମିନ୍ ନେତାନ୍ୟାହୁ’ ରଖାଯାଇଛି । ‘ଟ୍ରମ୍ପ’ ତୁଳନାରେ ତାକୁ କମ୍ ସେଲିବ୍ରିଟି ଷ୍ଟାଟସ୍ ମିଳିଛି । ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ଟିକଟକ୍ ରେ ଏବେ ଏହି ‘କମାଣ୍ଡର-ଇନ୍-ବିଫ୍’ ର ଭିଡିଓ ଓ ମିମ୍ସ ବେଶ୍ ଭାଇରାଲ ହେବାରେ ଲାଗିଛି ।
