ମୁମ୍ବାଇ: ହାସ୍ୟ ଅଭିନେତା ସମୟ ରୈନା ବୁଧବାର ତାଙ୍କ ସୋ’କୁ ନେଇ ହୋଇଥିବା ବିବାଦ ଉପରେ ନୀରବତା ଭଙ୍ଗ କରିଛନ୍ତି। ତାଙ୍କ ସୋ’ ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍ର ଏକ ସାମ୍ପ୍ରତିକ ଏପିସୋଡ୍ରେ ପ୍ରଦର୍ଶିତ ଅଶ୍ଳୀଳ ହାସ୍ୟରସକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏବେ ସେ ଏହାକୁ ନେଇ କହିଛନ୍ତି କି ତାଙ୍କର ଏକମାତ୍ର ଉଦ୍ଦେଶ୍ୟ ଥିଲା ଲୋକଙ୍କୁ ହସାଇବା।
ସେ ଆହୁରି ବି ଲେଖିଛନ୍ତି କି ‘‘ଯାହା ସବୁ ଘଟୁଛି ତାହାକୁ ସମ୍ଭାଳିବା ମୋ ପାଇଁ ଏବେ ଖୁବ୍ ଅଧିକ ହୋଇଯାଉଛି। ମୁଁ ମୋ ଚ୍ୟାନେଲ୍ରୁ ସମସ୍ତ ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍ ଭିଡିଓ ହଟାଇ ଦେଇଛି। ମୋର ଏକମାତ୍ର ଉଦ୍ଦେଶ୍ୟ ଥିଲା ଲୋକଙ୍କୁ ହସାଇବା ଏବଂ ଭଲ ସମୟ ବିତାଇବା। ସେମାନଙ୍କର ତଦନ୍ତ ନିରପେକ୍ଷ ଭାବରେ ସମାପ୍ତ କରିବା ପାଇଁ ମୁଁ ସମସ୍ତ ଏଜେନ୍ସିଗୁଡ଼ିକୁ ପୂର୍ଣ୍ଣ ସହଯୋଗ କରିବି। ଧନ୍ୟବାଦ।’’
ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍ର ଶେଷ ଏପିସୋଡ୍ ପ୍ରସାରିତ ହେବାର ତିନି ଦିନ ପରେ ରାଇନାଙ୍କ ମନ୍ତବ୍ୟ ଆସିଛି, ଯେଉଁଠାରେ ୟୁଟ୍ୟୁବର୍ ରଣବୀର ଆଲ୍ଲାବାଦିଆଙ୍କ ଦ୍ୱାରା ପିତାମାତାଙ୍କ ଉପରେ କରାଯାଇଥିବା ମଜାକ ଏକ ବଡ଼ ହଙ୍ଗାମା ସୃଷ୍ଟି କରିଥିଲା।
ଉଲ୍ଲେଖଯୋଗ୍ୟ, ହାସ୍ୟ ଅଭିନେତା ସମୟ ରାଇନାଙ୍କ ଦ୍ୱାରା ପରିଚାଳିତ ୟୁଟ୍ୟୁବ୍ ରିୟଲିଟି ସୋ’’ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’ର ଏକ ଅଧ୍ୟାୟକୁ ରଣବୀର ଅତିଥି ହୋଇ ଯାଇଥିଲେ। ଏହି ସମୟରେ ସେ ଜଣେ ପ୍ରତିଯୋଗୀଙ୍କୁ ପ୍ରଶ୍ନ କରିଥିଲେ, “ତୁମେ କ’ଣ ତୁମ ବାପାମାଙ୍କୁ ଜୀବନସାରା ପ୍ରତିଦିନ ଶାରୀରିକ ସମ୍ପର୍କ ରଖୁଥିବାର ଦେଖିବାକୁ ପସନ୍ଦ କରିବ ନା ଥରେ ଏଥିରେ ସାମିଲ ହୋଇ ସବୁଦିନ ପାଇଁ ବନ୍ଦ କରିଦେବ?” ତାଙ୍କର ଏହି ପ୍ରଶ୍ନ କାହାକୁ ପସନ୍ଦ ଆସିନଥିଲା। ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ୟୁଟ୍ୟୁବ୍ ଏବେ ସେହି ଭିଡିଓକୁ ଡିଲିଟ୍ କରିଦେଇଛି।