Thursday, September 17, 2026
30 C
Odisha

    ଇରାନ-ଇସ୍ରାଏଲ ସଂଘର୍ଷ: ଆକ୍ରମଣ ତୀବ୍ର, ମୃତ୍ୟୁସଂଖ୍ୟା ୬୦୦ ଟପିଲା

    ଆଗକୁ ପଢନ୍ତୁ

    ତେହରାନ: ବୁଧବାର ଷଷ୍ଠ ଦିନରେ ପହଞ୍ଚିଥିବା ମଧ୍ୟପ୍ରାଚ୍ୟ ସଂଘର୍ଷରେ ନାଟକୀୟ ବୃଦ୍ଧି ଘଟିଥିବା ବେଳେ ଇରାନ ଇସ୍ରାଏଲ ଉପରକୁ ଫତେହ-୧ ହାଇପରସୋନିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରି ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଅନ୍ୟପକ୍ଷରେ ତେଲ ଅଭିଭ୍‌ ତା’ର ଏୟାର ଷ୍ଟ୍ରାଇକ୍‌କୁ ତେହରାନ ଉପରେ କେନ୍ଦ୍ରୀଭୂତ କରିଛି। ହାଇପରସୋନିକ କ୍ଷେପଣାସ୍ତ୍ରକୁ ଇସ୍ରାଏଲ ଅଟାକାଇବାରେ ଅସମର୍ଥ ଥିବାରୁ ସାଂଘାତିକ ସ୍ଥିତି ଉପୁଜିଛି। ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆତ୍ମସମର୍ପଣ ଆହ୍ୱାନକୁ ପ୍ରତ୍ୟାଖ୍ୟାନ କରିବା ସହ ଆମେରିକା ଆକ୍ରମଣରେ ସାମିଲ ହେଲେ ଅପୂରଣୀୟ କ୍ଷତି ସହିବ ବୋଲି ଚେତାବନୀ ଦେଇଛନ୍ତି। ଖେମିନି ପୂର୍ଣ୍ଣାଙ୍ଗ ଯୁଦ୍ଧ ପାଇଁ ପ୍ରସ୍ତୁତ ଥିବା ନେଇ ସ୍ପଷ୍ଟ ଘୋଷଣା କରିଥିବାରୁ ସମଗ୍ର ମଧ୍ୟପ୍ରାଚ୍ୟରେ ଯୁଦ୍ଧଜନିତ ଅସ୍ଥିରତା ବଢ଼ିଯାଇଛି।
    ଇରାନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ଗତ ଶୁକ୍ରବାରଠାରୁ ଇରାନର ତୀବ୍ର ଏୟାର ଷ୍ଟ୍ରାଇକ୍‌ରେ ୫୮୫ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୧,୩୨୬ ଜଣ ଆହତ ହୋଇଛନ୍ତି। ଇତିମଧ୍ୟରେ ଇରାନ ଆକ୍ରମଣରେ ଇସ୍ରାଏଲରେ ୨୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩୦୦ରୁ ଅଧିକ ଆହତ ହୋଇଛନ୍ତି। ଇସ୍‌ଲାମିକ ରିଭୋଲ୍ୟୁସନରୀ ଗାର୍ଡ କର୍ପସ (ଆଇଆର୍‌ଜିସି) ବୁଧବାର ଇସ୍ରାଏଲ ଆଡ଼କୁ ଫତେହ-୧ କ୍ଷେପଣାସ୍ତ୍ର ମାଡ଼ କରିଛି ବୋଲି ବିବିସି କହିଛି। ୨୦୨୪ ଅକ୍ଟୋବର ପହିଲାରେ ଇସ୍ରାଏଲ ଉପରେ ଆକ୍ରମଣ ବେଳେ ଇରାନ ଏକାଧିକ ଫତେହ-୧ କ୍ଷେପଣାସ୍ତ୍ର ମାଡ଼ କରିଥିଲେ ମଧ୍ୟ ବର୍ତ୍ତମାନର ସଂଘର୍ଷରେ ଏହା ପ୍ରଥମ ଥର ପାଇଁ ଏହି କ୍ଷେପଣାସ୍ତ୍ରର ବ୍ୟବହାର କରିଥିଲା। ୨୦୨୩ରେ ନିର୍ମିତ ଏହି କ୍ଷେପଣାସ୍ତ୍ରକୁ ଇରାନ ଅଧିକାରୀମାନେ ଇସ୍ରାଏଲ-ଷ୍ଟ୍ରାଇକର ବୋଲି କହିଛନ୍ତି। ଏହାର ଲଞ୍ଚ୍ ସମୟରେ ପ୍ରଦର୍ଶିତ ଏକ ବ୍ୟାନରରେ ଲେଖାଥିଲା, ‘ତେଲ ଅବିବକୁ ୪୦୦ ସେକେଣ୍ଡ’, ଯାହା ଏହାର କଥିତ ଗତିକୁ ସୂଚାଉଛି।

    ଇରାନ ଆକ୍ରମଣର ଜବାବରେ ଇସ୍ରାଏଲ ବାୟୁସେନା ଇରାନର ରାଜଧାନୀ ଉପରେ ଏୟାର୍‌ଷ୍ଟ୍ରାଇକ୍ କରିଥିଲା। ତେହରାନର ୧୮ ଜିଲ୍ଲାର ବାସିନ୍ଦାଙ୍କୁ ଆକ୍ରମଣ ପୂର୍ବରୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଉଭୟ ତେହେରାନ ଓ କରାଜରେ ବିସ୍ଫୋରଣ ହୋଇଥିବା କଥା ଇରାନ ଗଣମାଧ୍ୟମ ନିଶ୍ଚିତ କରିଛି। ଗତ ଶୁକ୍ରବାର ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିବା ପରଠାରୁ ଇରାନ ତେଲ୍‌ ଅଭିଭ୍‌ ଆଡ଼କୁ ୪୦୦ରୁ ଅଧିକ କ୍ଷେପଣାସ୍ତ୍ର ଓ ଶହ ଶହ ଡ୍ରୋନ୍ ନିକ୍ଷେପ କରିଛି। ଏହି ଆକ୍ରମଣ ଯୋଗୁଁ ଇସ୍ରାଏଲର ୪୦ଟି ସ୍ଥାନ ଭୀଷଣ ପ୍ରଭାବିତ ହୋଇଛି । ଇରାନର ତୀବ୍ର ଏୟାର୍ ଷ୍ଟ୍ରାଇକ୍ ଯୋଗୁଁ ୩,୮୦୦ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଟ୍ରମ୍ପ୍ ଟ୍ରୁଥ୍ ସୋସିଆଲ୍‌ରେ ଏକାଧିକ ଆକ୍ରମଣାତ୍ମକ ବାର୍ତ୍ତା ପୋଷ୍ଟ କରି ଇରାନ ନେତୃତ୍ବକୁ ଚେତାବନୀ ଦେଇଛନ୍ତି। ଆୟାତୋଲ୍ଲା ଖେମିନିଙ୍କ ସ୍ଥାନ ଆମେରିକା ଜାଣିଛି ବୋଲି ସେ ଦାବି କରିଥିଲେ, କିନ୍ତୁ ସ୍ପଷ୍ଟ କରିଛନ୍ତି, ଆମେ ତାଙ୍କୁ ହତ୍ୟା କରିବୁ ନାହିଁ- ଅନ୍ତତଃ ବର୍ତ୍ତମାନ ପାଇଁ ନୁହେଁ। ଏହାର କିଛି ମିନିଟ୍ ପରେ ଟ୍ରମ୍ପ ଇରାନର ନିଃସର୍ତ୍ତ ଆତ୍ମସମର୍ପଣ ପାଇଁ ଦାବି କରିବା ପୂର୍ବରୁ ଚେତାବନୀ ଦେଇ କହିଥିଲେ, ଆମର ଧୈର୍ଯ୍ୟ କ୍ଷୀଣ ହୋଇଆସୁଛି। ଆହୁରି ଉତ୍ତେଜନା ବଢ଼ିବା ଆଶଙ୍କାରେ ଆମେରିକା ମଧ୍ୟପ୍ରାଚ୍ୟକୁ ଅତିରିକ୍ତ ଲଢୁଆ ବିମାନ ପଠାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    30 ° C
    30 °
    30 °
    71 %
    0.9kmh
    55 %
    Thu
    29 °
    Fri
    32 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ