ଭୁବନେଶ୍ବର : ଆଜି ଅବପାତର ରୂପ ନେଇପାରେ ଲଘୁଚାପ । ଉତ୍ତର ଆଣ୍ଡାମାନ ସାଗର ହେବ ଅଶାନ୍ତ । ଉତ୍ତର ଆଣ୍ଡାମାନ ସାଗରରେ ଆଜି ସୃଷ୍ଟି ହୋଇପାରେ ଅବପାତ । ଦକ୍ଷିଣ ମିଆଁମାର ଉପକୂଳ ଏବଂ ଏହାର ସଂଲଗ୍ନ ଅଞ୍ଚଳରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଉତ୍ତର ଆଣ୍ଡାମାନ ସାଗର ଉପରେ ଅବପାତର ରୂପ ନେବା ସମ୍ଭାବନା ରହିଛି । ଅବପାତରେ ପରିଣତ ହେବା ପରେ ଏହି ପାଣିପାଗ ବ୍ୟବସ୍ଥା ଆଗାମୀ ଦୁଇ ଦିନ ମଧ୍ୟରେ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିବାର ଆକଳନ ରହିଛି । ଏହା ଉତ୍ତର-ପୂର୍ବ ବଙ୍ଗୋପସାଗର ଏବଂ ବାଂଲାଦେଶ ଦିଗକୁ ମୁହାଁଇପାରେ ।
ମିଆଁମାର-ବାଂଲାଦେଶ ଉପକୂଳର ସମାନ୍ତରାଳ ଏବଂ ନିକଟବର୍ତ୍ତୀ ସମୁଦ୍ର ଅଞ୍ଚଳ ଦେଇ ଏହାର ଗତିପଥ ରହିବାର ସମ୍ଭାବନା ରହିଛି । ଲଘୁଚାପ ସହ ଜଡ଼ିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ବହୁ ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଥିବା ବେଳେ ଆଣ୍ଡାମାନ ସାଗର ଉପରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ମଧ୍ୟମରୁ ସକ୍ରିୟ ରହିଛି । ଫଳରେ ସମୁଦ୍ର ଅଶାନ୍ତ ରହିବା ସହ ପବନର ବେଗ ବଢ଼ିବାର ଆଶଙ୍କା ରହିଛି । ଆଣ୍ଡାମାନ ସାଗର ସହ ଆଣ୍ଡାମାନ ଓ ମିଆଁମାର ଉପକୂଳରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ଝଡ଼ ପବନ ବହିପାରେ । ଝଟକା ପବନର ବେଗ ଘଣ୍ଟାପ୍ରତି ୬୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ । ଏହି ସମୟରେ ସମୁଦ୍ର ଅଶାନ୍ତରୁ ଅତ୍ୟନ୍ତ ଅଶାନ୍ତ ରହିବାର ସମ୍ଭାବନା ରହିଛି ।
ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଏହି ସମୁଦ୍ର ଅଞ୍ଚଳକୁ ମତ୍ସ୍ୟଜୀବୀମାନଙ୍କୁ ନଯିବାକୁ ପରାମର୍ଶ ଦିଆଯାଇଛି । ସମୁଦ୍ରରେ ଥିବା ମତ୍ସ୍ୟଜୀବୀଙ୍କୁ ଉପକୂଳକୁ ଫେରିବାକୁ କୁହାଯାଇଥିବା ବେଳେ ଛୋଟ ଡଙ୍ଗା ଓ ଉପକୂଳ ଜାହାଜ ଚଳାଚଳ ପାଇଁ ମଧ୍ୟ ସତର୍କତା ଜାରି ହୋଇଛି । ଆଣ୍ଡାମାନ ଓ ନିକୋବର ଉପକୂଳର ଅନେକ ସ୍ଥାନରେ ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହୋଇପାରେ। କେତେକ ସ୍ଥାନରେ ପ୍ରବଳ ବର୍ଷାର ମଧ୍ୟ ସମ୍ଭାବନା ରହିଛି । ସମୁଦ୍ର ଉପରେ ରହିବା ସମୟରେ ଏହି ବ୍ୟବସ୍ଥା ଆହୁରି ଘନୀଭୂତ ହେଉଛି କି ନାହିଁ, ତାହା ଉପରେ ପାଣିପାଗ ବିଭାଗ ନଜର ରଖିଛି । ଆଗାମୀ ବୁଲେଟିନରେ ଏହାର ତୀବ୍ରତା ଓ ସମ୍ଭାବ୍ୟ ଗତିପଥ ଅଧିକ ସ୍ପଷ୍ଟ ହେବ ।
