ଏକଦା ମହାରାଜା ଆକବର ରାଜ୍ୟ ଭ୍ରମଣରେ ବାହାରିଲେ । ରାଜା ଅନୁଭବ କଲେ ଯେ,ରାଜ୍ୟରେ ଅନେକ ସଂଖ୍ୟକ ଛେଳି ଅଛନ୍ତି । ଛେଳି ଓ କୁକୁର ଏକାଥରେ ତିନି ଚାରୋଟି କରି ଛୁଆ ଜନ୍ମ ଦିଅନ୍ତି । କେତେକ ସ୍ଥଳେ ଛେଳିମାନଙ୍କ ଅପେକ୍ଷା କୁକୁରମାନେ ଅଧିକ ଛୁଆ ଜନ୍ମ ଦିଅନ୍ତି । ଛେଳିମାନଙ୍କୁ ହତ୍ୟା କରି ମାଂସ ଖିଆଯାଏ । ତଥାପି ଛେଳିମାନଙ୍କ ସଂଖ୍ୟା କୁକୁରମାନଙ୍କ ସଂଖ୍ୟା ଅପେକ୍ଷା ଅଧିକ ହେଉଛି କିପରି? ଏହାର କାରଣ ରାଜା ଖୋଜି ପାଇଲେନି । ଏହାର ସଠିକ କାରଣ ନପାଇ ରାଜାଙ୍କ ମନରେ ଅଦ୍ଭୁତ କୌତୁହଳ ଜାତ ହେଲା ।
ଆକବରଙ୍କ ରାଜସଭାରେ ଜଣେ ଖ୍ୟାତନାମା ପଣ୍ଡିତ ଥା’ନ୍ତି । ତାଙ୍କ ନାମ ବୀରବଲ । ତାଙ୍କୁ ସମସ୍ତେ ଚତୁର ବୀରବଲ ବୋଲି ନାମିତ କରିଥା’ନ୍ତି । ଏ ପ୍ରଶ୍ନର ଉତ୍ତର ବୀରବଲଙ୍କୁ ପଚରାଗଲା ।
ବୀରବଲ ଏ ପ୍ରଶ୍ନର ଉତ୍ତର ଦେବା ପାଇଁ ତିନିଦିନ ସମୟ ମାଗିଲେ । ତାଙ୍କ ବରାଦରେ ଦୁଇଟି ବଡ଼ ଘର ନିଆଗଲା । ଗୋଟିଏ ଘରେ ସଂଗ୍ରହ କରି ଶହେଟି କୁକୁର ଓ ଆର ଘରଟିରେ ଶହେଟି ଛେଳି ରଖାଗଲା । ଘର ଦୁଇଟିର କବାଟ ବାହାରୁ ବନ୍ଦ କରି ଦିଆଗଲା ।
ଚତୁର୍ଥ ଦିନ ସକାଳେ ବୀରବଲ ରାଜାଙ୍କ ପ୍ରଶ୍ନର ଉତ୍ତର ଦେବା ନିମନ୍ତେ ତାଙ୍କୁ ସେହି ବଡ଼ ଘର ନିକଟକୁ ନେଇ ଆସିଲେ । ସେଠି ପହଞ୍ଚି ବୀରବଲ ରାଜାଙ୍କୁ କହିଲେ,”ଏହି ଘର ଦୁଇଟିରେ ପୃଥକ ଭାବରେ ଶହେଟି ଛେଳି ଓ ଶହେଟି କୁକୁର ଚାରିଦିନ ଧରି ବନ୍ଦ କରି ରଖାଯାଇଛି । ଆପଣ ପ୍ରଥମେ ଘର ଦୁଇଟିର କବାଟ ଖୋଲି ଦେଖନ୍ତୁ । ଏହାପରେ ଆପଣଙ୍କ ପ୍ରଶ୍ନର ଉତ୍ତର ମୁଁ ଦେବି ।
ପ୍ରଥମେ କୁକୁରମାନେ ରହୁଥିବା ଘରର କବାଟ ଖୋଲି ଦିଆଗଲା । ଦେଖାଗଲା ଯେ,ଗତ ତିନିଦିନ ଭିତରେ କଳିତକରାଳ ଓ କାମୁଡା କାମୁଡି ହୋଇ ଅନେକ କୁକୁର ପ୍ରାଣ ହରାଇଥିବା ବେଳେ ଅଧିକାଂଶ କୁକୁର ମୃତାହତ ହୋଇ ପଡିଛନ୍ତି । ମାତ୍ର ଛେଳିମାନେ ପରସ୍ପରର ବେକ ଓ ମୁଣ୍ଡ ଉପରେ ମୁଣ୍ଡ ଓ ବେକ ରଖି ଆନନ୍ଦରେ ପାକୁଳି କରିବାରେ ଲାଗିଛନ୍ତି । ଏହା ଦେଖି ରାଜା ଆଶ୍ଚର୍ଯ୍ୟରେ ବୀରବଲଙ୍କୁ ଚାହିଁଲେ ।
ବୀରବଲ ବୁଝାଇ ଦେଲେ ଯେ; ସ୍ନେହ,ମୈତ୍ରୀ ଓ ଏକତା ଥିବାରୁ ଛେଳି ବଂଶ ମନୁଷ୍ୟ ଦ୍ୱାରା ନଷ୍ଟ ହେଲେ ବି ତାଙ୍କର ଉନ୍ନତ ବଂଶବୃଦ୍ଧି ଘଟି ଚାଲିଛି । କୁକୁରମାନେ ନିଜ ଜାତିକୁ ଈର୍ଷା କରନ୍ତି । ଭଲ ପାଆନ୍ତି ନାହିଁ । ତାଙ୍କର ନିଜ ନିଜ ମଧ୍ୟରେ ସ୍ନେହ ଓ ଏକତାର ଅଭାବ ଥାଏ, ଯାହାକି ଶତ୍ରୁତା ଭାବ ସୃଷ୍ଟି କରି ନଷ୍ଟକୁ ଆମନ୍ତ୍ରଣ କରେ । କ୍ରୋଧ ମଧ୍ୟ ସ୍ନେହ,ପ୍ରେମ ଭାବ ନଷ୍ଟ କରେ । ପରସ୍ପର ମଧ୍ୟରେ ସଦିଚ୍ଛା ଓ ଏକତା ଉନ୍ନତିର ମାର୍ଗ ଦେଖାଇ ଦେଇଥାଏ ।
କାହାଣୀ- ନିରଞ୍ଜନ ପତି