Friday, April 3, 2026
39 C
Odisha

    ଏନଏସି ସ୍ତରରେ ନିଯୁକ୍ତ ହେବେ ଖାଦ୍ୟ ନିରାପତ୍ତା ଅଧିକାରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାଜ୍ୟରେ ଖାଦ୍ୟ ସାମଗ୍ରୀ ଅପମିଶ୍ରଣ ହୁ ହୁ ହୋଇ ବଢୁଛି। ସହରରୁ ଗାଁ ପର୍ଯ୍ୟନ୍ତ ଅନେକ ପେଟରୋଗରେ ଆକ୍ରାନ୍ତ ହେଉଛନ୍ତି। କେଉଁଠି ବାସି ଖାଦ୍ୟ ବିକ୍ରି ହେଉଛି ତ ପୁଣି କେଉଁଠି ଦୂଷିତ ପାଣି ବ୍ୟବହାର ଯୋଗୁଁ ଲୋକ ଝାଡ଼ାବାନ୍ତି ଭଳି ସ୍ବାସ୍ଥ୍ୟ ସମସ୍ୟା ଭୋଗୁଛନ୍ତି। ଏସବୁ ରୋକିବା ପାଇଁ ଖାଦ୍ୟ ନିରାପତ୍ତା ବିଭାଗ ରହିଛି। ବିଭାଗର ମାନବସମ୍ବଳ ଅଭାବ ଯୋଗୁଁ ଅପମିଶ୍ରଣ ରୋକିବାରେ ସକ୍ଷମ ହୋଇପାରୁନି। ବିଭାଗ ପକ୍ଷରୁ ଆଗକୁ ୧୧୩ଟି ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍ଏସି)ରେ ଖାଦ୍ୟ ନିରାପତ୍ତା ଅଧିକାରୀ ଓ ୧୦ଟି ଭ୍ରାମ୍ୟମାଣ ଖାଦ୍ୟ ପରୀକ୍ଷା ଲାବ୍‌ (ଏମ୍ଏଫ୍‌ଟିଏଲ) ଯାନ କିଣିବା ପାଇଁ ଯୋଜନା କରିଛି।

    ସୂଚନାଯୋଗ୍ୟ, ରାଜ୍ୟରେ ବହୁ ମାତ୍ରାରେ ଅପମିଶ୍ରିତ ସାମଗ୍ରୀ ପ୍ରସ୍ତୁତ ହେଉଛି। ତେଲ, ଅଟା, ଚିନି, ହଳଦୀ ଘିଅ, ମସଲାଗୁଣ୍ଡ,ଚା, ଟମାଟୋ ସସ୍‌, ଡାଲି, ଚିଲି ସସ୍‌,ମସଲାଗୁଣ୍ଡରେ ଅପମିଶ୍ରଣ କରାଯାଇ ବଜାରରେ ବିକ୍ରି ହେଉଛି। କିଛି ଅସାଧୁ ବ୍ୟବସାୟୀ ଅଧିକ ଲାଭବାନ ଉଦ୍ଦେଶ୍ୟରେ ଅପମିଶ୍ରିତ ସାମଗ୍ରୀ ପ୍ରସ୍ତୁତ କରି ବଜାରକୁ ଛାଡୁଛନ୍ତି। ଏଥିପାଇଁ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ରୋକାଯାଇ ପାରୁନାହିଁ। ଏହାବ୍ୟତୀତ ରାସ୍ତାକଡ଼ର ଖାଦ୍ୟ ଉପରେ ଯୁବପିଢ଼ିଙ୍କ ଆଗ୍ରହ ବଢୁଛି। ରାସ୍ତାକଡ଼ରେ ବିକ୍ରି ହେଉଥିବା ଫାଷ୍ଟଫୁଡ୍‌, ଚାଟ୍‌, ଗୁପ୍‌ଚୁପ୍‌, ଦୋସା, ମୋମୋ, ଦହିବରା ଦୋକାନରେ ଗ୍ରାହକଙ୍କ ଭିଡ଼ ଜମୁଛି। ଏସବୁ ଖାଦ୍ୟ ପ୍ରସ୍ତୁତ ପାଇଁ ସ୍ବଚ୍ଛତା ଆପଣା ଯାଉନାହିଁ। ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ବ୍ୟବସାୟୀଙ୍କୁ ସଚେତନ କରିବା ପାଇଁ ମଝିରେ ମଝିରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ଏହାସହିତ ସହରରେ ଭଳିକି ଭଳି ପାଣିବୋତଲ ପ୍ୟାକିଂ କାରଖାନା ଖୋଲିବାରେ ଲାଗିଛି। ବସଷ୍ଟାଣ୍ଡ, ରେଳଷ୍ଟେସନ, ହୋଟେଲ, ରେସ୍ତୋଁରା ଓ ଜଳଖିଆ ଦୋକାନରେ ଲୋକେ ପାଣି ମାଗିଲେ ପାଣିବୋତଲ ଧରାଇ ଦିଆଯାଉଛି। ମିନେରାଲ ୱାଟର କହି ଲୋକଙ୍କୁ ବିକ୍ରି କରାଯାଉଛି। ସହରରେ ଅତିକମରେ ୫ରୁ ୧୦ଟଙ୍କାରେ ପାଣି ବୋତଲ ବିକ୍ରି ହେଉଛି। ଏପରିକି ପାଣିବୋତଲ ବିକ୍ରିର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି। କୌଣସି ସଭାସମିତି, ବିବାହ, ବ୍ରତ, ଭୋଜିସ୍ଥଳରେ ପାଣିବୋତଲର ବ୍ୟବହାର ବଢିଛି। ହେଲେ ସେ ସବୁର ବ୍ୟବହାର ପୂର୍ବରୁ ତା’ର ମାନ ଯାଞ୍ଚ କରାଯାଉ ନାହିଁ। ଏବେ ପାଣିଠୁ ଆରମ୍ଭ କରି ଖାଦ୍ୟ ପର୍ଯ୍ୟନ୍ତ ସବୁ ଅପମିଶ୍ରଣ ହେଉଛି। ଏସମ୍ପର୍କରେ ଖାଦ୍ୟ ନିରାପତ୍ତା ବିଭାଗର ନିର୍ଦେଶ ଡା.ଶକ୍ତିପ୍ରସାଦ ମିଶ୍ର କହିଛନ୍ତି, ରାଜ୍ୟରେ ୭୩ ଖାଦ୍ୟ ନିରାପତ୍ତା ଅଧିକାରୀ ପଦ ରହିଛି। ସେଥିରୁ ୬୧ ଅଧିକାରୀ କାର୍ଯ୍ୟ କରୁଛନ୍ତି। ଦୁଇଜଣ ଅଧିକାରୀ ଭିଜିଲାନ୍ସ ଅଧିକାରୀଙ୍କ ହାତରେ ଧରାପଡ଼ିଛନ୍ତି। ୫୯ ଅଧିକାରୀଙ୍କୁ ନେଇ ୩୦ଟି ଜିଲା ତଥା ଭିଆଇପି ଡ୍ୟୁଟିରେ କାର୍ଯ୍ୟ କରିବାକୁ ପଡୁଛି। ଆଗକୁ ଖାଦ୍ୟ ଓ ନିରାପତ୍ତା ବିଭାଗକୁ ସଶକ୍ତ କରିବା ପାଇଁ ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗଙ୍କୁ ଦୁଇଟି ପର୍ଯ୍ୟାୟରେ ୧୦ ଏବଂ ୭୪ ଖାଦ୍ୟ ନିରାପତ୍ତା ଅଧିକାରୀ ନିଯୁକ୍ତି ପାଇଁ ଆବେଦନ କରାଯାଇଛି। ପଦପୂରଣ ହେଲେ ୧୧୩ଟି ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି)ରେ ଖାଦ୍ୟ ନିରାପତ୍ତା ଅଧିକାରୀ ନିଯୁକ୍ତି ଦିଆଯିବ ବୋଲି ସରକାରୀ ସ୍ତରରେ ବିଚାର ବିମର୍ଶ ଚାଲିଛି। ଏହାବ୍ୟତୀତ ଚଢ଼ଉ ସ୍ଥାନରେ ତତ୍କାଳ ଖାଦ୍ୟର ନମୁନା ସଂଗ୍ରହ କରି ରିପୋର୍ଟ ସଂଗ୍ରହ ଲାଗି ରାଜ୍ୟରେ ଗୋଟିଏ ଭ୍ରାମ୍ୟମାଣ ଖାଦ୍ୟ ପରୀକ୍ଷା ଲାବ୍‌ (ଏମ୍‌ଏଫ୍‌ଟିଏଲ) ରହିଛି। ଅଧିକ ଏମ୍‌ଏଫଟିଏଲ୍‌ ଯାନ ଯୋଗାଇ ଦେବା ପାଇଁ ଭାରତ ସରକାରଙ୍କ ଖାଦ୍ୟ ନିରାପତ୍ତା ଓ ମାନକ କର୍ତ୍ତୃପକ୍ଷ (ଏଫଏସ୍‌ଏସ୍‌ଏଆଇ)କୁ ଆବେଦନ କରାଯାଇଥିଲା। ଏଫଏସ୍‌ଏସ୍‌ଏଆଇ ପକ୍ଷରୁ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ପକ୍ଷରୁ ୧୦ଟି ଏମ୍‌ଏଫ୍‌ଟିଏଲ୍‌ ଯାନ କିଣିବା ପାଇଁ ଆଲୋଚନା ହୋଇଛି। ଗୋଟିଏ ଏମ୍‌ଏଫଟିଏଲ୍‌ଟି ଯାନ ମୂଲ୍ୟ ଅତିକମରେ ୫୦ଲକ୍ଷ ଟଙ୍କା ପଡ଼ିବ ବୋଲି କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39 ° C
    39 °
    39 °
    18 %
    4.1kmh
    1 %
    Fri
    40 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ