Sunday, October 4, 2026
22.7 C
Odisha

    ଏମ୍‌କେସିଜିରେ ଛାତ୍ରୀଙ୍କୁ ରାଗିଂ, ଆଣ୍ଟି ରାଗିଂ ସେଲରେ ଅଭିଯୋଗ

    ଆଗକୁ ପଢନ୍ତୁ

    ବ୍ରହ୍ମପୁର : ଏମକେସିଜି ମେଡିକାଲ କଲେଜ ଓ ହସପିଟାଲରୁ ଏମବିବିଏସ ପ୍ରଥମ ବର୍ଷରେ ପଢୁଥିବା ଏକାଧିକ ଛାତ୍ରୀଙ୍କୁ ରାଗିଂ କରାଯାଉଥିବା ନେଇ ଜଣେ ଛାତ୍ରୀଙ୍କ ବାପା ଦିଲ୍ଲୀ ସ୍ଥିତ ଆଣ୍ଟି ରାଗିଂ ସେଲରେ ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ ପାଇଁ ଆଣ୍ଟି ରାଗିଂ ସେଲ ପକ୍ଷରୁ ଏମକେସିଜି ମେଡିକାଲ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ହୋଇଛି। ସେହିକ୍ରମରେ ଆସନ୍ତା ୨ ତାରିଖରେ ଏମକେସିଜି ଆଣ୍ଟି ରାଗିଂ କମିଟି ବୈଠକ ବସିବାକୁ ଯାଉଛି।ଛାତ୍ରୀଙ୍କ ବାପା କରିଥିବା ଅଭିଯୋଗପ୍ରକାରେ ତାଙ୍କ ଝିଅ ସହ ଏହି ହଷ୍ଟେଲରେ ୪୦ ଜଣ ପ୍ରଥମ ବର୍ଷର ଛାତ୍ରୀ ରହୁଛନ୍ତି। ସେମାନଙ୍କ ସିନିୟର ଛାତ୍ରୀ ବନ୍ଧୁତା ବୃଦ୍ଧି କରିବା ବାହାନାରେ ପ୍ରତ୍ୟେକ ଦିନ ବିଳମ୍ବିତ ରାତିରେ ହଷ୍ଟେଲ ଭିତରକୁ ଯାଉଛନ୍ତି। ସେଠାରେ ପ୍ରଥମ ବର୍ଷର ଛାତ୍ରୀଙ୍କୁ ରୁମରୁ ବାହାରକୁ ଆସିବାକୁ କହିବା ସହ ସିନିୟରଙ୍କ ନୋଟ୍‌ ଲେଖିଦେବାକୁ ବାଧ୍ୟ କରୁଛନ୍ତି। ଯଦି ପ୍ରଥମ ବର୍ଷର ଛାତ୍ରୀ ଏ ନେଇ ପ୍ରଶ୍ନ କରନ୍ତି ତେବେ ସେମାନଙ୍କୁ ରାଗିଂ କରିବା ସହ ଧମକ ଚମକ ଦେଉଛନ୍ତି। ଯାହାକୁ ନେଇ ପ୍ରଥମ ବର୍ଷର ବହୁ ଛାତ୍ରୀ ମାନସିକ ଚିନ୍ତାରେ ରହିଛନ୍ତି ବୋଲି ଅଭିଭାବକ ଜଣକ ଅଭିଯୋଗ କରିଛନ୍ତି।ଏପରିକି ନୋଟ ଲେଖିବାକୁ ବାଧ୍ୟ କରୁଥିବା ତଥା ରାଗିଂ କରୁଥିବା ୪ ଜଣ ସିନିୟର ଛାତ୍ରୀଙ୍କ ନାମ ମଧ୍ୟ ସେ ଆଣ୍ଟି ରାଗିଂ ସେଲକୁ ଜଣାଇଛନ୍ତି।ତେବେ ଏହି ଅଭିଯୋଗକୁ ଏମକେସିଜି କର୍ତ୍ତୃପକ୍ଷ ଗୁରୁତର ସହ ନେଇ ରାଗିଂ ଅଭିଯୋଗ ଆସିଥିବା ଛାତ୍ରୀଙ୍କ ହଷ୍ଟେଲକୁ ଯାଇ ପଚରାଉଚରା କରିଛନ୍ତି। ସୋମବାର ଏମକେସିଜିର ଟେଲି ମେଡିସିନ କକ୍ଷରେ ଆଣ୍ଟି ରାଗିଂ କମିଟି ବୈଠକ ବସିବ। ସେଠାରେ ରାଗିଂ ଅଭିଯୋଗ ହୋଇଥିବା ୪ ଜଣ ସିନିୟର ଛାତ୍ରୀଙ୍କୁ ଉପସ୍ଥିତ ରହିବାକୁ କୁହାଯାଇଛି। ବୈଠକରେ ଏମକେସିଜି କର୍ତ୍ତୃପକ୍ଷ ସହ ଆଣ୍ଟି ରାଗିଂ କମିଟିରେ ଥିବା ପୁଲିସ ଅଧିକାରୀ, ଛାତ୍ର ଓ ଛାତ୍ରୀଙ୍କ ପ୍ରତିନିଧି, ସ୍ବେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧି ଉପସ୍ଥିତ ରହିବେ। ଯଦି ରାଗିଂ ପ୍ରମାଣିତ ହୁଏ ତେବେ କମିଟି ପକ୍ଷରୁ ଉପରୋକ୍ତ ୪ ଜଣ ଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି।ଆଣ୍ଟି ରାଗିଂ କମିଟି ବୈଠକ ବସିବା ପରେ ରାଗିଂ କରିଥିବା ସିନିୟର ଛାତ୍ରଙ୍କୁ ୬ ମାସ ଯାଏଁ ଏମକେସିଜି କ୍ୟାମ୍ପସ ମନା ହୋଇଥିଲା। ସେହି ଛାତ୍ରମାନେ ଆଜି ଯାଏଁ ଏମକେସିଜି କ୍ୟାମ୍ପସ ଆସୁନାହାନ୍ତି କିମ୍ବା କ୍ଲାସ କରୁନାହାନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.7 ° C
    22.7 °
    22.7 °
    74 %
    1.5kmh
    1 %
    Sat
    22 °
    Sun
    30 °
    Mon
    30 °
    Tue
    31 °
    Wed
    31 °

    ସମ୍ବନ୍ଧିତ