Wednesday, October 7, 2026
31.4 C
Odisha

    ଏହି କାରଣରୁ ଗୁଣ୍ଡିଚା ମନ୍ଦିରକୁ କାହିଁକି ଆସନ୍ତି ମହାପ୍ରଭୁ

    ଆଗକୁ ପଢନ୍ତୁ

    ପୁରୀ: ମହାପ୍ରଭୁଙ୍କ ଆଗମନକୁ ଅପେକ୍ଷା କରି ରହିଛି ତିନିରଥ । ସିଂହଦ୍ୱାର ଚକଡାରୁ ଶ୍ରୀନଅର ପର୍ଯ୍ଯନ୍ତ ରଥ ଦାଣ୍ଡକୁ ବିଭିନ୍ନ ରଙ୍ଗର ଝୋଟି ଚିତାରେ ରଙ୍ଗାୟିତ କରିଛନ୍ତି ଚିତ୍ରଶିଳ୍ପୀ । ତେବେ ଆଷାଢ଼ ମାସ ଶୁକ୍ଳ ଦ୍ୱିତୀୟା ତିଥି ଦିନ ପାଳିତ ହୋଇଥାଏ ରଥଯାତ୍ରା। ବର୍ଷ ଯାଏକ ମନ୍ଦିରରେ ରହିବା ପରେ ବଡ ଦାଣ୍ଡକୁ ଭଗବାନ ଆସିଥାନ୍ତି ତାଙ୍କର ଭକ୍ତମାନଙ୍କୁ ଦର୍ଶନ ଦେବାକୁ। ଏହାକୁ ଭକ୍ତ ଏବଂ ଭଗବାନଙ୍କର ମିଳନ ବୋଲି ମଧ୍ୟ କୁହାଯାଏ। ଏହି ଯାତ୍ରାକୁ ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଉତ୍ତରାଭିମୁଖୀ ଯାତ୍ରା, ନବଦିନ ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ଅଭିହିତ। ପୁରୀ ବ୍ୟତୀତ ରଥଯାତ୍ରା ପ୍ରାୟ ୬୦ରୁ ଅଧିକ ସ୍ଥାନରେ ପାଳିତ ହେଉଛି। ତେବେ ପ୍ରକୃତରେ ମହାପ୍ରଭୁ ଜଗନାଥ କାହିଁକି ରଥରେ ବସି ଗୁଣ୍ଡିଚା ମନ୍ଦିରକୁ ଆସିଥାନ୍ତି ? ଅଗଣିତ ଭକ୍ତଙ୍କୁ ଦେଖା କରିବାକୁ ନା ମାଉସୀ ମା ଘରେ ପୋଡା ପୀଠ ଖାଇବାକୁ ନା ଆଉ କିଛି କାରଣ ରହିଛି।

    ଗୁଣ୍ଡିଚା ମନ୍ଦିରରେ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଦିଅଁ ଗଢ଼ା ହୋଇଥିବାରୁ ଏହାକୁ ଜୀଉମାନଙ୍କ ଜନ୍ମସ୍ଥାନ ବୋଲି କହାଯାଇଥାଏ। ରଥଯାତ୍ରା ସମୟରେ ଶ୍ରୀଜୀଉମାନେ ଏଠାରେ ସାତଦିନ ଅବସ୍ଥାନ କରନ୍ତି। ଶ୍ରୀଗୁଣ୍ଡିଚା ମନ୍ଦିରର ଯେଉଁ ସିଂହାସନରେ ତିନି ଠାକୁର ବିଜେ କରନ୍ତି ତାକୁ ଆଡ଼ପମଣ୍ଡପ ବୋଲି କୁହାଯାଏ। ଏହାର ଅର୍ଥ ଆଡ଼ମ୍ବରପୂର୍ଣ୍ଣ ମଣ୍ଡପ, ଏହାକୁ ମହାବେଦୀ ବା ଯଜ୍ଞବେଦୀ ବୋଲି ମଧ୍ୟ କହାଯାଏ। ତିନି ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିବା ପରେ ଆଡ଼ପ ମଣ୍ଡପକୁ ଠାକୁରମାନଙ୍କର ପହଣ୍ଡି ବିଜେ ହୁଏ। ଗୁଣ୍ଡିଚା ମନ୍ଦିର ପ୍ରବେଶଠାରୁ ପ୍ରତ୍ୟାବର୍ତ୍ତନ ପର୍ଯ୍ୟନ୍ତ ମନ୍ଦିରରେ ଯେଉଁ ପ୍ରସାଦ ହୁଏ, ତାକୁ ଆଡ଼ପ ଅବଢ଼ା କୁହାଯାଏ।

    କିମ୍ବଦନ୍ତୀ କୁହେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ମନ୍ଦିର ବୋଲି କେତକ ଗ୍ରହଣ ନ କରି ଗୁଣ୍ଡିଚାଘର ହିସାବରେ ମାନନ୍ତି। କିମ୍ବଦନ୍ତୀ ତଥା ପୌରାଣିକ ଆଖ୍ୟାୟିକା ଅନୁଯାୟୀ, ଜାରା ଶବର ଶରରେ ପ୍ରାଣ ଛାଡ଼ିଲେ ଦ୍ୱାରକାଧିପତି ଶ୍ରୀକୃଷ୍ଣ । ଶେଷତମ ଆତ୍ମୀୟ ଭାବରେ ପାଣ୍ଡବଗଣ ସଖା ଶ୍ରୀକୃଷ୍ଣଙ୍କ ଶରୀରକୁ ଦାହ କରିବା ପାଇଁ ଚେଷ୍ଟାକରି ବିଫଳ ହେଲେ, କାରଣ ଅଗ୍ନିର ଦାହିକା ଶକ୍ତି ନିକଟରେ ପୂର୍ଣ୍ଣବ୍ରହ୍ମ ସ୍ୱରୂପ ଶ୍ରୀକୃଷ୍ଣଙ୍କ ଶରୀରକୁ ପଞ୍ଚଭୂତରେ ବିଲୀନ କରିବାର ସାମର୍ଥ୍ୟ ନ ଥିଲା । ଶୂନ୍ୟବାଣୀ ହେଲା- କୃଷ୍ଣଙ୍କର ନାଭିକମଳ ଅଗ୍ନିରେ ଭସ୍ମ ହେବନାହିଁ, ତୁମେମାନେ ତାହାକୁ ମହୋଦଧିରେ ବିସର୍ଜନ କରିଦିଅ। ପାଣ୍ଡବମାନେ ତାହାହିଁ କଲେ।ଶ୍ରୀକୃଷ୍ଣଙ୍କର ଅର୍ଦ୍ଧଦଗ୍ଧ ପିଣ୍ଡ ଦାରୁରୂପରେ ବାଙ୍କୀ ମୁହାଣରେ ଆବିର୍ଭାବ ହେଲା । ସମୁଦ୍ରରେ ଭାସୁଥିବା ସେହି ଦାରୁକୁ ଆଣି ରାଜା ଇନ୍ଦ୍ରଦ୍ୟୁମ୍ନ ଶ୍ରୀଗୁଣ୍ଡିଚା ମନ୍ଦିରରେ ରଖିଥିଲେ । ସ୍ୱୟଂ ମହାପ୍ରଭୁ ଜଣେ ବୃଦ୍ଧ ବେଶରେ ଆସି ସେହି ଦାରୁରେ ମୂର୍ତ୍ତି ପ୍ରସ୍ତୁତ କଲେ। ସର୍ତ୍ତ ଥିଲା ମୂର୍ତ୍ତି ସମ୍ପୂର୍ଣ୍ଣ ନହେବା ଯାଏ ଦ୍ୱାର ଖୋଲାଯିବ ନାହିଁ । ମାତ୍ର ପନ୍ଦର ଦିନ ପରେ ଦ୍ୱାର ଖୋଲାଗଲା । ମୂର୍ତ୍ତିନିର୍ମାଣ କରୁଥିବା ବୃଦ୍ଧ ଉଭାନ ହୋଇଗଲେ । କେବଳ ଅଧାଗଢା ମୂର୍ତ୍ତି ରହିଗଲା । ଅଧାଗଢ଼ା ମୂର୍ତ୍ତିକୁ ଶ୍ରୀମନ୍ଦିରରେ ପ୍ରତିଷ୍ଠା କରାଗଲା । ସେହି ସମୟରେ ମହାପ୍ରଭୁ କହିଥିଲେ ‘ହେ ରାଜା, ବର୍ଷକୁ ଥରେ ଜନ୍ମଭୂମିକୁ ଆଣିବ’ । ସେଥିପାଇଁ ଶ୍ରୀଜୀଉମାନେ ଗୁଣ୍ଡିଚାଘରକୁ ବୁଲି ଯାଆନ୍ତି ଓ ବାହୁଡ଼ନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    31.4 ° C
    31.4 °
    31.4 °
    52 %
    2.4kmh
    12 %
    Wed
    29 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ